୧୬ ଡିସେମ୍ବର ଶୁକ୍ରବାର ( ଓଡ଼ିଶା ତାଜା ନ୍ୟୁଜ ) ପୁରୀ :- ଓଡ଼ିଶା ଆୟୋଜନ କରୁଛି ୨୦୨୩ ପୁରୁଷ ହକି ବିଶ୍ୱକପ । ଜାନୁଆରୀ ୧୩ ରୁ ୨୯ ପର୍ଯ୍ୟନ୍ତ ଏହା ଅନୁଷ୍ଠିତ ହେବ । ୧୬ ଟି ଦେଶର ପ୍ରତିଯୋଗୀ ଏହି ବିଶ୍ୱକପରେ ଅଂଶଗ୍ରହଣ କରିବେ । ହକିକୁ ଅଧିକ ଲୋକାଭିମୁଖୀ ତଥା ପ୍ରଚାର ପ୍ରସାର କରିବା ଲକ୍ଷ୍ୟରେ ଏହି ବିଶ୍ୱକପ ଟ୍ରଫି ସମଗ୍ର ରାଜ୍ୟ ପରିକ୍ରମା କରିବ । ପୁରୀ ଜିଲ୍ଲା କୁ ଚଳିତ ମାସ ୨୫ ତାରିଖ ସଂଧ୍ୟାରେ ଏହା ପହଞ୍ଚିବାର କାର୍ଯ୍ୟସୂଚୀ ରହିଛି । ଏହି ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଥିଲା । କୌଣସି ଦେଶ ହକି ବିଶ୍ୱକପ ଭଳି ଏକ ମର୍ଯ୍ୟାଦା ଜନକ ଖେଳକୁ ବାରମ୍ବାର ଆୟୋଜନ ର ସୁଯୋଗ ନ ଥାଏ ।
ତେଣୁ ଏହି ଟ୍ରଫି କୁ ଭବ୍ୟ ସ୍ୱାଗତ ସହ ଯେପରି ଏହା ସ୍ମରଣୀୟ ହୋଇ ରହିବ ସେଥିପାଇଁ ସମସ୍ତେ ପ୍ରୟାସ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ପ୍ରଦୀପ କୁମାର ସାହୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ୨୬ ତାରିଖ ପ୍ରତ୍ୟୁଷରୁ ଦିଗବାରେଣୀ ବେଳାଭୂମି ରେ ମନୋଜ୍ଞ ସାସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଟ୍ରଫି କୁ ସ୍ୱାଗତ ଓ ଭବ୍ୟ ସମ୍ବର୍ଦ୍ଧନା ଦିଆଯିବ ବୋଲି କହିଥିଲେ । ଏଥିରେ ଜୁମ୍ବୋ ଡ଼୍ୟାନ୍ସ,ମାଲଖମ୍ବ, ବେଳାଭୂମି ମିନି ମାରାଥନ, ସଂଗୀତ ପରିବେଷଣ, ଘୋଡାନାଚ ,ସିଗନେଚର କ୍ୟାମ୍ପେନ ଇତ୍ୟାଦି ବ୍ୟବସ୍ଥା କରାଯାଇଛି ବୋଲି କହିଥିଲେ।ଏହା ପରେ ଟ୍ରଫି କୁ ବ୍ଲୁ ଫ୍ଲାଗ ବିଚକୁ ନିଆଯିବ ଓ ସେଠାରେ ଫଟୋ ସୁଟ କରାଯିବ ।
ପରେ ପରେ ସିଂହଦ୍ଵାରରେ ପ୍ରଭୁ ଙ୍କ ଆଶୀର୍ବାଦ ପରେ ଟ୍ରଫି କୁ ପ୍ରଦର୍ଶନ କରାଯିବ।ଅପରାହ୍ନ ରେ ଶ୍ରୀ ଜଗନ୍ନାଥ ଷ୍ଟାଡିୟମ ରେ ଫଟୋ ସୁଟ ପରେ ବିଶ୍ୱକପ ଟ୍ରଫି କୋଣାର୍କ ଇକୋ ରିଟ୍ରିଟ୍ ଓ କୋଣାର୍କ ମନ୍ଦିର ରେ ସ୍ୱାଗତ, ପ୍ରଦର୍ଶନ ଓ ଫଟୋ ସୁଟ ପରେ ଖୋର୍ଦ୍ଧା ଜିଲ୍ଲା ଅଭିମୁଖେ ଯାତ୍ରା କରିବ ବୋଲି କ୍ରିଡା ଅଧିକାରୀ ଶ୍ରୀ ଚନ୍ଦନ ସାହୁ ସୂଚନା ଦେଇଥିଲେ। ଏହାକୁ ଆକର୍ଷଣୀୟ ଓ ଲୋକ ମାନଙ୍କୁ ଏଥିରେ ଯୋଡିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶ୍ରୀ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଶ୍ରୀ ଦିଲ୍ଲୀପ କୁମାର ମହାପାତ୍ର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଜ୍ୟୋତି ଶଙ୍କର ମହାପାତ୍ର,
ଉପଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ପୌରନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ୱାଇଁ, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ଅଜିତ କୁମାର ମହାପାତ୍ର, ଡେପୁଟି କଲେକ୍ଟର ଶ୍ରୀ ରାକେଶ ପଣ୍ଡା,ଆରଟିଓ ଶ୍ରୀ ରବିନ ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ,ଜିଲ୍ଲା ଆଥଲେଟିକ ଆସୋସିଏସନ ର ସମ୍ପାଦକ ଶ୍ରୀ ରବି ଶଙ୍କର ପ୍ରତିହାରୀ, କୋଣାର୍କ ପର୍ଯ୍ୟଟନ ଅଧିକାରୀ ଶ୍ରୀ ଅମୀୟ କୁମାର ସେଠୀ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।














