ନୂଆଖାଇ ପାଇଁ ଏକ ସ୍ୱତନ୍ତ୍ର ଧାନ ବିହନ : ନବାନ୍ନ ଅନୁମୋଦିତ

ଓଡ଼ିଶା ରାଜ୍ୟ ବିହନ ସବ୍‌କମିଟି ବୈଠକ

ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଏବଂ ଆଇସିଏଆର୍‌-ଏନ୍‌ଆର୍‌ଆର୍‌ଆଇ ଓ ଆଇସିଏଆର୍‌-ସିଟିସିଆଇ, ଭୁବନେଶ୍ୱର ଦ୍ୱାରା ବିକଶିତ ହୋଇଥିବା ବିଭିନ୍ନ ଫସଲର କିସମ ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦନ ନିମନ୍ତେ ଆଜି ଓଡ଼ିଶା ରାଜ୍ୟ ବିହନ ସବ୍‌କମିଟି ବୈଠକରେ ଉପସ୍ଥାପିତ ହୋଇଥିଲା । କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ଫସଲ କିସମ ସଂପର୍କରେ ବିଶଦ ଭାବେ ଆଲୋଚନା ହୋଇଥିଲା । ଏହି ସବୁ ନୂତନ କିସମ ବିକାଶ ହେବା ଦ୍ୱାରା ରାଜ୍ୟରେ କୃଷି ଉତ୍ପାଦନ ବୃଦ୍ଧି ପାଇବା ସହିତ ରାଜ୍ୟର କୃଷକମାନେ ଉପକୃତ ହୋଇପାରିବେ ବୋଲି ଡ. ପାଢ଼ୀ ଆଶା ପ୍ରକାଶ କରିଥିଲେ ।

ଓୟୁଏଟି ଦ୍ୱାରା ବିକଶିତ ଏବଂ ଓୟୁଏଟି କଳିଙ୍ଗ କ୍ରମରେ ନାମିତ କରାଯାଇଥିବା ଏହି କିସମଗୁଡ଼ିକ ମଧ୍ୟରେ ଧାନର ବିଭିନ୍ନ କିସମ ଏବଂ ମୁଗ, ମାଣ୍ଡିଆ, ଚିନାବାଦାମ, ରାଶି ଓ ସୋରିଷର ଗୋଟିଏ ଲେଖାଏଁ କିସମ ରହିଛି । ଏହାଛଡ଼ା ପନିପରିବା ହିସାବରେ ବାଇଗଣ, ଲଙ୍କାମରିଚ, ବିଲାତି ବାଇଗଣ ଓ ଶିମ୍ବର ଗୋଟିଏ ଲେଖାଏଁ କିସମ ଏବଂ ଅଦାର ୩ଟି କିସମ ଓ ହଳଦୀର ୨ଟି କିସମ ରହିଛି । ଏହା ମଧ୍ୟରୁ ଓୟୁଏଟି କଳିଙ୍ଗ ଧାନ-୫ କିସମରେ ଅଧିକ ପୁଷ୍ଟିସାର, ଦସ୍ତା ଓ ଲୌହ ରହିଥିବାରୁ ଏହା ସ୍ୱାସ୍ଥ୍ୟ ପକ୍ଷରେ ଉପଯୋଗୀ ଅଟେ । ଏହି ଧାନ ବିହନ ସଅଳ ଅମଳ ଉପଯୋଗୀ ତଥା ବାସ୍ନା ଧାନ କିସମ ହୋଇଥିବାରୁ ଏହାକୁ ଗଣପର୍ବ ନୂଆଖାଇ ପାଇଁ ଉପଯୋଗ ହୋଇପାରିବ ବୋଲି ବୈଠକରେ ମତପ୍ରକାଶ ପାଇଥିଲା ।

ଓୟୁଏଟି କଳିଙ୍ଗ ଧାନ-୧ କିସମର ମହିଷା ରୋଗ, ପତ୍ରଦାଗ ରୋଗ, ମାଟିଆ ଗୁଣ୍ଡି ପୋକ ଓ କାହାଳିଆ ପୋକ ସହନଶୀଳ କ୍ଷମତା ରହିଛି । ଓୟୁଏଟି କଳିଙ୍ଗ ସୋରିଷ-୧ କିସମରେ ଶତକଡ଼ା ୪୦.୩ ଭାଗ ତୈଳ ମିଳିଥାଏ । ଓୟୁଏଟି କଳିଙ୍ଗ ମାଣ୍ଡିଆ-୧ କିସମର ହାରାହାରି ଅମଳ କ୍ଷମତା ହେକଫର ପ୍ରତି ୨୪୧୬ କିଲୋଗ୍ରାମ ଅଟେ । ସେହିପରି ଓୟୁଏଟି କଳିଙ୍ଗ ବାଇଗଣ-୧ କିସମରୁ ହେକଫର ପ୍ରତି ପ୍ରାୟ ୩୪୨୦୨ କିଲୋଗ୍ରାମ ଅମଳ ମିଳିଥାଏ । ଓୟୁଏଟି କଳିଙ୍ଗ ଟମାଟୋ-୧ କିସମର ବୀଜାଣୁଜନିତ ଝାଉଁଳା ରୋଗ ପ୍ରତିରୋଧି କ୍ଷମତା ରହିଛି । ଓୟୁଏଟି କଳିଙ୍ଗ ହଳଦୀ-୧ ଏବଂ ଓୟୁଏଟି କଳିଙ୍ଗ ହଳଦୀ-୨ କିସମ ରାଜ୍ୟର ଉଭୟ ପାହାଡ଼ିଆ ଓ ସମତଳ ଅଞ୍ଚଳରେ ଚାଷ କରାଯାଇପାରିବ ।

ଏଥି ସହିତ ବୈଠକରେ ଆଇସିଏଆର୍‌-ସିଟିସିଆଇର ଆଞ୍ଚଳିକ କେନ୍ଦ୍ର, ଭୁବନେଶ୍ୱର ଦ୍ୱାରା ବିକଶିତ ସାରୁ ବିହନ ଏବଂ ଆଇସିଏଆର୍‌-ଏନ୍‌ଆର୍‌ଆର୍‌ଆଇ ଦ୍ୱାରା ବିକଶିତ ନୂଆଧାନ ଅନୁମୋଦନ ନିମନ୍ତେ ଉପସ୍ଥାପିତ ହୋଇଥିଲା । ବୈଠକରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କାଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ଓ ଓୟୁଏଟି ଏବଂ ଆଇସିଏଆର୍‌-ଏନ୍‌ଆର୍‌ଆର୍‌ଆଇର କୃଷି ବୈଜ୍ଞାନିକମାନେ ଉପସ୍ଥିତ ଥିଲେ ।