ଓଡ଼ଗାଁ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ : ଫାଇନାଲରେ ଗଣ୍ଡରପୁର ଭୁବନେଶ୍ୱର

୮ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଓଡ଼ଗାଁ :-> ଓଡ଼ଗାଁ ମିନିଷ୍ଟାଡିୟମଠାରେ ଚାଲିଥିବା ୫ମ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଓଡ଼ଗାଁ କପ୍ ୨୦୨୩ର ପ୍ରଥମ ସେମିନାଲରେ ୟୁନାଇଟେଡ଼ ସ୍ପୋର୍ଟସ କ୍ଳବ ବରଗଡ଼କୁ ୨-୧ରେ ଗଣ୍ଡରପୁର ଭୁବନେଶ୍ବର ହରାଇ ଫାଇନାଲରେ ପ୍ରବେଶ କରିଛି।ଆଜିର ମ୍ୟାଚ ବେଶ ସଂଘର୍ଷପୂର୍ଣ୍ଣ ଓ ରୋମାଞ୍ଚକ ଥିଲାବେଳେ ଅନ୍ତିମ ସମୟରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଖେଳର ପ୍ରଥମାର୍ଦ୍ଧର ୫ମ ମିନିଟରେ ବରଗଡ ଦଳ ପକ୍ଷରୁ ୫ ନଂ ଜର୍ସି ବିଶ୍ୱ ଭୋଇ ପ୍ରଥମ ଗୋଲ ସ୍କୋର କରି ଦଳକୁ ଆଗୁଆ ରଖିଥିଲେ ।

ଠିକ ସେହିପରି ଗଣ୍ଡରପୁର ଦଳ ପକ୍ଷରୁ ଗୋଲକୁ ସୁଝାଇବା ନିମନ୍ତେ ବାରମ୍ବାର ଆକ୍ରମଣ ଜାରି ରହିଥିଲା । ଦ୍ବିତୀୟାର୍ଦ୍ଧର ୩୭ତମ ମିନିଟରେ ଗଣ୍ଡରପୁର ପକ୍ଷରୁ ୧୦ ନଂ ଜର୍ସି ଆକାଶ ଓରାମ ଓ ୪୨ତମ ମିନିଟରେ ୭ ନଂ ଜର୍ସି ଚନ୍ଦନ ନାୟକ କ୍ରମାଗତ ୨ ଗୋଟି ଗୋଲ କରି ଦଳକୁ ଆଗୁଆ ରଖିଥିଲେ । ଗୋଲକୁ ସୁଝାଇବା ନିମନ୍ତେ ବରଗଡ଼ ଦଳ ଉତ୍ତମ ଖେଳ ପ୍ରଦର୍ଶନ ଜାରି ରଖିଥିବାବେଳେ ଅନ୍ତିମ ସମୟର ୨ ମିନିଟ ବ୍ୟବଧାନ ପୂର୍ବରୁ ରେଫରୀଙ୍କ ନିଷ୍ପତ୍ତି ଉପରେ ଅସନ୍ତୋଷ ବ୍ୟକ୍ତ କରି ବରଗଡ଼ ଦଳ ଖେଳାଳି ପଡିଆ ଛାଡି ଚାଲି ଯାଇଥିଲେ ।

ଯାହା ଫଳରେ ଜୁରୀ କମିଟିଙ୍କ ନିଷ୍ପତ୍ତି ଅନୁଯାୟୀ ଗଣ୍ଡରପୁର ଦଳ ବିଜୟୀ ଘୋଷିତ ହୋଇଥିଲେ । ଆଜିର ଖେଳକୁ ଚୁନୁ ସିଂ ପରିଚାଳନା କରିଥିବାବେଳେ ରାଜୁ ମହାନ୍ତି,ଜଗନ୍ନାଥ ପରିଡା,ଶଶୀକାନ୍ତ ଦାସିଆ,ମନୋରଞ୍ଜନ ରାଉତ ଲାଇନରେ ସହାୟତା କରିଥିଲେ । ଆଜିର ମ୍ୟାଚରେ ଯୁବ ସଂଗଠକ ପ୍ରଦୀପ କୁମାର ସାହୁ ମୂଖ୍ୟ ଅତିଥିରୂପେ ଯୋଗ ଦେଇଥିବାବେଳେ ବିଶିଷ୍ଟ ଅତିଥି ଭାବରେ ଓଡ଼ଗାଁ ବିଡ଼ିଓ ଜିତେନ୍ଦ୍ର କୁମାର ନାୟକ, ଆଦର୍ଶ ଥାନା ଏସଆଇ ଚକ୍ରଧର ସିଂ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ ।

ଶ୍ରେଷ୍ଠ ଖେଳାଳି ଭାବରେ ୭ ନଂ ଜର୍ସି ଚନ୍ଦନ ନାୟକଙ୍କୁ ଜାତୀୟ କ୍ରୀଡାରେ ବ୍ରୋଞ୍ଚ ପଦକ ବିଜେତା ବର୍ଷାରାଣୀ ସାହୁ ପୁରସ୍କାର ଓ ଟ୍ରଫି ପ୍ରଦାନ କରିଥିଲେ । ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ,ପୂର୍ବତନ ଜିଲ୍ଲା ପରିଷଦ ବିଭୁପ୍ରସାଦ ସାହୁ,ପୂର୍ବତନ ସରପଞ୍ଚ ଦିବାକର ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସୁଶାନ୍ତ ପାତ୍ର,ନରେଶ ପାଣିଗ୍ରାହୀ ଭାଷ୍ୟକାର ଦାୟିତ୍ୱ ତୁଲାଇଥିଲେ ।

ଦିଲୀପ କୁମାର ମାର୍ଥା,ନାରାୟଣ ମହାପାତ୍ର,ସୁନୀଲ ପଲେଇ, ତାପସ ରଞ୍ଜନ ମହାନ୍ତି,ଜୟକୃଷ୍ଣ ଜେନା, କେଦାରଚନ୍ଦ୍ର ସାହୁ ସହଯୋଗ କରିଥିଲେ।ଶୁକ୍ରବାର ଟୁର୍ଣ୍ଣାମେଣ୍ଟର ୨ୟ ସେମିଫାଇନାଲ ଜଗା ୟୁନାଇଟେଡ଼ ଭୁବନେଶ୍ୱର ଓ ୟଙ୍ଗ ଉତ୍କଳ କଟକ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ସୂତ୍ରରୁ ଜଣାପଡିଛି ।