ଗତ ୪ ବର୍ଷ ହେଲା ଚାଷୀମାନଙ୍କୁ ଇନପୁଟ ସବସିଡି ଦେଇନାହାନ୍ତି ରାଜ୍ୟ ସରକାର । ପଦ୍ମପୁର ଉପନିର୍ବାଚନକୁ ଆଖି ଆଗରେ ରଖି ୨୦୦ କୋଟି ଟଙ୍କାର ଇନପୁଟ ସବସିଡି ଘୋଷଣା କରିଥିଲେ ମଧ୍ୟ, ବର୍ତମାନ ସୁଦ୍ଧା ହିତାଧିକାରୀ ତାଲିକା ବା ସଂପୂର୍ଣ୍ଣ ତଥ୍ୟ ଦେଇନାହାନ୍ତି ରାଜ୍ୟ ସରକାର । ଫସଲ ବୀମା କଂପାନୀମାନଙ୍କ ସହ ଚଂଚକତା କରିଥିବା ରାଜ୍ୟ ସରକାରଙ୍କ କାରଣରୁ ଚାଷୀମାନେ ଚାଷ କ୍ଷୟକ୍ଷତି ମଧ୍ୟ ପାଇଲେ ନାହିଁ । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ପାଇଁ ରାଜ୍ୟ ସରକାର ବର୍ତମାନ ସୁଦ୍ଧା କେନ୍ଦ୍ରକୁ ସଠିକ ତାଲିକା ପଠାଇନାହାନ୍ତି । ୨୦୧୬ ମସିହାରେ ବରଗଡ ଜିଲ୍ଲା ସୋହେଲାଠାରେଧାନ କ୍ୱିଂଟାଲ ପିଛା ୧୦୦ଟଙ୍କା ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ସୁଦ୍ଧା ଦୀର୍ଘ ୮ବର୍ଷ ହେଲାଣି ଠକୁଛନ୍ତି ।
ଆଜି ଯେତେବେଳେ ରାଜ୍ୟର ଅଗଣିତ ଚାଷୀ ଭାଇମାନେ ଦୁଃଖ କଷ୍ଟରେ ଜୀବନଯାପନ ଅତିବାହିତ କରିବା ସହିତ ରାଜରାସ୍ତାକୁ ଆସି ନିଜ ହକ୍ ପାଇଁ ଆନ୍ଦୋଳନ କରୁଛନ୍ତି, ସେତେବେଳେ ରାଜ୍ୟ ସରକାର ଏଭଳି ସମ୍ବେଦନଶୀଳ ଘଟଣାକୁ ଅତ୍ୟନ୍ତ ହାଲୁକା ଭାବେ ନେଉଛନ୍ତି । ଶୀତକାଳିନ ବିଧାନସଭା ଅଧିବେସନରେ ଦାୟୀତ୍ୱପୂର୍ଣ୍ଣ ବିରୋଧୀ ଦଳ ଭାବେ ଏହି ପ୍ରସଙ୍ଗକୁ ଯେତେବେଳେ ବାଚସ୍ପତିଙ୍କ ଜରିଆରେ ବିଧାନସଭାରେ ଉପସ୍ଥାପନା କରିବାକୁ ଚାହିଁଲୁ, ସେତେବେଳେ ବାଚସ୍ପତି ଏହାକୁ ଅଗ୍ରାହ୍ୟ କରିଦେଲେ । ଏହା ଦ୍ୱାରା ରାଜ୍ୟ ସରକାର ଓଡିଶାବାସୀଙ୍କ ସ୍ୱରକୁ ଚାପି ଦେବାର ପ୍ରୟାସ କରୁଛନ୍ତି ଏବଂ ଏହା ଅଗଣତାନ୍ତ୍ରୀକ । ରାଜ୍ୟ ସରକାରଙ୍କ ଏଭଳି ଚାଷୀମାରଣ ମନୋଭାବ ଏବଂ ବାଚସ୍ପତିଙ୍କ ପକ୍ଷପାତିତାକୁ ନେଇ ଆଜି ଆମେ ମାନ୍ୟବର ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛୁ । ରାଜ୍ୟପାଳ ଏହି ପ୍ରସଙ୍ଗକୁ ଅତ୍ୟନ୍ତ ଗୁରୁତ୍ୱର ସହ ବିଚାର କରିବାକୁ ପ୍ରତିଶୃତି ଦେଇଛନ୍ତି ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।
