ରାୟଗଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର ୨ କିଲୋମିଟର ଦୂରରେ ବେଆଇନ ଖାଦାନ ଖୋଳି ନେଇଗଲେ ୩ ହଜାର ସିଏମ ପଥର

ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରାୟଗଡ଼ା :- ରାୟଗଡ଼ା ଜିଲ୍ଲାରେ ବଢ଼ି ଚାଲିଛି ବେଆଇନ ଖାଦାନ ଚରାଭୁଇଁ । ବିଶେଷ ଭାବେ ପଥର, ମୋରମ ଓ ବାଲି ଚୋରା ଚାଲାଣ ସାଧାରଣ ଘଟଣା ହୋଇଗଲାଣି । ଜିଲ୍ଲାର ପ୍ରତ୍ୟେକ ତହସିଲ ଅଂଚଳରେ ଏହି କାରବାର ବଢ଼ିବାରେ ଲାଗିଛି । ମାଫିଆମାନେ ସରକାରଙ୍କୁ କୋଟି କୋଟି ଟଙ୍କାର ରାଜସ୍ୱ ଫାଙ୍କି ଏହି ଚୋରା କାରବାର କରୁଛନ୍ତି । ତେବେ ଏହାର ମୁଖ୍ୟ କାରଣ ହେଉଛି ତହସିଲ କର୍ମଚାରୀଙ୍କ ବ୍ୟକ୍ତିଗତ ସ୍ୱାର୍ଥ ସାଙ୍ଗକୁ ଅବହେଳା। ଏହିଭଳି ଏକ ବେଆଇନ କାର୍ଯ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ସଦର ମହକୁମା ଠାରୁ ମାତ୍ର ୨ କିମି ଦୂରରେ । ଜିଲ୍ଲାପାଳ କାର୍ଯ୍ୟାଳୟ ଠାରୁ ମାତ୍ର ଅଳ୍ପ ଦୂରରେ ଚାଲିଛି ବେଆଇନ ପଥର ଖାଦାନ । ବିନା ଅନୁମତିରେ ଶ୍ରୀନିବାସ ନାମକ ଜଣେ ଅଣଓଡ଼ିଆ ବ୍ୟକ୍ତି ଏହି ଖାଦାନରୁ ପଥର ଲୁଟି ନେଉଛନ୍ତି । ପ୍ରତିଦିନ ଶତାଧିକ ସିଏମ ପଥର ଖନନ ହୋଇ ଚାଲାଣ ହେଉଛି ।

ସୂଚନା ଅନୁଯାୟୀ, ରାୟଗଡ଼ା ତହସିଲ ଅନ୍ତର୍ଗତ ଧୁମାଗୁଡ଼ା ମୌଜାର ଖାତା ନମ୍ବର ୨୭ ର ପ୍ଲଟ ନମ୍ବର ୧୭୧ ରେ ଏହି ବେଆଇନ ପଥର ଖନନ ଚାଲିଛି । ସରକାରୀ ରେକର୍ଡ଼ ଅନୁଯାୟୀ ଏହି ପ୍ଲଟ ପ୍ରାୟ ୧୨ ଏକର ପରିମିତ ଏବଂ ପାହାଡ଼ କିସମ ବୋଲି ଉଲ୍ଲେଖ ରହିଛି । ତେବେ ଏହି ବିରାଟ କାୟ ପାହାଡ଼କୁ ୨୦୨୧ ମସିହାରୁ ଉକ୍ତ ମାଫିଆ ବେଆଇନ ଭାବେ ଖନନ କରି ଚାଲିଛନ୍ତି । ବର୍ତ୍ତମାନ ସୁଦ୍ଧା ପ୍ରାୟ ୩ ଏକର ଅଂଚଳରୁ ପଥର ଖନନ କରାଗଲାଣି । ଏଠାରେ ରହିଥିବା ମୂଲ୍ୟବାନ କଳା ପଥର ପାଇଁ ପ୍ରତି ଦୁଇରୁ ତିନି ଦିନ ବ୍ୟବଧାନରେ ଜିଲୋଟିନ ବ୍ୟବହାର କରି ବେଆଇନ ବ୍ଲାଷ୍ଟିଂ କରାଯାଇ ପଥର ଖନନ କରି ଚାଲାଣ କରାଯାଉଛି ।

ପଥର ଖନନ କରାଯାଇ ବେଆଇନ ଭାବେ ଆନ୍ଧ୍ରପ୍ରଦେଶକୁ ଚାଲାଣ ହେଉଥିବା ସେହି ଅଞ୍ଚଳର ସ୍ୱେଚ୍ଛାସେବୀ ସୂଚନା ଦେଇଛନ୍ତି । ଏହି ପ୍ଲଟରେ ପଥର ଖନନ ପାଇଁ ତହସିଲ ପକ୍ଷରୁ କୌଣସି ଲିଜ ପ୍ରଦାନ କରାଯାଇନାହିଁ କି କୌଣସି ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇନାହିଁ । ଏଭଳିକି ପ୍ରଦୂଷଣ ବିଭାଗ ପକ୍ଷରୁ କୌଣସି ଗ୍ରାମସଭା ମଧ୍ୟ ହୋଇନଥିବା ଜଣାପଡ଼ିଛି । ତେବେ ଜିଲ୍ଲାପାଳ କାର୍ଯ୍ୟାଳୟ ଓ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଠାରୁ ମାତ୍ର ୨ କିମି ଦୂରରେ ଅବସ୍ଥିତ ଏହି ପାହାଡ଼ରେ ବେଆଇନ ବ୍ଲାଷ୍ଟିଂ କରାଯାଉଥିବା ବେଳେ ଅଧିକାରୀଙ୍କ ନଜର ପଡ଼ୁନଥିବା ଆଶ୍ଚର୍ଯ୍ୟଜନକ । ଫଳରେ ଏହାର ଫାଇଦା ଉଠାଇ ମାଫିଆ ଶ୍ରୀନିବାସ ଅହରହ ପଥର ଖନନ କରିଚାଲିଛନ୍ତି ।

