ସରିଆଁ ଗ୍ରାମରେ ଆଦର୍ଶ ବିବାହ

• ବିବାହ ପୂର୍ବରୁ ଠିକ୍ ହୋଇଥିବା କନ୍ୟା ଚମ୍ପଟ ମାରିଲା ।

• ୨୪ ଘଣ୍ଟା ମଧ୍ୟରେ ଅନ୍ୟ ଏକ ଯୁବତୀଙ୍କ ସହ ଠିକ୍ କରାଗଲା ବରର ବିବାହ।

• ଶିଶୁପାଳ ହେବାରୁ ଅଳ୍ପକେ ବର୍ତ୍ତିଲା ବର।

ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଳାହାଣ୍ଡି :- ବର ପାଇଁ ଠିକ୍ ହୋଇଥିବା କନ୍ୟା ପ୍ରେମିକ ସହ ଚମ୍ପଟ ମାରିଲା। ବର ଶିଶୁପାଳ ହେବାକୁ ଯାଉଥିଲା। ତେବେ ଯାଦବ ସମାଜର ଉଦ୍ୟମ ଫଳରେ ମାତ୍ର ୨୪ ଘଣ୍ଟା ଭିତରେ ଅନ୍ୟ ଜଣେ ଯୁବତୀ ସହ ହୋଇଗଲା ସେହି ବରର ବିବାହ। ବାଜା ରୋଷଣୀ, ବରଯାତ୍ରୀଙ୍କ ସହ ବର ଆସି ପହଞ୍ଚିଲା। ବୈଦିକ ବିଧିବିଧାନ ଓ ପାରମ୍ପରିକ ରିତିନିତି ଅନୁଯାୟୀ ବିବାହ କାର୍ଯ୍ୟ ସଂପାଦିତ ହେଲା। ବରଯାତ୍ରୀଙ୍କ ପାଇଁ ଉତ୍ତମ ଭୋଜନର ବ୍ୟବସ୍ଥା କରାଗଲା। ଯାଦବ ମହାସଭାର ଉଦ୍ୟମ ଫଳରେ ଦୁଇଟି ଅପରିଚିତ ଯୁବକ ଯୁବତୀ ସାତ ଜନ୍ମର ସାଥି ହୋଇଗଲେ। ଏଥିରେ ଗ୍ରାମର ଛତିଶ ପାଟକର ଲୋକେ ଆକୁଣ୍ଠ ଚିତ୍ତରେ ସାହାଯ୍ୟ ସହଯୋଗ କଲେ। ଏମିତି ଏକ ନିଆରା ବିବାହ ସଂପାଦିତ ହୋଇଛି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ସରିଆଁ ଗ୍ରାମରେ। ପ୍ରାପ୍ତ ସୂଚନା ଅନୁସାରେ ଭବାନୀପାଟଣା ବ୍ଲକ ଅନ୍ତର୍ଗତ ସୁହାଗପୁର ଗ୍ରାମର ପ୍ରମୋଦ ଗଉଡ ପୁଅ ଡମ୍ବରୁଧରଙ୍କ ବିବାହ ସରିଆଁ ଗ୍ରାମର ଜଣେ ଝିଅଙ୍କ ସହ ଠିକ୍ ହୋଇଥିଲା। ମାର୍ଚ୍ଚ ୧୭ ଶୁକ୍ରବାର ଦିନ ବିବାହ ଥିବାବେଳେ ଦୁଇ ଦିନ ଆଗରୁ ସଂପୃକ୍ତ ଝିଅ ତା’ର ପ୍ରେମିକ ସହ ଫେରାର ହୋଇଗଲା। ଏହି ଘଟଣା ଜାଣିବା ପରେ ବରଘର ଉପରେ ଚଡ଼କ ପଡ଼ିଗଲା। ଏପଟେ ଏମିତି ଏକ ଘଟଣା ଯୋଗୁଁ ଗାଁ ବଦନାମ ହୋଇଯିବ ଭାବି ଗ୍ରାମବାସୀ ଓ ଯାଦବ ସମାଜ କିଂକର୍ତ୍ତବ୍ୟ ବିମୁଢ ହୋଇଗଲେ।

