ଆକାଶଙ୍କ ‘ମିଶନ୍‍ ସବୁଜ କୋରେଇ’ ଅଭିଯାନରେ ବୃକ୍ଷରୋପଣ ଓ ବୃକ୍ଷବଣ୍ଟନ

୨୬ଜୁଲାଇ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କୋରାଇ :- କୋରାଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋରାଇ ବ୍ଲକ୍‍ ଅମୃତିଆ ଗ୍ରାମପଞ୍ଚାୟତ ଦହିଦାସପାଟଣା ଛକଠାରୁ ଏକ ବିଶାଳ ମଟରସାଇକେଲ ଶୋଭାଯାତ୍ରାରେ କୋରେଇର ପୂର୍ବତନ ବିଧାୟକ ବର୍ତ୍ତମାନ ଓଡିଶା ସରକାରଙ୍କର ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସନାୟକଙ୍କୁ ଜଳନ୍ଦା ଗ୍ରାମ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ । କୋରାଇର ପୂର୍ବତନ ବିଧାୟକ ବର୍ତ୍ତମାନ ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସନାୟକଙ୍କ “ମିଶନ୍‍ ସବୁଜ କୋରାଇ” ଅଭିଯାନରେ ବଢେଇଜଳନ୍ଦା ପ୍ରାଥମିକ ବିଦ୍ୟାଳୟରେ ବୃକ୍ଷରୋପଣ କରାଯାଇଥିଲା ।

ବୃକ୍ଷରୋପଣ କାର୍ଯ୍ୟକ୍ରମ ଶେଷପରେ ଜଳନ୍ଦା, ହଟପୁର ଗ୍ରାମରେ ୧୦୦୦ ବୃକ୍ଷ ବଣ୍ଟନ କରାଯାଇଥିଲା । ପିଜୁଳି, ଓଉ, ଆମ୍ବ, ପଣସ, ଆତ, ଶାଗୁଆନ୍‍, କାଜୁ, ଦେବଦାରୁ, ଆକାଶିଆ ଆଦି ବିଭିନ୍ନ ପ୍ରକାର ଫଳବୃକ୍ଷ ବଣ୍ଟନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଶ୍ରୀ ଦାସନାୟକ କହିଥିଲେ – ପରିବେଶ କହିଲେ ସାଧାରଣତଃ ପ୍ରକୃତି ସହିତ ଜୀବନ ଧାରଣର ମାନଦଣ୍ଡକୁ ବୁଝାଏ । ବିଶ୍ୱନିୟନ୍ତା ଇଶ୍ୱର ସୃଷ୍ଟିର ପ୍ରାରମ୍ଭରୁ ଜୀବନ ଧାରଣ ନିମନ୍ତେ ଅଗ୍ନ, ଜଳ, ବାୟୁ, ମାଟି ଓ ଆଲୋକ ଭଳି ପ୍ରାକୃତିକ ତତ୍ତ୍ୱଗୁଡିକ ନିଃଶୁଳ୍କ ମୂଲ୍ୟରେ ଯୋଗାଇଦେଇଛନ୍ତି ।

ଯାହାଦ୍ୱାରା ପୃଥିବୀପୃଷ୍ଠରେ ଜୀବଜଗତ ତିଷ୍ଠି ରହିପାରିଛି । ଉକ୍ତ ୫ଟି ଉପାଦାନକୁ ନେଇ ପରିବେଶ ଗଠନ ହୋଇଅଛି । ଈଶ୍ୱର ଜୀବଜଗତ ବଞ୍ôଚରହିବା ପାଇଁ ଗଛଲତା, ନଦୀ, ସମୁଦ୍ର ଆଦି ସୃଷ୍ଟି କରିଛନ୍ତି । ଯାହାକି ଜୀବଜଗତକୁ ଜୀବନଧାରଣ ନିମନ୍ତେ ଅମ୍ଳଜାନ, ଔଷଧ, ଖାଦ୍ୟ ଓ ବାସସ୍ଥାନ ଯୋଗାଇଆସିଛି । କିନ୍ତୁ ମନୁଷ୍ୟ ଲୋଭ ଓ ସ୍ୱାର୍ଥସାଧନ ନିମନ୍ତେ ଦିନକୁ ଦିନ ପ୍ରକୃତି ଓ ପରିବେଶ ଉପରେ ଦାଉ ସାଧୁଛି । ନିଜର ସ୍ୱାର୍ଥ ସାଧନ ନିମନ୍ତେ ଅବାଧ ଗଛକଟା ଯୋଗୁ ଦିନକୁ ଦିନ ଗ୍ଲୋବାଲ ୱାର୍ମିଂ ପ୍ରଭାବ ବଢିବଢି ଚାଲିଛି ।

