ଝାରସୁଗୁଡା ବିଜେଡି ପ୍ରାର୍ଥୀ ଦିପାଳୀ : ବାପାଙ୍କ ରେକର୍ଡ ଭାଙ୍ଗିଲେ – ୪୮,୬୧୯ ଭୋଟ ବ୍ୟବଧାନରେ ଜିତିଲେ

ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଝାରସୁଗୁଡ଼ା :- ଆଜି ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡିର ବୃହତ୍ତ ବିଜୟ ହୋଇଛି । ବିଜେଡି ପ୍ରାର୍ଥୀ ଦୀପାଳି ଦାସ ତାଙ୍କର ନିକଟତମ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ୪୮, ୬୧୯ ଭୋଟରେ ପରାସ୍ତ କରିଛନ୍ତି । ଦୀପାଳିଙ୍କୁ ୧ ଲକ୍ଷ ୭ ହଜାର ୩ ଖଣ୍ଡ ଭୋଟ ମିଳିଥିବା ବେଳେ ଟଙ୍କଧରଙ୍କୁ ମିଳିଛି ୫୮ ହଜାର ୩୮୪ ଭୋଟ । କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କର ଅବସ୍ଥା ଶୋଚନୀୟ ହୋଇଛି । ତାଙ୍କର ଅମାନତ ଉଡ଼ିଯାଇଛି । ତାଙ୍କୁ ମିଳିଛି ମାତ୍ର ୪,୪୭୩ ଭୋଟ ।ଗତ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ନବ କିଶୋର ଦାସ ତାଙ୍କର ନିକଟତମ ବିଜେପି ପ୍ରାର୍ଥୀ ଦିନେଶ ଜୈନଙ୍କୁ ୪୫,୬୯୯ ଭୋଟରେ ପରାସ୍ତ କରିଥିଲେ । ନବଙ୍କୁ ୯୮,୬୨୦ ଭୋଟ ମିଳିଥିଲା ବେଳେ ଦିନେଶଙ୍କୁ ୫୨,୯୨୧ ଭୋଟ ମିଳିଥିଲା । ତୃତୀୟ ସ୍ଥାନରେ ଥିବା କଂଗ୍ରେସ ପ୍ରାର୍ଥୀ ମହେନ୍ଦ୍ର ନାଏକଙ୍କୁ ୧୮,୮୨୩ ଖଣ୍ଡ ଭୋଟ ମିଳିଥିଲା । ନବ ଦାସଙ୍କ ଅକାଳ ମୃତ୍ୟୁ ଯୋଗୁଁ ଏଠାରେ ଉପନିର୍ବାଚନର ଆବଶ୍ୟକତା ପଡ଼ିଥିଲା ।ଝାରସୁଗୁଡ଼ା ଉପନିର୍ବାଚନ ତିନି ପ୍ରମୁଖ ଦଳ ପାଇଁ ଅତ୍ୟନ୍ତ ଚାଲେଂଜପୂର୍ଣ୍ଣ ଥିଲା । ୨୦୨୪ ସାଧାରଣ ନିର୍ବାଚନକୁ ଆଉ ମାତ୍ରେ ବର୍ଷକରୁ କମ୍ ସମୟ ଥିବାରୁ ଏହି ଉପନିର୍ବାଚନର ଯଥେଷ୍ଟ ଗୁରୁତ୍ୱ ଥିଲା । ତେବେ ବିଜେଡି ପ୍ରତି ଜନସମର୍ଥନ ଅତୁଟ ଥିବା ଏହି ଉପନିର୍ବାଚନ ପୁଣି ଥରେ ପ୍ରମାଣିତ କରିଛି । ତାଙ୍କ ବାପା ନବ ଦାସଙ୍କଠାରୁ ଅଧିକ ସଂଖ୍ୟକ ଭୋଟ ବ୍ୟବଧାନରେ ଦୀପାଳି ବିଜୟୀ ହୋଇଛନ୍ତି ।