ଏହାପରେ ମାର୍ଚ୍ଚ ୧୬ ତାରିଖ ଗୁରୁବାର ଦିନ ଅପରାହ୍ନରେ ସରିଆଁ ଗାଁର ବରିଷ୍ଠ ଯାଦବ ମାନଙ୍କ ଆହ୍ବାନ କ୍ରମେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସାଧାରଣ ସମ୍ପାଦକ ସଞ୍ଜୟ କୁମାର ଧଙ୍ଗଡାମାଝୀ, ନର୍ଲା ବ୍ଲକ ଯାଦବ ସମିତି ସଭାପତି ଯୁଧିଷ୍ଠି ଗଉଡ, ବ୍ଲକ ସମ୍ପାଦକ ଧରଣୀଧର ଭୋଇ, କୋଷାଧ୍ୟକ୍ଷ ମାର୍କଣ୍ଡ ଜାଲ, ବରିଷ୍ଠ ଯାଦବ ଭୋଲାନାଥ ଧଙ୍ଗଡାମାଝୀ, ଭାଷ୍କର ମଟାଲି, ଫଟୁ ଛତର ପ୍ରମୁଖଙ୍କ ସହ ଅନେକ ଯାଦବ ସରିଆଁ ଗ୍ରାମରେ ବସି ଦୀର୍ଘ ସମୟଧରି ବିଚାର ବିମର୍ଷ କଲେ। ସରିଆଁ ଗ୍ରାମର ମେନା ଗଉଡ଼ଙ୍କ ପ୍ରସ୍ଥାବ କ୍ରମେ ଗାଁର ଅନ୍ୟ ଜଣେ ଝିଅ ସହ ସଂପୃକ୍ତ ବର ଡମ୍ବରୁଧରଙ୍କ ବିବାହ କରାଯିବାକୁ ପ୍ରସ୍ତାବ ଦିଆଗଲା। ଏହାପରେ ସେହି ସରିଆଁ ଗ୍ରାମର କୌରବ ଜାଲଙ୍କ ଝିଅ ଜ୍ୟୋତିଙ୍କ ସହ ସେହି ନିର୍ଦ୍ଧିଷ୍ଟ ତିଥିରେ ବିବାହ କରିବା ପାଇଁ ଯାଦବ ସମାଜ ନିଷ୍ପତ୍ତି ନେଲେ।ଏଥିରେ ଝିଅ ଏବଂ ତାଙ୍କ ପରିବାରର ପୂର୍ଣ୍ଣ ସମ୍ମତି ଥିଲା। ଏପଟେ ହାତରେ ୨୪ ଘଣ୍ଟାରୁ କମ୍ ସମୟ ରହିଛି। କେମିତି ଝିଅର ବାହାଘର କରାଯିବ? ଏହାପରେ ଭବାନୀଶଙ୍କର ସାଂସ୍କୃତିକ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ଓ ସଦସ୍ୟ ବୃନ୍ଦ ଏବଂ ଗ୍ରାମବାସୀ ସବୁ ଯୋଗାଡ଼ କରିବାରେ ଲାଗିଲେ। ଏପରି ଏକ ମହତ କାର୍ଯ୍ୟ ପାଇଁ ଗ୍ରାମର ସମସ୍ତେ ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେ ଝିଅର ଚଳଣୀ ସାମଗ୍ରୀ ସବୁ ଆଣି ଦେବାକୁ ଲାଗିଲେ। ମାତ୍ର ୧୨ ଘଣ୍ଟା ଭିତରେ ପଳଙ୍କ, ଟିଭି, ଗଡରେଜ, ଡ୍ରସିଂ ଟେବୁଲ, ପଙ୍ଖା, ବାକ୍ସ, ବାସନ ବର୍ତ୍ତନ ସମେତ ଝିଅର ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସବୁ ଠୁଳ ହୋଇଗଲା। ଶେଷରେ ନିର୍ଦ୍ଧିଷ୍ଟ ସମୟରେ ଅର୍ଥାତ୍ ମାର୍ଚ୍ଚ ୧୭ ଶୁକ୍ରବାର ରାତି ୯.୩୦ରେ ବିବାହ କାର୍ଯ୍ୟ ଆରମ୍ଭ ହୋଇ ୧୨ଟାରେ ସମ୍ପନ୍ନ ହେଲା।

