ଲୁହାଶିଳା ଆର.କେ. କଲେଜରେ “ନୂଆ- ଓଡିଶା ଯୁବ ଓଡିଶା କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ

୩୧ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ୍ ) ରାଇରଙ୍ଗପୁର :->  ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକ ଅନ୍ତର୍ଗତ ଲୁହାଶିଳା ସ୍ଥିତ ଆର.କେ. ଜୁନିଅର କଲେଜରେ ଗତ ପନ୍ଦର ଦିନ ଧରି ଚାଲିଥିବା “ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ” (ଆଇ.ୱାଇ.ଡି.ପି.) ଉଦଯାପିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ କବି ସଂଗ୍ରାମ ଶତପଥୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲର ସହକାରୀ ଶିକ୍ଷକ ହେମନ୍ତ ମୁର୍ମୁ ମୁଖ୍ୟ ଅତିଥି ଭାବେ ଉଦ୍ବୋଧନ ଦେଇଥିବା ବେଳେ ନୋଡାଲ ଅଫିସର ଅଜୟ କୁମାର ଗିରି ଏହି ଅବସରରେ ଉପସ୍ଥିତ ରହି ବିବରଣୀ ପ୍ରଦାନ କରିଥିଲେ ।

ତାପରେ ଉଦଯାପନୀ ଉତ୍ସବରେ ଯୋଗ ଦେଇଥିବା ସମସ୍ତ କୃତୀ ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ଓ ପଦକ ପ୍ରଦାନ ପୂର୍ବକ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ପରେ ଉପସ୍ଥିତ ସମସ୍ତଙ୍କ ମଧ୍ୟରେ ଖାଦ୍ୟ ବିତରଣ କରଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ସର୍ବଶ୍ରୀ ପ୍ରଦ୍ୟୁମ୍ନ କୁମାର ମହାପାତ୍ର, ଶଶିକାନ୍ତ ନନ୍ଦ, ଅନୀଲ କୁମାର ଗିରି, ରୂପ ନାରାୟଣ ମାଝୀ, ରମାକାନ୍ତ ପାତ୍ର, ସଂଜୀବ କୁମାର ଗିରି ପ୍ରମୁଖ ଯୋଗ ଦେଇଥିଲେ ଏବଂ ଉତ୍ସବର ସୁପରିଚାଳନା ପ୍ରତି ବିଶେଷ ଧ୍ୟାନ ଦେଇଥିଲେ ।

ଉତ୍ସବ ପରେ ପରେ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। କ୍ରୀଡ଼ା ଶିକ୍ଷକ ଅଶୋକ କୁମାର ବେହେରା ତଥା ରବୀନ୍ଦ୍ର ବେହେରା, ଯୋଗେଶ୍ୱର ତୁଙ୍ଗ, ସୁଦୀପ ସରକାର, ମାୟାଧର ସି, ରାଧାନାଥ ଗିରି, ନାନୀକାନ୍ତ ନନ୍ଦ, ଭଜହରି ମାଝୀ ପ୍ରମୁଖ ମହାବିଦ୍ୟାଳୟ ପରିସରରେ ଆୟୋଜିତ ଏ ସମସ୍ତ କାର୍ଯ୍ୟକ୍ରମର ସଫଳତା ଦୃଷ୍ଟିରୁ ବେଶ ସକ୍ରିୟ ଥିବା ଲକ୍ଷ୍ୟ କରାଯାଇଥିଲା ।

ଉଲ୍ଲେଖଯୋଗ୍ୟ ଯେ କଲେଜରେ ଗତ ପନ୍ଦର ଦିନ ମଧ୍ୟରେ ଆୟୋଜିତ “ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ” ଅନ୍ତର୍ଗତ ବିବିଧ ଗତିବିଧି ଭିତରେ ନୃତ୍ୟ, ଗୀତ, ଚିତ୍ରାଙ୍କନ, ବିତର୍କ, ବକ୍ତୃତା ଆଦି ବିଭିନ୍ନ ବୌଦ୍ଧିକ, ସାଂସ୍କୃତିକ କ୍ରିୟାକଳାପ ସାଙ୍ଗକୁ ବହୁବିଧ କ୍ରୀଡ଼ା ପ୍ରତିଯୋଗିତା ଓ ସାମାଜିକ ସଚେତନତା କାର୍ଯ୍ୟକ୍ରମ ସ୍ଥାନ ପାଇଥିଲା ।