ସତ୍ୟଭାମାପୁର ଉଚ୍ଚ ବିଦ୍ୟାଳୟ ୧୯୮୬ ବ୍ୟାଚର ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ସମ୍ବର୍ଦ୍ଧନା ବନ୍ଧୁ ଓ୍ୱେଲଫେୟାର ଟ୍ରଷ୍ଟର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ

୨୭ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :->  ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବ୍ଲକ ଅନ୍ତର୍ଗତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ବନ୍ଧୁ ଓ୍ୱେଲଫେୟାର ଟ୍ରଷ୍ଟ’ର ବାର୍ଷିକ ସାଧାରଣ ବୈଠକ ରବିବାର ସ୍ଥାନୀୟ ଜାଗୁଳାଇ ସରସ୍ୱତୀ ଶିଶୁମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟର ସଭାପତି ଶ୍ରୀ ଶ୍ରୀକାନ୍ତ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାର ପାରମ୍ଭରେ ଅନୁଷ୍ଠାନର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ବୈଠକରେ ଅନୁଷ୍ଠାନ ଦ୍ୱାରା ୨୦୨୨-୨୩ ବର୍ଷରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସହିତ ଆଗାମୀ ଦିନର କାର୍ଯ୍ୟପନ୍ଥା ସଂପର୍କରେ ଆଲୋଚନା କରାଯାଇଥିଲା ।

ବାର୍ଷିକ ଅଧିବେଶନ ପରେ ସତ୍ୟଭାମାପୁର ନୋଡାଲ ଉଚ୍ଚ ବିଦ୍ୟାଳୟର ୧୯୮୬ ମାଟ୍ରିକ୍ ବ୍ୟାଚର ଛାତ୍ରଛାତ୍ରୀଙ୍କୁ ନେଇ ଗଠିତ ବନ୍ଧୁ ଅନୁଷ୍ଠାନର ସଦସ୍ୟ ତଥା ଛାତ୍ରଛାତ୍ରୀମାନେ ସେମାନେ ଅଧ୍ୟୟନ କରୁଥିବା ସମୟର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଶିକ୍ଷକଶିକ୍ଷକମାନଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ସେମାନଙ୍କ ଠାରୁ ବିଦ୍ୟାଲାଭ କରି ସମାଜର ବିଭିନ୍ନ କ୍ଷେତ୍ରରେ ଅବସ୍ଥାପିତ ହୋଇଥିବା ଏହି ବ୍ୟାଚର ଛାତ୍ରଛାତ୍ରୀମାନେ ଶିକ୍ଷକଶିକ୍ଷୟିତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ସେମାନଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରିଥିଲେ ।

ଛାତ୍ରଛାତ୍ରୀମାନେ ପୁରାତନ ଶିକ୍ଷକ (ସମସ୍ତେ ଅବସରପ୍ରାପ୍ତ) ସତ୍ୟଭାମାପୁର ମଧ୍ୟ ଇଂରାଜୀ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶ୍ରୀ ଭୀମସେନ ନାୟକ, ଶିକ୍ଷକ ଶ୍ରୀ ପ୍ୟାରୀମୋହନ ଦାସ, ସତ୍ୟଭାମାପୁର ହାଇସ୍କୁଲର ଶିକ୍ଷକ ଶ୍ରୀ ତ୍ରିଲୋଚନ ମହାନ୍ତି, ବନ୍ଧୁ ଅନୁଷ୍ଠାନର ଉପଦେଷ୍ଟା ତଥା ପ୍ରାକ୍ତନ ଶିକ୍ଷକ ଶ୍ରୀ ବିରଂଚି ନାରାୟଣ ମଣ୍ଡଳ, ଶ୍ରୀ ଦେବ ପ୍ରସାଦ ମିଶ୍ର, ଶ୍ରୀ ପୂର୍ଣ୍ଣଚନ୍ଦ୍ର ଦାସ, ଶ୍ରୀମତୀ ତାରା କୁମାରୀ ମିଶ୍ର, ଶ୍ରୀ ଅକ୍ଷୟ କୁମାର ଦାସ, ବଇଁଚୁଆ ମଧ୍ୟ ଇଂରାଜୀ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶ୍ରୀ ନବୀନ ଚନ୍ଦ୍ର ସାହୁ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଶିକ୍ଷକମାନେ ସେମାନଙ୍କର ଶିକ୍ଷକତା ସମୟର ଅନୁଭୂତି ବର୍ଣ୍ଣନା କରିବା ସହିତ ବନ୍ଧୁ ଅନୁଷ୍ଠାନ ଦୀର୍ଘ ବର୍ଷ ପରେ ସେମାନଙ୍କର ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ଏକତ୍ରିତ କରିବାର ସୁଯୋଗ ପ୍ରଦାନ କରିଥିବା ଏକ ପ୍ରଶଂନୀୟ ପଦକ୍ଷେପ ବୋଲି ପ୍ରକାଶ କରିବା ସହିତ ସେମାନଙ୍କର ପ୍ରିୟ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଏଥି ସହିତ ବନ୍ଧୁ ଅନୁଷ୍ଠାନ ସହଯୋଗରେ ଅଂଚଳରେ ବିଭିନ୍ନ ସାମାଜିକ ଉନ୍ନତିମୂଳକ କାର୍ଯ୍ୟ କରାଯିବା ପାଇଁ ବହୁ ମୂଲ୍ୟବାନ ପରାମର୍ଶ ଦେଇଥିଲେ ।

