ଜାତୀୟ କ୍ରୀଡ଼ାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଓଡ଼ିଶାର ଗୋଲ୍ଡେନ୍ ଜିମ୍ନାଷ୍ଟ ପ୍ରଣତି ନାୟକଙ୍କୁ ୨୩ଲକ୍ଷ ଟଙ୍କାର ପୁରସ୍କାର ସହ ସମ୍ମାନିତ କଲେ – ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ

ପ୍ରଣତି ନାୟକ ୪ ସ୍ୱର୍ଣ୍ଣ ଓ ୧ ରୌପ୍ୟ ସହ ମୋଟ ୫ ପଦକ ହାସଲ କରିଛନ୍ତି

୨୯ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ଵର :-> ଗୋଆରେ ଚାଲିଥିବା ୩୭ତମ ଜାତୀୟ କ୍ରୀଡ଼ାରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଜିମ୍ନାଷ୍ଟିକ୍ସର ଉଜ୍ଜ୍ୱଳ ତାରକା ପ୍ରଣତି ନାୟକଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି । କ୍ରୀଡ଼ାରେ ତାଙ୍କର ଦକ୍ଷତାକୁ ସ୍ୱୀକୃତି ଜଣାଇ ମୁଖ୍ୟମନ୍ତ୍ରୀ ତାଙ୍କୁ ୨୩ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରିଛନ୍ତି । ଏହି ଅବସରରେ ଉପସ୍ଥିତ ମୁଖ୍ୟ ପ୍ରଶିକ୍ଷକ ଅଶୋକ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ । ଏହି ପ୍ରତିଭାସମ୍ପନ୍ନ ଖେଳାଳୀ ଜିମ୍ନାଷ୍ଟିକ୍ ଦୁନିଆରେ ନିଜର ଅସାଧାରଣ ନିଷ୍ଠା ଏବଂ ପ୍ରତିଭା ପ୍ରଦର୍ଶନ କରି ମୋଟ ୪ଟି ସ୍ୱର୍ଣ୍ଣ ଓ ୧ଟି ରୌପ୍ୟ ପଦକ ହାସଲ କରିଛନ୍ତି ।

ମହିଳା ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସରେ ପ୍ରଣତି ନାୟକ ଅଲରାଉଣ୍ଡ ଇଭେଣ୍ଟରେ ସମ୍ମାନଜନକ ସ୍ୱର୍ଣ୍ଣ ପଦକ ସହ ଅଭିଯାନ ଆରମ୍ଭ କରିଥିଲେ ଏବଂ ଏହା ପରେ ଭଲ୍ଟ ଇଭେଣ୍ଟ, ବାଲାନ୍ସିଂ ବିମ୍ସ ଇଭେଣ୍ଟ ଏବଂ ଅନଇଭେନ ବାର୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଫ୍ଲୋର୍ ଅଭ୍ୟାସରେ ସେ ସ୍ୱର୍ଣ୍ଣ ପଦକ ରୁ ବଞ୍ଚିତ ହୋଇଥିଲେ ମଧ୍ୟ ରୌପ୍ୟ ପଦକ ସହ ହାସଲ କରିଛନ୍ତି ।

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପ୍ରଣତିଙ୍କ ସଫଳତା ପାଇଁ ଆନନ୍ଦ ପ୍ରକାଶ କରିବା ସହ କହିଛନ୍ତି ଯେ ଓଡିଶାରେ କ୍ରୀଡା ପ୍ରତିଭା ସୃଷ୍ଟି ଉଦ୍ୟମ ର ବଳିଷ୍ଠ ପ୍ରମାଣ ହେଉଛି ପ୍ରଣତି ନାୟକଙ୍କ ସଫଳତା । ଜାତୀୟ କ୍ରୀଡ଼ାରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ସେ ଓଡ଼ିଶାକୁ ଗର୍ବିତ କରିଛନ୍ତି । ତାଙ୍କ ଉଲ୍ଲେଖନୀୟ ସଫଳତା ପାଇଁ ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ତାଙ୍କ ଭବିଷ୍ୟତ ଲକ୍ଷ୍ୟ ହାସଲ ପାଇଁ ଶୁଭେଚ୍ଛା ଜଣାଉଛି ।

