ଜଗନ୍ନାଥ ଧାମ୍ ରୁ ଆସିଲା ନିମନ୍ତ୍ରଣ

୮ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବୌଦ୍ଧ :-> ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆସନ୍ତା ମାସ ୧୭ରେ ଶୁଭାରମ୍ଭ ହେବ । ସେନେଇ ପୁରୀରୁ ୩ ଜଣିଆ ଦଳ ନୋଡ଼ାଲ ଅଫିସର ବିକାଶ କୁମାର ମହାନ୍ତି ଙ୍କ ତତ୍ୱବାଧାନରେ ଆଜି ବୌଦ୍ଧ ଜିଲ୍ଲାରେ ପହଞ୍ଚିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ସାଂସ୍କୃତିକ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷକୁ ପାଛୋଟି ନିଆଯାଇଥିଲା । ଜିଲ୍ଲାର ପ୍ରମୁଖ ଇଷ୍ଟଦେବୀ ପୀଠ ପୁରୁଣାକଟକ ସ୍ଥିତ ଭୈରବୀ ମନ୍ଦିର ଓ ବୌଦ୍ଧ ସହର ସ୍ଥିତ ବାବା ଚନ୍ଦ୍ରଚୁଡ଼ ମନ୍ଦିର କୁ ନିମନ୍ତ୍ରଣ କରାଯାଇଛି ।

ଉଭୟ ମନ୍ଦିର ପକ୍ଷରୁ ୨ ଜଣ ଲେଖାଏଁ ପୂଜକ ଆସି ଏହି ନିମନ୍ତ୍ରଣ ପତ୍ର ଅତି ଉତ୍ସାହର ସହ ଗ୍ରହଣ କରିଛନ୍ତି । ଜିଲ୍ଲାର ଏହି ପ୍ରମୁଖ ଦୁଇଟି ପିଠକୁ ନିମନ୍ତ୍ରଣ କରିଥିବାରୁ ଉଭୟ ମନ୍ଦିର କମିଟି ଓ ପୂଜକ ବେଶ ଖୁସି ଥିବା ସହ ରାଜ୍ୟ ସରକାର ଓ ଜଗନ୍ନାଥ ସଂସ୍କୃତିକୁ ଗୁରୁତ୍ୱ ଦେଇ ଏଭଳି ପଦକ୍ଷେପ ନେଇଥିବାରୁ କୃତଜ୍ଞତା ଜଣାଇଛନ୍ତି ।

ସେପଟେ ଏହା ପ୍ରଥମ ପର୍ଯ୍ୟାୟରେ ଦୁଇଟି ମନ୍ଦିରକୁ ନିମନ୍ତ୍ରଣ ହୋଇଥିବା ବେଳେ ପର୍ଯ୍ୟାୟକ୍ରମେ ଆହୁତି ଅଧିକ ସଂଖ୍ୟାକ ଅନୁଷ୍ଠାନକୁ ନିମନ୍ତ୍ରଣ ହେବ ବୋଲି ଜିଲ୍ଲାପାଳ କହିଛନ୍ତି । ସେପଟେ ନିମନ୍ତ୍ରିତ ଅତିଥୀଙ୍କ ରହଣି ସହ ଆନୁସଙ୍ଗିକ ବ୍ୟବସ୍ଥା ସୁଚାରୂପେ କରାଯିବ ବୋଲି ନୋଡ଼ାଲ ଅଫିସର କହିଛନ୍ତି ।