କୋରାଇ ଅଂଚଳରେ ହାତୀ ଆକ୍ରମଣରେ ଜଣେ ମୃତ : ସ୍ଥାନୀୟ ଅଂଚଳରେ ବ୍ୟାପକ ଫସଲ କ୍ଷତି ଜଗିରହିଛି ବନବିଭାଗ – ମୃତଙ୍କ ପରିବାରକୁ ୬ଲକ୍ଷଟଙ୍କା କ୍ଷତିପୁରଣ ଘୋଷଣା  

୨୦ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋରାଇ :-> କୋରାଇ ବ୍ଲକ ଅନ୍ତର୍ଗତ ତଣ୍ଡାରା, ବଡବିରୁଆ ଓ ଶଙ୍ଖଚିଲା ଆଦି ଅଂଚଳରେ ଆଜି ପୂର୍ବାହ୍ନରେ ଏକ ବଣୁଆ ହାତୀ ଆତଙ୍କ ସୃଷ୍ଟିକରିଛି । ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିର ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତିଜଣଙ୍କ ତଣ୍ଡରା ଗ୍ରାମ(ବ୍ରାହ୍ମଣସାହି)ର ଉପେନ୍ଦ୍ର କର(୬୮)ବାଲି ଜଣାପଡିଛି । ଆଜି ସକାଳେ ଉପେନ୍ଦ୍ର ଗାଁ ମୁଣ୍ଡ ଖରସ୍ରୋତା ନଦୀ ପଠାକୁ ଶୌଚ ହେବାକୁ ଯାଇଥିବା ବେଳେ ବଣୁଆ ହାତୀଟି ଅଚାନକଭାବେ ଆସି ତାଙ୍କୁ ଦଳିମକଚି ଦେଇଥିଲା । ଘଟଣା ସ୍ଥଳେ ତା’ର ମୃତ୍ୟୁ ଘଟିଥିଲା । ହାତୀ ମାତିବା ଖବର ପାଇ ଅଂଚଳ ଲୋକେ ରୁଣ୍ଡିଭୁତ ହୋଇ ନିଆଁ ଜାଳି ଖେଦିବା ଆରମ୍ଭ କରି ଦେଇଥିଲେ । ହାତୀଟି ମଧ୍ୟ ବିଭିନ୍ନ ସ୍ଥାନରେ ଫସଲ ନଷ୍ଟ କରିବା ସହ ଘରଦ୍ବାର ଭାଙ୍ଗିପକାଇଛି ।

ଖବର ପାଇ ଯାଜପୁରରୋଡ ବନବିଭାଗ ପକ୍ଷରୁ ଅଧିକାରୀ ଓ କର୍ମଚାରୀ ମାନେ ପହଂଚି ହାତୀକୁ ଟ୍ରାଙ୍କୁଲାଇଜର ମାରି କାବୁ କରିବାକୁ ଉଦ୍ୟମ ଜାରି ରଖୁଛନ୍ତି । ହାତୀଟି କୋରାଇ ଅଂଚଳର ତଣ୍ଡରା, ସୋଲପଟା, ନୂଆପାଟଣା, ନାହାନ୍ଦା ଆଦି ବବୁରିବଣିଆ ଅଂଚଳରେ ଦିନତମାମ ଘୁରିବୁଲି ଆତଙ୍କ ସୃଷ୍ଟି କରିଛି । ହାତୀ ଉପଦ୍ରବ ଦେଖି ଲୋକେ ଭୟଭୀତ ହୋଇପଡିଛନ୍ତି । ପିଲା ଠୁଁ ବୁଢା ସମସ୍ତଙ୍କ ଭିତରେ ହାତୀର ଭୟ ସୃଷ୍ଟି ହୋଇଥିଲା ବେଳେ ଅଧିକାଂଶ ଗାଁରେ ତାଟି କବାଟ ପଡିଯାଇଛି । ଏହି ହାତୀଟି ଅନ୍ୟସାଥୀଙ୍କ ସହ ଜଲରୁ ଖାଦ୍ୟ ଅନ୍ବେଷଣରେ ଜନବସତିକୁ ଖସି ପଳାଇଆସୁଥିବା ଅନୁମାନ କରାଯାଉଛି ।