ବର୍ତମାନ ସୁଦ୍ଧା ୩ ହଜାର ସିଏମ ପଥର ଧୁମାଗୁଡ଼ା ଗାଁ ନିକଟ ପାହାଡ଼ରୁ ଖନନ କରି ଚାଲାଣ ହୋଇଥିବା ଜଣେ ରାଜସ୍ୱ କର୍ମଚାରୀ ସୂଚନା ଦେଇଛନ୍ତି । ହେଲେ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ତହସିଲଦାର କେଉଁ ସ୍ୱାର୍ଥରେ ନୀରବ ରହୁଛନ୍ତି ତାହା ତଦନ୍ତ ପରିସରକୁ ଆସିବା ଜରୁରୀ । ଉକ୍ତ ବ୍ଲାଷ୍ଟିଂ ଏବଂ ପଥର ଖନନ ଦ୍ୱାରା ନିକଟସ୍ଥ ଗ୍ରାମ ଗୁଡ଼ିକ ପ୍ରତି ବିପଦ ସୃଷ୍ଟି ହେବା ସହିତ ପରିବେଶ ମଧ୍ୟ ପ୍ରଦୂଷିତ ହେଉଛି । ଉକ୍ତ ପାହାଡ଼ ନିକଟରେ ବହୁ ପୁରୁଣା ବୃକ୍ଷଗୁଡ଼ିକ ରହିଥିବା ବେଳେ ଏହି ପଥର ଖନନ ଦ୍ୱାରା ସେଗୁଡ଼ିକ ନଷ୍ଟ ହେବାକୁ ଲାଗିଲାଣି । ଶୁକ୍ରବାର ଉକ୍ତ ସ୍ଥାନକୁ ଯିବା ବେଳେ ସେଠାରେ ମେସିନ ସାହାଯ୍ୟରେ ପଥର ଖନନ ହେଉଥିବା ଦେଖିବାକୁ ମିଳିଥିଲା । ବହୁ ପୁରୁଣା ବଡ଼ ବଡ଼ ବୃକ୍ଷଗୁଡ଼ିକୁ ମେସିନ ସାହାଯ୍ୟରେ କାଟି ଦିଆଯାଇଥିବା ଦେଖିବାକୁ ମିଳିଛି । ତେବେ ମାଫିଆ ଜଣକ ବେଆଇନ ଖନନ କରି କୋଟି କୋଟି ଟଙ୍କାର ମୁନାଫା କମାଉଥିବା ବେଳେ ପ୍ରଶାସନିକ ଅଧିକାରୀ କାହିଁକି କୌଣସି ଆଇନଗତ ପଦକ୍ଷେପ ନେଉନାହାଁନ୍ତି ତାହା ସନ୍ଦେହ ଘେରରେ ।

ଖଜୁରୀ ଗଛ ମୂଳରୁ ପାହାଚ ପାହାଚ ଭଳି ତହସିଲ କାର୍ଯ୍ୟାଳୟର ଉପରଠୁ ତଳ ସମସ୍ତ ଅଧିକାରୀ ଦୁର୍ନୀତିଗ୍ରସ୍ତ ଏବଂ ବ୍ୟକ୍ତିଗତ ସ୍ୱାର୍ଥ ସାଧନରେ ବ୍ୟସ୍ତ ବୋଲି ସ୍ୱେଚ୍ଛାସେବୀମାନେ ପ୍ରକାଶ କରିଛନ୍ତି । ଏହି ବେଆଇନ ପଥର ଖନନ ଦ୍ୱାରା ପରିବେଶ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ନଷ୍ଟ ସାଙ୍ଗକୁ ସରକାରଙ୍କ କୋଟି କୋଟି ଟଙ୍କା ରାଜସ୍ୱ ହାନି ହେଉଛି । ତେବେ ଏନେଇ ତହସିଲଦାର ତାପସ ରାଉତଙ୍କୁ ପଚାରିବାରୁ କହିଛନ୍ତି ଯେ, ଆମେ ସୂଚନା ପାଇ ସେହି ସ୍ଥାନ ପରିଦର୍ଶନ କରିଥିଲୁ ବୋଲି କହିଛନ୍ତି । ଏହା ନେଇ ପୋଲିସରେ ଏକ ମାମଲା ରୁଜୁ କରାଯାଇଛି । ତଦନ୍ତ ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର ରାଉତ ସୂଚନା ଦେଇଛନ୍ତି । ଦେଖିବାର କଥା କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉଛି।