କବିତା ସଂକଳନ “କାନଭାସ” ଉନ୍ମୋଚିତ

ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବରଗଡ଼ :- କବିତା ଜୀବନର କଥା ଓ ବ୍ୟଥାକୁ ପ୍ରକାଶ କରିଥାଏ। କବିତା ହେଉଛି ସାହିତ୍ୟର ମୁକୁଟ। ସମାଜର ବୃହତ ସତ୍ୟ ଶବ୍ଦର ରୂପ ନେଇ କବିତା ମାଧ୍ୟମରେ ପ୍ରକାଶିତ ହୋଇଥାଏ ବୋଲି କବୟିତ୍ରୀ ସୁପ୍ରଭା ସାମଲଙ୍କ ଦ୍ଵିତୀୟ କବିତା ସଂକଳନ “କାନଭାସ “ର ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେଇ ବକ୍ତାଗଣ ମତବ୍ୟକ୍ତ କରିଛନ୍ତି। ସ୍ଥାନୀୟ ଗାନ୍ଧୀ ସ୍ମୃତି ପାଠାଗାର ପରିସର ମଧ୍ୟରେ ଆୟୋଜିତ ତଥା ବିଶିଷ୍ଟ ଗବେଷକ ଡକ୍ଟର ରଘୁନାଥ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ କବି ଦିବ୍ୟ କିଶୋର ଦେବତା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାମ୍ପ୍ରତିକ ସାହିତ୍ୟର ସ୍ଥିତି ଓ ପ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ। ପୁସ୍ତକଟିକୁ ସମୀକ୍ଷା କରି ପଞ୍ଚାୟତ ମହାବିଦ୍ୟାଳୟର ଇଂରାଜୀ ବିଭାଗର ଅଧ୍ୟାପକ ଡକ୍ଟର ଉମେଶ ମହାପାତ୍ର କବିତା ସାହିତ୍ୟର ମୁକୁଟ ବୋଲି ମତବ୍ୟକ୍ତ କରି ଶ୍ରୀମତୀ ସାମଲଙ୍କ କବିତାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ମନୋରଞ୍ଜନ ସାହୁ ଯୋଗଦାନ କରି ଉନ୍ମୋଚିତ ପୁସ୍ତକ ସମ୍ପର୍କରେ ନିଜର ମତାମତ ବ୍ୟକ୍ତ କରିଥିଲେ ଓ ପୁସ୍ତକର ରଚୟିତା ଶ୍ରୀମତୀ ସାମଲ ଲେଖକୀୟ ବକ୍ତବ୍ୟ ଓ ଅନୁଭୂତି ବର୍ଣ୍ଣନା କରିଥିଲେ। ଅଶୋକ ପଶାୟତ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ, ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ ଡକ୍ଟର ରବିନାରାୟଣ ସାହୁ। କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସାହିତ୍ୟିକ ଡକ୍ଟର ସଂଗୀତା ରଥ, ସୁକୋମଳ ଦାଶ, ଡକ୍ଟର ଭଗବତୀ କର, ସଂଗୀତା ଷଡ଼ଙ୍ଗୀ, ଡକ୍ଟର ରୀନା ମେହେର, ଡକ୍ଟର ଅଶୋକ ମହାପାତ୍ର, ସଂଗୀତଜ୍ଞ ନବ ମହତ୍ତମ ପ୍ରମୁଖ ଉପସ୍ଥିତ ଥିଲେ।