ହୋଲି ସମ୍ବନ୍ଧରେ ଓ ନିଜ ଅନୁଭବର ଆଧାରରେ ଏହି ପତ୍ରଟିଏ

୦୮ ମାର୍ଚ୍ଚ ବୁଧବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ )ଭୁବନେଶ୍ୱର :- ଆପଣ ମୋର ବନ୍ଧୁ । ବନ୍ଧୁଙ୍କୁ ନିଜ ଅନୁଭବ ବା ବୋଧରେ ଅଂଶୀଦାର କରିବାକୁ ଶ୍ରଦ୍ଧା ଆସିଲା । ତେଣୁ ଜଣାଇଲି । ଏହି ପତ୍ରଟିକୁ ସାଦରେ ସ୍ବୀକାର ପାଇଁ ଅନୁରୋଧ ରଖିଲି । କିଛି ବର୍ଷ ତଳର କଥା । ହୋଲି ଦିନ କିଛି ବନ୍ଧୁ ଆମ ଭୁବନେଶ୍ବରର ଧ୍ୟାନକେନ୍ଦ୍ର ଆସନ୍ତି । ଖୁସିରେ କିଛି ଅବିର ରଙ୍ଗ ଲଗାଇ ଥାନ୍ତି । ସେମାନଙ୍କ ପାଇଁ ଅଙ୍ଗୁର ଓ ବେଲ ପଣାର ବ୍ୟବସ୍ଥା କରାଯାଇଥାଏ । ସେମାନଙ୍କୁ ଆପ୍ୟାୟିତ କରାଯାଏ । ରାତିକୁ ଆଧ୍ୟାତ୍ମିକ ଆଲଚନା ଚକ୍ର,ସତସଙ୍ଗ ଆଦି ହୁଏ । ପ୍ରାୟ ପ୍ରତ୍ୟେକ ବର୍ଷ ଏପରି କରାଯାଏ । ସେ ବର୍ଷ ଜଣେ ବନ୍ଧୁ ଦିନରେ ନ ଆସି ରାତିକୁ ଆସିଲେ । ଆମେ ପଚାରିଲୁ ଭାଇ ଆଜି ଆପଣ କାହିଁକି ଦିନ ବେଳା ଆସି ନଥିଲେ ?ବନ୍ଧୁ ଜଣଙ୍କ ଯାହା ଉତ୍ତର ଦେଲେ ସେଥିରେ ଆମେ ସମସ୍ତେ ଚକିତ ହୋଇଗଲୁ । ସେ କହିଲେ ମୋ ଝିଅ ମୋତେ ଯାହା ଦେଖାଇ ଦେଲା ସେଥିରୁ ହୋଲି ଖେଳ ମୋ ଜୀବନରୁ ବିଦା ହୋଇଗଲା । ଆମେ ପଚାରିଲୁ କଥା କଣ ଥିଲା ? ସେ କହିଲେ ମୋତେ ମୋ ଝିଅ କହିଲା ” ବାପା,ଏ ରଙ୍ଗଖେଳ ଆମକୁ କିଛି କ୍ଷଣି ପାଇଁ ସୁଖ ଦିଏ । ବଦଳରେ ଆମର କଣ ହାନି କରାଏ ? ଗୋଟେ ବାଲ୍ଟି ପାଣି ବଦଳରେ ଆମେ ଦଶ ବାଲ୍ଟି ପାଣି ବ୍ୟବହାର କରୁ । ବାପା ମୁଁ ଯଦି ଏପରି କରିବି ତେବେ ମୋ କ୍ଲାସରେ ରଚନାରେ ଭୂତଳ ଜଳର ସଂରକ୍ଷଣ ବିଷୟରେ ମୁଁ କଣ ଲେଖିବି ? ପିଲାଟି କହିଲା ବାପା ଆଜିକାଲି ରଙ୍ଗରେ ଯେଉଁ କେମିକାଲ ବ୍ୟବହାର ହେଉଛି ତାହା ଶରୀର ପାଇଁ କେତେ କ୍ଷତିକାରକ ଆପଣ ଜାଣିଛନ୍ତି । ଜାଣିକି ଯଦି ସେ ବିଷକୁ ମୁଁ ବ୍ୟବହାର କରିବି ମୁଁ କଣ ମୋ ଶରୀର ପାଇଁ ବହୁତ ଅପରାଧ କରିବି ?  