ବିଜେଡ଼ି-ବିଜେପି ଭାଗୁଆଳି ସରକାରର କଳିଙ୍ଗ ନଗରର ଆଦିବାସୀ ଗଣହତ୍ୟା

ରାଜ୍ୟବ୍ୟାପୀ ୧୮ତମ ବାର୍ଷିକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବ କଂଗ୍ରେସ

୨୭ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :-> ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ନବୀନ ସରକାର ଏକ ଆଦିବାସୀ ବିରୋଧି ସରକାର । ଦୀର୍ଘ ୨୪ ବର୍ଷର ଶାସନରେ ଆଦିବାସୀ ସଂପ୍ରଦାୟର ଉନ୍ନତି ପାଇଁ ଏ ସରକାର କେବେ କାର୍ଯ୍ୟ କରିନାହିଁ । ତତ୍‌କାଳୀନ ବିଜେଡ଼ି-ବିଜେପି ମେଂଟ ସରକାର ୨୦୦୬ ମସିହା ଜାନୁୟାରୀ ୨ ତାରିଖରେ ଟାଟା କମ୍ପାନୀକୁ ଜମି ଯୋଗାଇ ଦେବା ଉଦ୍ଦେଶ୍ୟରେ କଳିଙ୍ଗ ନଗର ଠାରେ ୧୩ ଜଣ ନିରୀହ ଆଦିବାସୀଙ୍କୁ ଗୁଳି କରି ହତ୍ୟା କଲେ । କଳିଙ୍ଗ ନଗର ନରସଂହାର ଏ ଅର୍ଦ୍ଧ ଶତାଦ୍ଦୀ ଇତିହାସରେ ସବୁଠାରୁ ବର୍ବରୋଚିତ, ଲୋମହର୍ଷଣକାରୀ ଓ ସରକାର ପ୍ରାୟୋଜିତ ହତ୍ୟାକାଣ୍ଡ ଅଟେ ।

ନିଜ ଭିଟାମାଟି ପାଇଁ ସଂଗ୍ରାମ କରୁଥିବା ନିରୀହ ଆଦିବାସୀଙ୍କ ରକ୍ତରେ ବିଜେଡ଼ି-ବିଜେପି ମେଂଟ ସରକାର ହୋରି ଖେଳିଲା । ଏହି ଜଘନ୍ୟ ହତ୍ୟାକାଣ୍ଡ ବିରୁଦ୍ଧରେ ବିଜେପି ମୁହଁ ଖୋଲିନଥିଲା । କଂଗ୍ରେସ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀ କଳିଙ୍ଗ ନଗର ଆସି ଏହାକୁ “ଗ୍ରେଟ୍ ଟ୍ରାଜେଡ଼ି” ବୋଲି କହିଥିଲେ । ସେ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ । କଂଗ୍ରେସ ଦଳ ପକ୍ଷରୁ ପ୍ରତ୍ୟେକ ପରିବାରକୁ ୧ ଲକ୍ଷ ଟଙ୍କା ଏବଂ ତତ୍‌କାଳୀନ ଉପାସରକାର ପକ୍ଷରୁ ୫ ଲକ୍ଷ ଟଙ୍କା ଦିଆଯାଇଥିଲା । ସାରା ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଆଦିବାସୀ ସଂପ୍ରଦାୟ ପ୍ରତି ନବୀନ ସରକାରଙ୍କ କ୍ରୁର ଆଚରଣ ଅତି ନିନ୍ଦନୀୟ ।

କଳିଙ୍ଗ ନଗର ପରି ରାୟଗଡ଼ା ଜିଲ୍ଲାର ମାଇକଂଚ, ନବରଙ୍ଗପୁରଜିଲ୍ଲାର ରାଇଘର ଓ କନ୍ଧମାଳ ଜିଲ୍ଲାର ଗୁମୁଡୁମାହା ଠାରେ ଏବଂ ଓଡ଼ିଶାରେ ବିଭିନ୍ନ ଜିଲ୍ଲାରେ ନବୀନ ସରକାର ଆଦିବାସୀମାନଙ୍କୁ ନିର୍ମମ ଭାବେ ହତ୍ୟା କରିଛି । ସ୍ୱାଧୀନତା ସଂଗ୍ରାମରେ ଏ ରାଜ୍ୟରେ ଆଦିବାସୀମାନଙ୍କର ଅବଦାନ ଅବିସ୍ମରଣୀୟ । ସହୀଦ ଲକ୍ଷ୍ମଣ ନାୟକ, ଧରଣୀଧର, ବିର୍ଷାମୁଣ୍ଡା, ମାଧୋ ସିଂ, ଚକରା ବିଶୋୟୀଙ୍କର ବଳିଦାନର ଗାଥା ଇତିହାସ ପୃଷ୍ଠାରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ । ମାତ୍ର ନବୀନ ସରକାର ସେ ଆଦିବାସୀ ସଂପ୍ରଦାୟଙ୍କ ପ୍ରତି ଆଜି ଅତି ଅନ୍ୟାୟ ଆଚରଣ କରୁଛି । ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର କଥା ଦୀର୍ଘ ୨୫ ବର୍ଷର ନିରବିଚ୍ଛିନ୍ନ ନବୀନ ସରକାର ଆଦିବାସୀମାନଙ୍କର ବିକାଶ ପାଇଁ କିଛି କରିନାହାନ୍ତି ।

ବେଦାନ୍ତ କମ୍ପାନୀକୁ ଅନୁକମ୍ପା ପ୍ରଦର୍ଶନ କରିବାକୁ ଯାଇ ନିୟମଗିରିର ଡଙ୍ଗରିଆ କନ୍ଧ, ଝରଣିଆ କନ୍ଧ, କୁଟିଆ କନ୍ଧଙ୍କୁ ବାସଚ୍ୟୁତ କରିବା ପାଇଁ ନବୀନ ସରକାର ଯେଉଁ ଷଡ଼ଯନ୍ତ୍ର କରିଥିଲେ ତାହାକୁ ଜନନାୟକ ରାହୁଲ ଗାନ୍ଧୀ ପଣ୍ଡ କରିଦେଲ । ନିଜକୁ ଆଦିବାସୀଙ୍କ ସରକାର ବୋଲି ଘୋଷଣା କରୁଥିବା ବିଜେଡ଼ି ସରକାରରେ ଆଦିବାସୀ ଅଧ୍ୟୁଷିତ ମାଲ୍‌କାନାଗିରି ଜିଲ୍ଲା ନିତିଆୟୋଗଙ୍କ ରିପୋର୍ଟ ଅନୁସାରେ ସବୁଠାରୁ ଗରୀବ ଜିଲ୍ଲା କାହିଁକି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଥିଲେ । ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ ଯେ କଂଗ୍ରେସ ଦଳ ସବୁବେଳେ ଆଦିବାସୀଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ସଂଗ୍ରାମ କରୁଛି ଓ କରିବ ।

ସୁତରାଂ ଆସନ୍ତା ଜାନୟାରୀ ୨ ତାରିଖ ଦିନ ସାରା ରାଜ୍ୟରେ ପ୍ରତ୍ୟେକ ଜିଲ୍ଲା ସଦର ମହକୁମା, ବ୍ଲକ ଓ ସହରାଂଚଳରେ କଂଗ୍ରେସ ନେତୃବୃନ୍ଦ, କର୍ମୀ ଓ ସାଧାରଣ ଜନତା ମିଳିତ ହୋଇ କଳିଙ୍ଗ ନଗର ଓ ରାଜ୍ୟର ଅନ୍ୟ ଜିଲ୍ଲାରେ ପୁଲିସ୍ ଗୁଳିରେ ମୃତ୍ୟୁବରଣ କରିଥିବା ଆଦିବାସୀମାନଙ୍କ ପ୍ରତି ମହମବତୀ ଜାଳି ଏବଂ ନିରବ ପ୍ରାର୍ଥନା କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ସେମାନଙ୍କର ପରିବାର ବର୍ଗଙ୍କୁ ସମବେଦନା ଜଣାଇବାକୁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି । ଏହି ସାମ୍ବାଦିକ ସମ୍ମିିଳନୀରେ ପ୍ରଦେଶ କଂଗ୍ରେସ ମିଡ଼ିଆ ବିଭାଗର ଅଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବେହେରା କହିଥିଲେ ଯେ କଳିଙ୍ଗ ନଗର ଆଦିବାସୀ ହତ୍ୟା ଘଟଣା ସ୍ୱାଧୀନୋତର ଓଡ଼ିଶା ଇତିହାସରେ ବିରଳ ।