ଏହି ଆଦର୍ଶ ବିବାହ ଉତ୍ସବରେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ଉପସଭାପତି ଦୁଲ୍ଲଭ ମାହାର, ଜିଲ୍ଲା ସାଧାରଣ ସମ୍ପାଦକ ସଞ୍ଜୟ ଧଙ୍ଗଡାମାଝୀ, ଜିଲ୍ଲା ମିଡିଆ ସେଲ୍ ଅଧ୍ୟକ୍ଷ ସୁନୀଲ କୁମାର ଧଙ୍ଗଡାମାଝୀ, ବରିଷ୍ଠ ଯାଦବ ନେତୃତ୍ବ ତଥା ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ, ସରିଆଁ ସରପଞ୍ଚ ଓମପ୍ରକାଶ ଛତ୍ରିଆ, ନର୍ଲା ବ୍ଲକ ଯାଦବ ସମିତି ସଭାପତି ଯୁଧିଷ୍ଠି ଗଉଡ, ଉପସଭାପତି ଲିଙ୍ଗରାଜ କରୁଆଁ, ସମ୍ପାଦକ ଧରଣୀଧର ଭୋଇ, ଯୁଗ୍ମ ସମ୍ପାଦକ ଅଜିତ କରୁଆଁ, କୋଷାଧ୍ୟକ୍ଷ ମାର୍କଣ୍ଡ ଜାଲ, ପିତାମ୍ବର ଖୁଣ୍ଟୁଲା, ପ୍ରଫୁଲ୍ଲ ଗଉଡ, କିଶୋର ଗଉଡ, ଅଜିତ କୁମାର ନାୟକ, ଘନଶ୍ୟାମ ଧଙ୍ଗଡାମାଝୀଙ୍କ ସମେତ ଗ୍ରାମର ପ୍ରମୋଦ ଚନ୍ଦ୍ର ଭୋଇ,ବିଜୟ ଭୋଇ, ଗଙ୍ଗା ନାରାୟଣ ଦାଶ, ସ୍ବାଧିନ ଭୋଇ, ମିଲନ ଭୋଇ, ଶୁକଦେବ ସାହୁ, ଦୁଷ୍ମନ୍ତ ଭୋଇ, ରାମେଶ୍ବର ଭୋଇ, ସରୋଜ ମହାପାତ୍ର, ରାଜେନ୍ଦ୍ର ମହାପାତ୍ରଙ୍କ ସମେତ ଅଞ୍ଚଳବାସୀ ଉପସ୍ଥିତ ଥିଲେ। ବର ଶିଶୁପାଳ ହେବାରୁ ଅଳ୍ପକେ ବର୍ତ୍ତି ଯାଇ ସୁରୁଖୁରୁରେ ବିବାହ ସମ୍ପନ୍ନ ହୋଇଥିବାରୁ ବରଘର ପକ୍ଷରୁ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା, ନର୍ଲା ବ୍ଲକ ଯାଦବ ସମିତି, ଭବାନୀଶଙ୍କର ସାଂସ୍କୃତିକ ଅନୁଷ୍ଠାନ, ସରିଆଁ ଯାଦବ ସମାଜ ଓ ଗ୍ରାମବାସୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ତେବେ ଯାଦବ ମହାସଭାର ନେତୃତ୍ୱରେ ଏପରି ଏକ ବିବାହ ସଂସ୍କାର ସଂପାଦିତ ହୋଇଥିବାରୁ ରାଜ୍ୟର ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।