ଝିଅଟି ପୁଣି କହିଲା ବାପା ଆପଣ ହୋଲି ଖେଳରେ ଯେତେ ପଇସା ଖର୍ଚ୍ଚ କରୁଛନ୍ତି ଚାଲନ୍ତୁ ଆମେ ଗୋଟେ ଅନାଥ ଆଶ୍ରମ ଯିବା ଓ ଅସହାୟ ପିଲାମାନଙ୍କୁ ସେମାନଙ୍କୁ କିଛି ଗିଫ୍ଟ ଦେଇ ଆସିବା । ଏହା ଦ୍ବାରା ଆମର ଅର୍ଥ ଆଉ ସମୟର ସଦୁପଯୋଗ ହେବ । ହୋଲିକୁ ଯଦି ଆମେ ଏମିତି ପାଳନ କରିବା ଆମକୁ ବହୁତ ସୁଖ ମିଳିବ । ନା’ ବାପା କ’ଣ ଭାବୁଛନ୍ତି ? “ସେ ବନ୍ଧୁ ଜଣଙ୍କ କହିଲେ ଝିଅର କଥା ଶୁଣି ମୁଁ କିଛି ସମୟ ନୀରବ ହୋଇଗଲି । ଆଉ ଦେଖିଲି ଖାଲି ସେତିକି ନୁହେଁ ଏହି ଖେଳରେ ଆମର ଯେତିକି ଲାଭ ମିଳୁଛି ତା ଠାରୁ ଅପୂରଣୀୟ କ୍ଷତି ହେଉଛି । ମଣିଷର ମନ ଉତ୍ତେଜିତ ହେଉଛି । ମଦ୍ୟ ପାନ,ନିରୀହ ଜୀବଙ୍କୁ ମାରି ମାଂସ ଭକ୍ଷଣ,ନିଶା ଗ୍ରସ୍ତ ହୋଇ ପରସ୍ପର ସହିତ କଳିଝଗଡା ଆଦି କଣ କଣ ଏ ସମାଜରେ ଘଟୁଛି ଯେ କଥା ଜଣେ ବିବେକୀ ମଣିଷ ସଠିକ୍ ଭାବେ ଅନୁଭବ କରି ପାରୁଥିବ । ଧର୍ମ ସହିତ ଯୋଡ଼ି ଦେଉଛି ଏବଂ ଯାହା ଚାହୁଁଛି ତାହା କରୁଛି । ବନ୍ଧୁ ଜଣଙ୍କ ଏ ସବୁ କଥା କହିଲେ ଓ ଚୁପ ହୋଇଗଲେ । ସେଠାରେ ଉପସ୍ଥିତ ସମସ୍ତ ବନ୍ଧୁମାନେ ମନ ଲଗାଇ ତାଙ୍କର ସବୁ କଥାକୁ ଶୁଣୁ ଥିଲେ । କିଛି ସମୟ ପାଇଁ ସମସ୍ତେ ନୀରବ ହୋଇଗଲେ ।ଝିଅଟିର ପ୍ରତ୍ୟେକଟି କଥାର ମହତ୍ତ୍ଵକୁ ବୁଝି ନେଲୁ । ଝିଅଟି ଆମ ସମସ୍ତଙ୍କର ଆଖି ଖୋଲି ଦେଇ ଥିବାରୁ ତାକୁ ଅଶେଷ କୃତଜ୍ଞତା ଜଣାଇଲୁ । ସେହି ଦିନ ଠାରୁ ସେଠାରେ ଉପସ୍ଥିତ ସମସ୍ତ ବନ୍ଧୁଙ୍କ ଜୀବନରୁ ହୋଲିର ଯେଉଁ ଅଦରକାରୀ ଅଙ୍ଗ ଥିଲା ତାହା ଆମ ଠାରୁ ଦୂରେଇ ଗଲା । ଯେଉଁ କାମରେ ଆମର କ୍ଷତି ଓ ଅନ୍ୟର ଅମଙ୍ଗଳ ତାହା ଆମ ଜୀବନରୁ ବିଦା ହୋଇଗଲା । ତା’ରି ସ୍ଥାନରେ ଅନ୍ୟମାନଙ୍କୁ ସଦ୍ଦିଚ୍ଛା ଜଣାଇବା ଓ ସାମୁହିକ ମଙ୍ଗଳ ଭାଵନା କରିବା ହେଲା । ଆମକୁ ଖୁବ୍ ଖୁସି ଲାଗିଲା ।ଯେଉଁ ବନ୍ଧୁମାନେ ବୁଝିଗଲେ ଏହି ଦିବସର ଅବସରରେ ଅସହାୟ ବନ୍ଧୁ ମାନଙ୍କୁ ପାଇଁ ଦାନ ଦେବା,ସେବା କରିବା, ଜଳ ଦାନ ଦେବା ଆଦି ପୁଣ୍ୟ କର୍ମ କରିବା ଆରମ୍ଭ କଲେ। ସତକଥା ହେଲା ସବୁ ଉତ୍ସବରେ ବହୁତ ଉପାଦେୟ ଦିଗ ରହିଛି । ତାକୁ ଜାଣି,ବୁଝି ଓ ତାର ସତ୍ୟାସତ୍ୟକୁ ଉପଲବ୍ଧି କରି ଯିଏ ବଞ୍ଚି ପାରିବେ ତାଙ୍କର ମଙ୍ଗଳ ହେବା ସହ ଦେଶ ଦୁନିଆର ବହୁତ ହିତ ସାଧନ ହୋଇ ପାରିବ । ପବିତ୍ର ହୋଲି ଉତ୍ସବରେ ପ୍ରାର୍ଥନା କରୁଛୁ ଆପଣଙ୍କର ଖୁବ୍ ମଙ୍ଗଳ ହେଉ,ଜୀବନ ବୋଧପୁର୍ଣ୍ଣ ହେଉ,ଖୁବ୍ ସରସ ସୁନ୍ଦର ହେଉ ।