‘ସାହିତ୍ୟ ମାସିକୀ’ ଅଧିବେଶନ ଗଳ୍ପପୁସ୍ତକ ‘ଆତ୍ମାଦାସର ଶେଷ ମାଗୁଣ’ ପାଠକାର୍ପିତ

ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ସମକାଳୀନ ଓଡ଼ିଆ ଗଳ୍ପର ଆଦୃତି ବୃଦ୍ଧି ପାଉଥିବାବେଳେ ନୂତନ ଗାଳ୍ପିକମାନଙ୍କ ପ୍ରବେଶ ସ୍ୱାଗତଯୋଗ୍ୟ । ଗଳ୍ପ ଲେଖିବା ପାଇଁ ଯଥାର୍ଥ ଅନୁଭୂତି, ପ୍ରଯନି ଓ ସାହସ ଆବଶ୍ୟକ ବୋଲି ବିଶିଷ୍ଟ କଥାଶିଳ୍ପୀ ଡ. ଅଜୟ ସ୍ୱାଇଁ ମତପ୍ରଦାନ କରିଛନ୍ତି । ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ ‘ସାହିତ୍ୟ ମାସିକୀ’ କାର୍ଯ୍ୟକ୍ରମରେ ଯୋଗଦେଇ ଡ. ସ୍ୱାଇଁ କହିଛନ୍ତି ଯେ ବର୍ତ୍ତମାନର ପାଠକପିଢ଼ିଙ୍କୁ ସମକାଳୀନ ଓଡ଼ିଆ ଗପ ସଂପର୍କରେ ସଚେତନ ହେବାର ଆବଶ୍ୟକତା ରହିଛି । ଅଧିବେଶନରେ ଶ୍ରୀ ବିଭୂତି ପାଣିଗ୍ରାହୀଙ୍କ ଗଳ୍ପପୁସ୍ତକ ‘ଆତ୍ମାଦାସର ଶେଷ ମାଗୁଣ’ ପାଠକାର୍ପିତ ହୋଇଥିଲା । ଅନୁଷ୍ଠାନର ସଭାପତି ଶ୍ରୀ ସୂର୍ଯ୍ୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ତରୁଣ କଥାକାର ଅଧ୍ୟାପକ ନେତାଜୀ ଅଭିନନ୍ଦନ ଯୋଗଦେଇ ଗଳ୍ପପୁସ୍ତକଟିର ସୁବିସ୍ତୃତ ସମୀକ୍ଷା କରିବା ସହିତ ସାଂପ୍ରତିକ ଓଡ଼ିଆ ଗଳ୍ପର ସ୍ୱାତନ୍ତ୍ର୍ୟଗୁଡ଼ିକ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ବଦଳି ଯାଉଥିବା ସମୟ ବିରୋଧରେ କଥାକାର ଶ୍ରୀ ପାଣିଗ୍ରାହୀଙ୍କ ଗପଗୁଡ଼ିକ ସର୍ଜନାତ୍ମକ ବିଦ୍ରୋହ । ‘ଏ ମାସର କଥାକାର’ ଭାବରେ ଯୋଗଦେଇ ତରୁଣ ଗାଳ୍ପିକ ଶ୍ରୀ ଧର୍ମରାଜ ମହାମଲ୍ଲିକ ସ୍ୱରଚିତ ଗଳ୍ପପାଠ କରିଥିବାବେଳେ ଡ. ଅଭୟ ନାରାୟଣ ନାୟକ, ଅଧ୍ୟାପିକା ସୌଦାମିନୀ ବେହେରା ଓ ସ୍ନେହଦାସ ଲେଙ୍କାଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ମନମୋହନ ମିଶ୍ର,ରମେଶ ପ୍ରସାଦ ମହାନ୍ତି, ମନୋଜ କୁମାର ଜେନା, ନିରୁପମା କର, ବିରଞ୍ଚି ଶତପଥୀ, ସନ୍ତାପ ଜେନା, ନମିତା ପାଇକରାୟ, ଯଶୋବନ୍ତ ସେଠୀ, ସବିତା ଶତପଥୀ, ଅଲେଖ ରାଉତ, ଇତିଶ୍ରୀ ପତି, ନିବେଦିତା ଭଞ୍ଜ, ନୃସିଂହ ତରାଇ, ଚମକ ଚାନ୍ଦିନୀ ଦାଶ, ବାଦଲ ମହାନ୍ତି, କ୍ଷଣପ୍ରଭା ମହାନ୍ତି, ରଜନୀ କାନ୍ତ ପଟ୍ଟନାୟକ, ନିଶାକର ପଣ୍ଡା, ଶ୍ରୀବାସ ମହାପାତ୍ର ଓ ବିପିନ ଆଚାର୍ଯ୍ୟ ଲେଖାପାଠ କରିଥିଲେ । ଅନୁଷ୍ଠାନ ପକ୍ଷରୁ ମିନତି ଦାଶ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବାବେଳେ କଥାକାର ଶ୍ରୀ ପାଣିଗ୍ରାହୀ ତାଙ୍କ ଲେଖକୀୟ ଅନୁଭୂତି ଉପସ୍ଥାପନ କରିଥିଲେ । ଶାକ୍ୟସିଂହ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।