ପ୍ରଣତି ଯୁବ ଆଥଲେଟମାନଙ୍କ ପାଇଁ ଏକ ପ୍ରକୃତ ପ୍ରେରଣା, ଏବଂ ମୋର ବିଶ୍ୱାସ ଯେ ସେ ଆମ ରାଜ୍ୟ ଓ ଦେଶ ପାଇଁ ସମ୍ମାନ ବୃଦ୍ଧି ପାଇଁ ଉଦ୍ୟମ ଜାରି ରଖିବେ । ଓଡ଼ିଶା ଜିମ୍ନାଷ୍ଟିକ୍ସ ଦଳର ପ୍ରଦର୍ଶନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବାରୁ ସେ ପ୍ରଶିକ୍ଷକ ଅଶୋକ ମିଶ୍ରଙ୍କ ଉଚ୍ଚ ପ୍ରଶଂସା କରିଥିଲେ । ଭବିଷ୍ୟତରେ ପ୍ରଣତିଙ୍କୁ ଯେପରି ଅଧିକ ସଫଳତା ମିଳିପାରିବ ସେଥିପାଇଁ ତାଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

ଏହି ଅବସରରେ ଅଧ୍ୟକ୍ଷ, ୫-ଟି ତଥା ନବୀନ ଓଡ଼ିଶା ଶ୍ରୀ ଭି କେ ପାଣ୍ଡିଆନ ଉପସ୍ଥିତ ରହି ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏଭଳି ପ୍ରଶିକ୍ଷକ ଓ କ୍ରୀଡ଼ାବିତ୍ ଙ୍କ ସମର୍ପଣ ଓଡ଼ିଶାର କ୍ରୀଡ଼ାର ପରିବର୍ତ୍ତନ ଦିଗରେ ପ୍ରେରଣା ବୋଲି ସେ କହିଛନ୍ତି । କଳିଙ୍ଗ ଷ୍ଟାଡିୟମରେ ଥିବା ଜିମ୍ନାଷ୍ଟିକ୍ସ ଏଏମ୍ଏନ୍ଏସ୍/ଇଣ୍ଡିଆ ହାଇ ପରଫର୍ମାନ୍ସ ସେଣ୍ଟରର ଆଥଲେଟ୍ ପ୍ରଣତି ନାୟକ ତାଙ୍କ ମୁଖ୍ୟ ପ୍ରଶିକ୍ଷକ ଅଶୋକ ମିଶ୍ରଙ୍କ ଦକ୍ଷ ତତ୍ତ୍ୱାବଧାନରେ ଅଛନ୍ତି ।

ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ତାଙ୍କର ନିରନ୍ତର ପ୍ରୟାସ ଏବଂ ଏ ଦିଗରେ ତାଙ୍କ ପ୍ରଶିକ୍ଷକଙ୍କ ମାର୍ଗଦର୍ଶନ ତାଙ୍କ ସଫଳତାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ପ୍ରଣତି ନାୟକ ଓ ପ୍ରଶିକ୍ଷକ ଅଶୋକ ମିଶ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗଭୀର କୃତଜ୍ଞତା ଜଣାଇବା ସହ ତୃଣମୂଳସ୍ତରରୁ ଏଲିଟ୍(ସର୍ବୋଚ୍ଚ) ସ୍ତର ପର୍ଯ୍ୟନ୍ତ ଜିମ୍ନାଷ୍ଟିକ୍ସକୁ ସମର୍ଥନ ଓ ପ୍ରୋତ୍ସାହିତ କରିଥିବାରୁ ଓଡ଼ିଶାକୁ ଧନ୍ୟବାଦ ଜଣାଇଛନ୍ତି ।