ମାଟିତଳୁ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣା ବିବାହ ପାଇଁ ମନା କରିବାରୁ ହାତୁଡିରେ ପିଟି ହତ୍ୟା ..

ମୁଖ୍ୟ ଅଭିଯୁକ୍ତ ଫେରାର, ୨ ଭାଇ ଗିରଫ : ମାରଣାସ୍ତ୍ର ସହ ବାଇକ ଓ ଅଟୋ ଜବତ

 ଅଗଷ୍ଟ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ  :-> ରବିବାର ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ମହୁଲପଲ୍ଲୀ ଗ୍ରାମ ଝୁନୁ ନାୟକଙ୍କ ଶଶ୍ମାନ ଜମିରୁ ପୁଲିସ ଏକ ଅଜଣା ମହିଳାଙ୍କ ମୃତଦେହକୁ ଉଦ୍ଧାର କରିଥିଲା । ଏନେଇ ହିଞ୍ଜିଳି ଥାନାରେ କେସ ନଂ- ୫୫୧/୨୩ରେ ଏକ ମାମଲା ରୁଜୁ କରି ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ପୁଲିସ ଘଟଣାର ତଦନ୍ତ ଚଳାଇଥିଲା । ବୁଧବାର ସଂପୃକ୍ତ ହତ୍ୟାକାଣ୍ଡ ଘଟଣାର ପରଦା ହଟାଇବାରେ ହିଞ୍ଜିଳି ପୁଲିସ ସକ୍ଷମ ହୋଇଛି । ମୃତକା ଜଣଙ୍କ ପାଟପୁର ଥାନା ଜୟନଗରର ବର୍ଷାରାଣୀ ପୁରୋହିତ । ହତ୍ୟାକଣ୍ଡର ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ବେଳେ ହତ୍ୟାରେ ସହଯୋଗ କରିଥିବା ୨ ଭାଇଙ୍କୁ ମଙ୍ଗଳବାର ଗିରଫ କରିଛି ।

ଗିରଫ ୨ ଭାଇ ହେଲେ ନିମଖଣ୍ଡି ଥାନା ଗୁରୁଣ୍ଠି ଗ୍ରାମ କୁମ୍ଭାର ସାହିର ସନ୍ତୋଷ ବେହେରା(୩୦) ଓ ସୁଶାନ୍ତ ବେହେରା(୨୮) । ଗିରଫଙ୍କ ଠାରୁ ହତ୍ୟାରେ ବୃବହୃତ କୋଡିବେଣ୍ଟ, କୋଦାଳ, ଲୁହାହାତୁଡି, ଭଙ୍ଗା ମୋବାଇଲ, ହଳଦିଆ ରଙ୍ଗର ଅଖା, ମହିଳାଙ୍କ ପିନ୍ଧିଥିବା ପରିଧାନ ସାମଗ୍ରୀ,ଏକ ବାଇକ (ଓଆର୦୭ଆର ୫୨୪୫) ଓ ଏକ ଯାତ୍ରୀବାହୀ ଅଟୋ(ଓଡି୦୭ଡି ୫୧୩୧)କୁ ଜବତ କରିଛି । ଗିରଫ ୨ ଭାଇଙ୍କୁ ଜେରାକରିବା ପରେ ଘଟଣା ସ୍ଥଳରେ ସିନ୍ ରିକ୍ରିଏସନ କରିଛି । ବୁଧବାର ଗିରଫ୨ ଭାଇଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ତଦନ୍ତ ପ୍ରକିୟା ଜାରୀ ରହିଛି । ମୁଖ୍ୟ ଅଭିଯୁକ୍ତଙ୍କୁ ଯଥାଶ୍ରୀଘ ଗିରଫ କରାଯିବ ବୋଲି ଆସିକା ଏସଡିପିଓ ଉମାଶଙ୍କର ସିଂ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି ।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ପାଟପୁର ଜୟନଗରର ବର୍ଷା ପୂର୍ବରୁ ବିବାହିତ ଥିବା ବେଳେ ସନ୍ତାନ ଜନ୍ମଲାଭ ପରେ ସ୍ୱାମୀଙ୍କ ସହ ପାରିବାରିକ କଳହ ଘଟିଥିଲା । ଏଣୁ ସ୍ୱାମୀଙ୍କୁ ଛାଡି ବର୍ଷା ହାଇଦ୍ରାବାଦ ଚାଲି ଯାଇଥିଲେ । ସେଠାରେ ଏକ ହୋଟେଲରେ କାମ କରୁଥିବା ବେଳେ ନିମଖଣ୍ଡି ଥାନା ଗୁରୁଣ୍ଠି ଗ୍ରାଁର ଜଣେ ଯୁବକଙ୍କ ସହ ପ୍ରେମ ସର୍ମ୍ପକ ଗଢି ଉଠିଥିଲା । ଦୁହେଁ ସେଠାରେ ଲିଭ୍ ଇନ୍ ରିଲେସନସିପରେ ରହିଥିଲେ । ବର୍ଷା ବିବାହ ପାଇଁ ପ୍ରେମିକଙ୍କ ଉପରେ ଚାପ ପକାଇଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଆରମ୍ଭ ହେେଇଥିଲା । ଦୁହେଁ ଗାଁକୁ ଫେରି ଆସିବା ପରେ ଯୁବକଙ୍କ ପରିବାର ଲୋକେ ବିବାହ ସକାଶେ ରାଜି ହୋଇନଥିଲେ । ଘଟଣା ସମାଧାନ ପାଇଁ ଦୁହେଁ ନିମଖଣ୍ଡି ଥାନାର ଦ୍ୱାରସ୍ଥ ହୋଇଥିଲେ ।

