ଏଥି ସହିତ ଦସ୍ତଖତ ଅଭିଯାନ ଓ ଗଣପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଆଜି ରମାଦେବୀ ବିଶ୍ୱବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ରୋହିତ ପୂଜାରୀ ଯୋଗଦେଇ କହିଥିଲେ ଯେ ଓଡିଶା ଏକମାତ୍ର ରାଜ୍ୟ ଯେଉଁଠି ଦ୍ୱିତୀୟ ଥର ପାଇଁ ବିଶ୍ୱ ହକି ପ୍ରତିଯୋଗିତା ଆୟୋଜିତ ହେଉଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରୋତ୍ସାହନରେ, ବିଶ୍ୱ କପ୍ହକି ମାନଚିତ୍ରରେ, ଓଡିଶା ଆଜି ନିଜସ୍ୱ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ସୁନ୍ଦରଗଡ ହକିର ଜନ୍ମକ୍ଷେତ୍ର । ଏହା ସହ ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼ ଓ ଅନ୍ୟାନ୍ୟ ଅଂଚଳରେ ହକିକୁ ଏକ ଗଣଖେଳ ଭାବେ ସାଧାରଣ ଲୋକ ଉପଭୋଗ କରନ୍ତି । ଏ ପ୍ରକାର ମନୋଭାବକୁ ରାଜ୍ୟବ୍ୟାପୀ ଜନପ୍ରିୟ କରାଇବାକୁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି ।
ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକରେ ହକି ପ୍ରୋତ୍ସାହନର କେନ୍ଦ୍ର ହେବା ଉଚିତ ବୋଲି ସେ ମତ ପ୍ରକାଶ କରିଥିଲେ । ଆଗାମୀ ଦିନରେ ଉଚ୍ଚଶିକ୍ଷା ବିଭାଗ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଖେଳ ନୀତି ନିର୍ଦ୍ଧାରଣ କରିବାକୁ ଉଦ୍ୟମ କରାଯିବ ବୋଲି କହିଥିଲେ । ରାଜ୍ୟ ଗୃହ ତଥା କ୍ରୀଡ଼ା ଓ ଯୁବସେବା, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ହକି କ୍ରୀଡ଼ା ବିକାଶ ତଥା ବିଶ୍ୱକପ୍ ଆୟୋଜନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ କ୍ରୀଡ଼ା ବିଭାଗ ତରଫରୁ ସୁନ୍ଦରଗଡ଼ର ୧୭ଟି ବ୍ଲକରେ ହକି ଷ୍ଟାଡ଼ିୟମ ନିର୍ମାଣ କରାଯାଇଛି ବୋଲି ସୂଚନା ଦେଇଥିଲେ । ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡ଼ିୟମର ଭିତ୍ତିଭୂମିର ବିକାଶ କରାଯାଇଛି ।
ସଭାରେ କୁଳପତି ଶ୍ରୀମତୀ ଅପରାଜିତା ଚୌଧୁରୀ ଅଧ୍ୟକ୍ଷତା କରି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟକୁ ରାଜ୍ୟସରକାର ଏହି କାର୍ଯ୍ୟକ୍ରମ ଆୟୋଜନ କରିବାର ସୁଯୋଗ ଦେଇଥିବାରୁ ଉଭୟ ମନ୍ତ୍ରୀ ଓ ଉଚ୍ଚଶିକ୍ଷା ବିଭାଗକୁ ଧନ୍ୟବାଦ ଦେଇଥିଲେ । ଏହାପରେ ଅତିଥି ଓ ଅନ୍ୟମାନେ ଦସ୍ତଖତ ଅଭିଯାନରେ ଭାଗନେଇ ନିଜସ୍ୱ ଦସ୍ତଖତ କରିଥିଲେ । ସମସ୍ତ ଅତିଥିଙ୍କ ସମେତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ପ୍ରତିଯୋଗୀ ତଥା ଛାତ୍ରୀମାନେ ବିଶ୍ୱବିଦ୍ୟାଳୟରୁ ପଦଯାତ୍ରା ଆରମ୍ଭ କରି ବାଣୀବିହାର ଦେଇ ପୁଣି ପ୍ରତ୍ୟାବିର୍ତ୍ତନ କରିଥିଲେ । ବିଶ୍ୱବିଦ୍ୟାଳୟ ତରଫରୁ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

© 2023 Odisha Taza News.