୧୪ ବର୍ଷିୟ ବାଳକଙ୍କୁ ରକ୍ତଦାନ କରି ବଦାନ୍ୟତା ଦେଖାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ରାଉରକେଲା :- ଜଣେ ରକ୍ତହୀନତା ପୀଡ଼ିତଙ୍କୁ ରକ୍ତ ଦାନ କରି ପୁଣି ବଦାନ୍ୟତା ଦେଖାଇଛନ୍ତି ୧୦୮ ଆମ୍ବୁଲାନ୍ସର ଜଣେ କର୍ମଚାରୀ । ଘଟଣାନୁଯାୟୀ ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅନ୍ତର୍ଗତ ଜୁରାମୁଣ୍ଡା ଗ୍ରାମର ଆଶୁତୋଷ ନାୟକ ନାମକ ଜଣେ ୧୪ ବର୍ଷିୟ ବାଳକ ରକ୍ତହୀନତାରେ ପୀଡ଼ିତ ହୋଇ ରାଉରକେଲା ସରକାରୀ ଡାକ୍ତରଖାନା (ଆରଜିଏଚ) ରାଉରକେଲାରେ ଚିକିତ୍ସିତ ହେଉଥିଲେ । ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିବାରୁ ଡାକ୍ତର ତୁରନ୍ତ ରୋଗୀଙ୍କ ପରିବାର ଲୋକଙ୍କୁ ଏ’ପଜିଟିଭ ବ୍ଲଡଗ୍ରୁପର ରକ୍ତ ଯୋଗାଡ଼ କରିବାକୁ ପରାମର୍ଶ ଦେଇଥିଲେ ।

ମାତ୍ର ଏହି ସମୟରେ ଉକ୍ତ ଡାକ୍ତରଖାନାରେ ଏହି ବ୍ଲଡଗ୍ରୁପର ରକ୍ତ ଉପଲବ୍ଧ ନଥିଲା । ଅନ୍ୟପକ୍ଷରେ ସମାନ ସମୟରେ ସେହି ଡାକ୍ତରଖାନାକୁ ଅନ୍ୟ ଜଣେ ରୋଗୀଙ୍କୁ ନେଇ ଆସିଥିବା ୧୦୮ ଆମ୍ବୁଲାନ୍ସର ସହାୟକ ବିଭୂତି ଭୂଷଣ ମଲ୍ଲିକ ଉକ୍ତ ରୋଗୀଙ୍କ ସମ୍ପର୍କରେ ଜାଣିବାକୁ ପାଇଲେ । ସୌଭାଗ୍ୟବସତଃ ତାଙ୍କର ବ୍ଲଡଗ୍ରୁପ ମଧ୍ୟ ଏ’ପଜିଟିଭ ଥିଲା । ତେଣୁ ସେ ଆଉ କୌଣସି ପ୍ରକାରର ବିଳମ୍ବ ନକରି ତୁରନ୍ତ ଯାଇ ରକ୍ତହୀନତାରେ ପୀଡ଼ିତ ସେହି ରୋଗୀଙ୍କୁ ରକ୍ତ ଦାନ କରିଥିଲେ । ତାଙ୍କର ଏଭଳି ମାନବିକତା ପାଇଁ ସେହି ନୀରିହ ବାଳକ ଆଜି ଏକ ନୂଆ ଜୀବନ ପାଇପାରିଛନ୍ତି ।