ଥାନାରେ କାଉନସେଲିଂ ସତ୍ତ୍ୱେ ସମାଧାନର କୌଣସି ପନ୍ଥା ବାହାରିନଥିଲା । ସ୍ୱାମୀ ପରିତକ୍ତା ଥିବାରୁ ଭରଣପୋଷଣ ନେଇ ଚିନ୍ତାରେ ଥିବାରୁ ପ୍ରେମିକଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ କରିନଥିଲେ । ପୁଲିସ ବର୍ଷାଙ୍କୁ ବ୍ରହ୍ମପୁର ଏମକେସିଜି ପରିସରସ୍ଥ ସଖୀ କେନ୍ଦ୍ରକୁ ପଠାଇଥିଲା । ଦିନକ ପରେ ପ୍ରେମିକ ଆସି ବର୍ଷାଙ୍କୁ ସାଥୀରେ ନେଇ ଯାଇଥିଲେ । ଉଭୟେ ବ୍ରହ୍ମପୁରରଏକ ଲଜ୍‌ରେ ଶୁକ୍ରବାର ଓ ଶନିବାର ବିତାଇବା ସହ ରବିବାର ଗୋପାଳପୁର ବୁଲିବାକୁ ଯାଇଥିଲେ । ଇତି ମଧ୍ୟରେ ପ୍ରେମିକ ହତ୍ୟା ଯୋଜନାର ବ୍ଳୁ ପ୍ରିଣ୍ଟ ତିଆରି କରିଥିଲେ । ପରେ ନିଜ ବାଇକରେ ପ୍ରେମିକ ହାତୁଡି ଓ କିଛି ମାରଣାସ୍ତ୍ର ରଖିଥିଲେ । ରାତିରେ ଗୋପାଳପୁରରୁ ଫେରିବା ବାଟରେ ରଙ୍ଗେଇଲୁଣ୍ଡା ବ୍ଳକ ସାତକୁଟୁଣି ପଞ୍ଚାୟତ ଝାଡାଙ୍କୁଲି ଗ୍ରାମ ନିଛାଟିଆ ସ୍ଥାନରେ ହାତୁଡିରେ ବର୍ଷାଙ୍କ ମୁଣ୍ଡକୁ ଶକ୍ତ ପ୍ରହାର କରି ହତ୍ୟା କରିଥିଲେ ।

ଘଟଣା ସର୍ମ୍ପକରେ ପ୍ରେମିକ ଜଣଙ୍କ୨ ଭାଇଙ୍କୁ ଜଣାଇଥିଲେ । ୨ ଭାଇ ଏକ ଯାତ୍ରୀବାହୀ ଅଟୋ ଯୋଗେ ଶାବଳ,କୋଦାଳ, କାଠ ଫାଳିଆ,ଜରିଅଖା,ଲୁଣ ଆଦି ସାଙ୍ଗରେ ନେଇ ସେଠାରେ ପହଞ୍ଚିଥିଲେ । ବର୍ଷାଙ୍କମୃତଦେହକୁ ଅଟୋରେ ନେଇ ମହୁଲପଲ୍ଲୀ ଶଶ୍ମାନରେ ମାଟି ଖୋଳି ପୋତିଦେଇ ଘଟଣା ସ୍ଥଳରୁ ବ୍ରହ୍ମପୁର ରେଳଷ୍ଟେସନକୁ ଚାଲି ଯାଇଥିଲେ । ତେବେ ମୃତଦେହ ପୋତିବା ପୂର୍ବରୁ ପରିଚୟ ଲୁଚାଇବା ଲକ୍ଷ୍ୟରେ ବର୍ଷାଙ୍କ ଦେହରୁ ପୋଷାକ ଖୋଲି ଏକ ବ୍ୟାଗରେ ଅନ୍ଧପସରା ରାସ୍ତାରେ ଫୋପାଡି ଦେଇଥିଲେ । ସିନ୍ ରିକ୍ରେଏସନ ବେଳେ ମୃତ ବର୍ଷାଙ୍କ ପରିଧାନକୁ ପୁଲିସ ଜବତ କରିଛି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆସିକାଏସଡିପିଓ ଶ୍ରୀ ସିଂ ସମେତ ହିଞ୍ଜିଳି ଥାନା ଆଇଆଇସି ଅଭିମନ୍ୟୁ ଦାସ ଓ ତଦନ୍ତକାରୀ ଅଧିକାରୀ ତଥାଏସଆଇ ସୁନିଲ କଣ୍ଡୋଗିରି ଉପସ୍ଥିତ ଥିଲେ ।