ଫଳସ୍ୱରୂପ ଦିନ ତାପମାତ୍ର ବଢିଚାଲିଥିବାବେଳେ ବର୍ଷାର ପରିମାଣ କମିକମି ଆସିଲାଣି । ମଣିଷ ସମେତ ସମଗ୍ର ଜୀବଜଗତର ଜୀବନ ଧାରଣ ନିମନ୍ତେ ଶୁଦ୍ଧ ଅମ୍ଲଜାନର ଆବଶ୍ୟକତା ରହିଛି । କିନ୍ତୁ ଅବାଧ ଗଛକଟା ସହିତ କଳକାରଖାନା ଓ ଗାଡିମଟରର ଅହେତୁକ ସଂଖ୍ୟା ବୃଦ୍ଧି ବାୟୂମଣ୍ଡଳରେ ଅଙ୍ଗାରକାମ୍ଳ ଓ କାର୍ବନ ମନୋକ୍ସାଇଡ୍‍, କ୍ଲୋରୋଫ୍ଲୋରୋ କାର୍ବନ, ମିଥେନ୍‍, ନାଇଟ୍ରସ୍‍ ଅକ୍ସାଇଡ୍‍ ଭଳି ବିଷାକ୍ତ ଗ୍ୟାସ ବୃଦ୍ଧି କରିଥାଏ ।

ଫଳସ୍ୱରୂପ ବାୟୂମଣ୍ଡଳରେ ଥିବା ଓଜୋନ୍‍ ସ୍ତରରେ ରନ୍ଧ୍ର ହେବାଯୋଗୁଁ ସୂର୍ଯ୍ୟଙ୍କ ଠାରୁ ବିକିରଣ ହେଉଥିବା ଅତି ବାଇଗଣୀ ରଶ୍ମି ପୃଥିବୀପୃଷ୍ଠରେ ପଡିଥାଏ । ଯାହାକି ତାପମାତ୍ରା ବୃଦ୍ଧି ସହିତ ଚର୍ମକର୍କଟ ଭଳି ରୋଗକୁ ସୃଷ୍ଟି କରିଥାଏ । ଆସନ୍ତୁ ସମସ୍ତଙ୍କ ସହଯୋଗରେ ବୃକ୍ଷରୋପଣ କରିବା । କୋରେଇକୁ ସବୁଜସୁନ୍ଦର କରି ଗଢିତୋଳିବା । ଆଗାମୀ ଦିନରେ କୋରେଇ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ଘରେ ଘରେ ଗଛ ପହଞ୍ଚାଇବା ପାଇଁ ଶ୍ରୀ ଦାସନାୟକ ପ୍ରୟାସ ଜାରି ରଖିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଦୀନବନ୍ଧୁ ସାହୁ, ପ୍ରତାପ ଖଣ୍ଡାଇ, ରବିନ୍ଦ୍ର ସେନାପତି, ଜଗବନ୍ଧୁ ମହାପାତ୍ର, ରାମଚନ୍ଦ୍ର ମାଝୀ, ପ୍ରଶାନ୍ତ କୁମାର ଦାସ, ଦନାର୍ଦ୍ଦନ ସେନାପତି, ପ୍ୟାରୀମୋହନ ବାରିକ, କାଳନ୍ଦି ମଳିକ, ନିରାକର ପତ୍ରୀ, ଗୁରୀ ମଳିକ, ସୂର୍ଯ୍ୟମଣୀ ପତ୍ରୀ, ଧୀରେନ୍ଦ୍ର ମଳିକ, କପିଳ ମଳିକ, ଦୀପକ ମଲ୍ଲିକ, କଳାକାର ବେହେରା ପ୍ରମୂଖ ସହଯୋଗ କରିଥିଲେ ।