 

ପ୍ରକାଶ ଥାଉକି, ବନ୍ଧୁ ଅନୁଷ୍ଠାନ ତରଫରୁ ବିଭିନ୍ନ ସମୟରେ ସ୍ଥାନୀୟ ସତ୍ୟଭାମାପୁର ନୋଡାଲ ଉଚ୍ଚ ବିଦ୍ୟାଳୟ ସମେତ ସ୍ଥାନୀୟ ଅନ୍ୟ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ, ବୃଦ୍ଧାଶ୍ରମରେ ଅନ୍ତେବାସୀମାନଙ୍କୁ ଖାଦ୍ୟ ଯୋଗାଣ, ମେଧାବୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବା, ଜାତୀୟ ଦିବସ ପାଳନ ଓ ପୂଜ୍ୟପୂଜା ଆଦି କାର୍ଯ୍ୟକ୍ରମ କରାଯାଉଛି । ଟ୍ରଷ୍ଟର ସଭାପତି ଶ୍ରୀ ଦାଶ ଅନୁଷ୍ଠାନ ଦ୍ୱାରା କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ, ଏହାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଟ୍ରଷ୍ଟର ଉପ ସଭାପତି ସୁଚିସ୍ମିତା ମହାନ୍ତି, ସଂପାଦକ ଫଗୁ ସାମଲ, ସହ ସମ୍ପାଦକ ସନାତନ ଦାସ, କୋଷାଧ୍ୟକ୍ଷ ସରୋଜ କୁମାର ସାହୁ, ସଭ୍ୟା ତଥା ଉପଦେଷ୍ଟା ଶ୍ରୀମତୀ ଅନ୍ନପୂର୍ଣ୍ଣା ପାତ୍ରଙ୍କ ସମେତ ସଂଘର ସମସ୍ତ ସଭ୍ୟ ସଭ୍ୟା ଉପସ୍ଥିତ ରହି ଟ୍ରଷ୍ଟ ଜରିଆରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ କରାଯିବା ପରିପ୍ରେକ୍ଷୀରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସତ୍ୟଭାମାପୁର ନୋଡାଲ ହାଇସ୍କୁଲ ଏହି ବ୍ୟାଚର ପୁରାତନ ଛାତ୍ର ତଥା ପୁରୀସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷକ ଶ୍ରୀ ପ୍ରଦ୍ୟୁମ୍ନ କୁମାର ମାହାରୀ ସ୍ୱାଗତ ଭାଷଣ ଓ ମଂଚ ପରିଚାଳନା କରିଥିବା ବେଳେ ପୁରାତନ ଛାତ୍ର, ଅନୁଷ୍ଠାନର ଉପଦେଷ୍ଟା ତଥା ଅଧୁନା ମୁଖ୍ୟ ଶାସନ ସଚିବଙ୍କ ଲୋକ ସଂପର୍କ ଅଧିକାରୀ ଭାବେ କାର୍ଯ୍ୟରତ ଶ୍ରୀ ପଠାଣି ରାଉତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।