ହାତୀଟି ଚାଷ ଜମିରେ ପଶି ବ୍ୟାପକ ଧାନ, ବିରି, ମୁଗ ଓ ପନିପରିବା ଆଦି ବ୍ୟାପକ ଫସଲ ନଷ୍ଟ କରିଦେଇଛି । ହାତୀଟି ଏବେ ସନ୍ଧ୍ୟା ନୂଆପାଟଣା, ନାହାନ୍ଦା ଓ ବବୁରିବଣିଆ ଦେଇ ଶଙ୍ଖଚିଲା ଅଂଚଳରେ ରହି ଆତଙ୍କ ଚଳାଇଛି । ଗତ ୩ବର୍ଷ ପୂର୍ବେ ଏହିଭଳି ଏକ ବଣୁଆ ହାତି ପଶିଆସି ଶଙ୍ଖଚିଲା ଅଂଚଳ ଜଣକୁ ମାରି ଦେଇଥିଲା । ଆଜି ମଧ୍ୟ ସେହି ଭୟ ପୁଣି ଲୋକଙ୍କ ମନରେ ଦେଖାଦେଇଛି । ବନ ବିଭାଗ ବପକ୍ଷରୁ ମୃତକ ପରିବାରଙ୍କୁ ୬ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବାକୁ ପକ୍ଷରୁ ଘୋଷଣା କରାଯାଇଛି । ଏବେ ସୁଦ୍ଧା ସଂପୃକ୍ତ ଅଂଚଳରେ ଏକ୍ସପର୍ଟ ଟିମ୍ ଦ୍ବାରା ହାତୀକୁ ଟ୍ରାଙ୍କୁଲାଇଜ୍ କରାଯାଇ ଖୁବଶୀଘ୍ର ଜଙ୍ଗଲ ମଧ୍ୟକୁ ନେବାକୁ ଉଦ୍ୟମ ଅବ୍ୟାହତ ରହିଥିବା ବନବିଭାଗ ପକ୍ଷରୁ କୁହାଯାଇଛି ।

ଅନ୍ୟପକ୍ଷେ ବନବିଭାଗ, ପୁଲିସ, ପ୍ରଶାସନଙ୍କ ସମେତ ସ୍ଥାନୀୟ ଉପସ୍ଥିତ ରହି ହାତୀର ଗତିବିଡ୍ ଅନୁସରଣ କରୁଛନ୍ତି । କୋରାଇ ଉନ୍ନୟନ ପକ୍ଷରୁ ସମସ୍ତ ସଦସ୍ୟ, ସ୍ଥାନୀୟ ଅଂଚଳର ତଣ୍ଡାରା, ବଡବିରୁଆଁ ଓ ଖମଣ ପଂଚାୟତର ସରପଂଚଙ୍କ ସମେତ ସ୍ଥାନୀୟ ଅଂଚଳର ସ୍ଵେଚ୍ଛାସେବୀ ସଙ୍ଗଠନ ପହଂଚି ହାତୀ କବଳରୁ ଲୋକଙ୍କୁ ରକ୍ଷା କରିବା ପାଇଁ ବିଧବଧ ଭାବେ ସଜାଗ ରହିଛନ୍ତି । ହାତୀଟିକୁ ଠାବ କରିବା ଏବଂ ସୁରକ୍ଷିତ ଭାବେ ଜଙ୍ଗଲକୁ ଘଉଡାଇବାରେ ଏବେ ସୁଦ୍ଧା ବନବିଭାଗ ବିଫଳ ହୋଇଥିବା ନେଇ ସ୍ଥାନୀୟ ଅଂଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ତୁରନ୍ତ ହାତୀକୁ ଉଦ୍ଧାର କରିବା ସହ ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବାଲାଗି ତଣ୍ଡରା ସରପଂଚ ମାମୁନୀ ମହାନ୍ତି ବନବିଭାଗକୁ ନିବେଦନ କରିଛନ୍ତି ।