୧୯ ଡିସେମ୍ବର ସୋମବାର ( ଓଡ଼ିଶା ତାଜା ନ୍ୟୁଜ ) ବାଲିଗୁଡା :- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସୁରୁବାଲି ବୁଲାଣି ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା । ମୃତ ଯୁବକ ଦୁଇଜଣ ବଡ଼ଗାଁ ଅଞ୍ଚଳର ରାକେଶ ମଲ୍ଲିକ (ଲିଚୁ) ଓ ଅଚ୍ୟୁତାନନ୍ଦ ନାୟକ ହୋଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ରବିବାର ରାତି ପ୍ରାୟ ୧୦ଟା ସମୟରେ ବଡ଼ଗାଁ ଅଞ୍ଚଳର ଦୁଇ ଜଣ ଯୁବକ ରାକେଶ ମଲ୍ଲିକ (ଲିଚୁ)ଓ ଅଚ୍ୟୁତାନନ୍ଦ ନାୟକ ମହାସିଙ୍ଗି ଆଡୁ ବାଲିଗୁଡ଼ା ଅଭିମୁଖେ ଆସୁଥିବା ବେଳେ ସୁରୁବାଲି ଗାଁ ନିକଟ ବୁଲାଣି ରାସ୍ତାରେ ଏକ ହାଇୱା ଗାଡ଼ି ଆଗପଟରୁ ଧକ୍କା ଦେଇ ଦେଇଥିଲା ।
ଫଳରେ ଦୁଇ ଯୁବକ ଗୁରୁତର ଆହତ ହୋଇ ରାସ୍ତାରେ ପଡ଼ିଥିଲେ । ଖବରପାଇ ବାଲିଗୁଡ଼ା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି । ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।
ସେପଟେ ଘଟଣାକୁ ନେଇ ଚାପା ଉତ୍ତେଜନା ଦେଖାଦେଇଥିଲା । କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକେ ଉପଖଣ୍ଡ ଚିକିତ୍ସାଳୟ ସମ୍ମୁଖ ୫୯ ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ । ସମ୍ପୃକ୍ତ ଠିକା ସଂସ୍ଥା ମୃତକଙ୍କ ପରିବାରକୁ ଦେଢ଼ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବା ପାଇଁ ପ୍ରତିଶ୍ରୁତି ଦେବା ପରେ ଦୀର୍ଘ ତିନି ଘଣ୍ଟା ପରେ ରାସ୍ତାରୋକ ଆନ୍ଦୋଳନ ହଟିଥିଲା ।

© 2023 Odisha Taza News.