ଏ କ୍ଷତ ଏ ଯାବତ ସୁଖି ନାହିଁ, କାରଣ ମୃତ୍ୟୁକଙ୍କ ପରିବାରକୁ ନ୍ୟାୟ ମିଳିନାହିଁ । ନ୍ୟାୟମୂର୍ତି ପ୍ରଦ୍ୟୁମ୍ନ ମହାନ୍ତି କମିଶନ ରିପୋର୍ଟ ଦେଲେ ଯେ ପୁଲିସ୍ ଗୁଳି କରିବା ପାଇଁ ନିର୍ଦ୍ଦେଶ ଦେବା ବ୍ୟତୀତ ଅନ୍ୟ କିଛି ପନ୍ଥା ନଥିଲା । ଗୁଳିକାଣ୍ଡ ଯଥାର୍ଥ ବୋଲି ପ୍ରତିପାଦିତ କରାଗଲା । ଏହା କଟା ଘା’ରେ ଚୂନ ଲାଗିବା ଭଳି ହେଲା । ଅନ୍ୟ ପକ୍ଷରେ ଆଦିବାସୀ ଜମି ଅଣ ଆଦିବାସୀଙ୍କୁ ହସ୍ତାନ୍ତର ଆଇନ ରେଗୁଲେସନ-୨/୧୯୫୬ ସଂଶୋଧନ ପ୍ରତ୍ୟାହୃତ ହେଲା ନାହିଁ । କେବଳ ସ୍ଥଗିତ ରହିଛି । ଆଦିବାସୀ ଶୋଷଣର ଏହାଠାରୁ ବଳି ବଡ଼ ଉଦାହରଣ କଣ ହୋଇପାରେ? ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ଇସ୍ତାହାର କମିଟିର ଅଧ୍ୟକ୍ଷ ଶ୍ରୀ ପଂଚାନନ କାନୁନ୍‌ଗୋ କହିଥିଲେ

ଯେ କଳିଙ୍ଗ ନଗର ହତ୍ୟାକାଣ୍ଡ ଘଟଣାକୁ ତତ୍‌କାଳୀନ ମେଂଟ ସରକାରରେ ରହିଥିବା ବିଜେପି ସମର୍ଥନ ଦେଲା । କାରଣ ଏହି ଘଟଣାକୁ ନେଇ ବିଜେପି ସରକାର ସମର୍ଥନ ପ୍ରତ୍ୟାହାର କଲାନାହିଁ । ବିଜେପିର କେନ୍ଦ୍ର ନେତୃତ୍ୱ ଚୁପ୍ ରହିଲେ । ଆଜି ଆଦିବାସୀମାନଙ୍କ ପାଇଁ ବିଜେପି ମିଛ ଦରଦ ପ୍ରଦର୍ଶନ କରୁଛି । ଶ୍ରୀ କାନୁନ୍‌ଗୋ ବିଜୁ ଜନତାଦଳକୁ ପ୍ରଶ୍ନ କରିଛନ୍ତି ଯେ ୨୦୧୨-୧୩ ମସିହାରେ ୬୧୨ ଜଣ ଆଦିବାସୀଙ୍କୁ ଜେଲ୍‌ରେ ରଖାଯାଇଛି । ତାହାର ଚାର୍ଜସିଟ୍ ଏବଂ ଟ୍ରାଏଲ୍‌ ଏପର୍ଯ୍ୟନ୍ତ ହୋଇପାରି ନାହିଁ । ଏବେ ଏହି ସଂଖ୍ୟ ୧୧୦୦ କୁ ବୃଦ୍ଧି ପାଇଛି । ନିରୀହ ଆଦିବାସୀଙ୍କ ପ୍ରତି ନବୀନ ସରକାରଙ୍କର ଏ ଅବିଚାର କାହିଁକି ବୋଲି ଶ୍ରୀ ପଟ୍ଟନାୟକ ପଶ୍ନ କରିଛନ୍ତି ।