ଓଡିଶାର ସବୁଠାରୁ ବଡ ବର୍ଗ ହେଉଛି କୃଷକ । ରାଜ୍ୟରେ ଅନ୍ନଦାତା କୃଷକ ଆଜି ସବୁଠାରୁ ଅଧବକ ଅବହେଳିତ । କୃଷକଙ୍କୁ ସବୁବେଳେ ପ୍ରତାରଣା କରି ଆସୁଛନ୍ତି ରାଜ୍ୟ ସରକାର । ଚାଷୀକୁ ଉନ୍ନତମାନର ବିହନ ଦେବାକୁ ଅକ୍ଷମ ରାଜ୍ୟ ସରକାର । ରାଜ୍ୟରେ ଆଳୁ ମିଶନ, ପିଆଜ ମିଶନ ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ଫେଲ ମାରିଛି । ପ୍ରାକୃତିକ ଦୁର୍ବିପାକ ହେଲେ ଚାଷୀକୁ ସହାୟତା ନଦେଇ ହତାସ କରୁଛନ୍ତି ରାଜ୍ୟ ସରକାର । ରିଲିଫ କୋର୍ଡରେ ବ୍ୟାପକ ସଂଶୋଧନ କରିବା ପାଇଁ ଚାଷୀ ସମାଜର ଦୀର୍ଘ ଦିନର ଦାବିକୁ ରାଜ୍ୟ ସରକାର ଅଣଦେଖା କରୁଛନ୍ତି । ଚାଷୀ ପଞ୍ଜିକରଣକୁ ନେଇ ସମବାୟ ବିଭାଗ ଓ ଖାଦ୍ୟ ଯୋଗାଣ ବିଭାଗ ଚଂଚକତା ଓ ଭ୍ରଷ୍ଟାଚାର କରୁଛନ୍ତି । ବ୍ୟାପକ ସାର କଳାବଜାରୀ ହେଉଛି ଏବଂ ରାଜ୍ୟ ସରକାରଙ୍କ ଆଖି ଆଗରେ କୃତ୍ରିମ ଅଭାବ ସୃଷ୍ଟି କରାଯାଉଛି । ନକଲି କୀଟନାଶକ ରାଜ୍ୟ ସାରା ବ୍ୟାପକ ଭାବେ ମିଳୁଛି ଏବଂ ଏହାକୁ ନିୟନ୍ତ୍ରଣ କରିବାକୁ ରାଜ୍ୟ ସରକାରଙ୍କ ଇଛା ଶକ୍ତି ନାହିଁ । ସମବାୟ ଋଣ ଚାଷୀକୁ ମିଳୁନାହିଁ । ଚାଷୀ ବାଧ୍ୟ ହୋଇ ମହାଜନ ବା ଗାଁରେ ଫଣ୍ଡ କରିଥିବା ମହିଳା ଗୋଷ୍ଠୀମାନଙ୍କ ଠାରୁ ଚଢ଼ା ଦରରେ ଋଣ ନେଉଛି ଏବଂ କ୍ଷତି ହେଲେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି ବୋଲି ଶ୍ରୀ ମାଝୀ କହିଛନ୍ତି ।
ସୁଚନା ଥାଉ କି, ଆଜି ବିଧାନସଭାରେ ବିରୋଧୀଙ୍କ କଥାକୁ ନଶୁଣି ବାଚସ୍ପତି ମହୋଦୟ ପବିତ୍ର ବିଧାନସଭା ଆଲୋଚନାକୁ ସ୍ଥଗିତ କରିଦେବା ପରେ ବିଧାୟକମାନେ ଚାଲି ଚାଲି ଗତ ୮ ଦିନ ଧରି ଚାଲୁଥିବା ସତ୍ୟାଗ୍ରହ ସ୍ଥଳୀକୁ ଯାଇ ଆନ୍ଦୋଳନକାରୀଙ୍କ ସହ ସାମିଲ ହୋଇଥିଲେ । ବିଧାନସଭାରେ ଚାଷୀଙ୍କ ସ୍ୱାର୍ଥ ପାଇଁ ଆମେ ଲଢେଇ ଜାରୀ ରଖିବୁ ଏବଂ ଆପଣମାନେ ବିଧାନସଭା ବାହାରେ ଲଢେଇ ଜାରୀ ରଖିବାକୁ ଶ୍ରୀ ମାଝୀ କାର୍ଯ୍ୟକର୍ତାଙ୍କୁ ଆହ୍ୱାନ ଦେଇଥିଲେ ।

© 2023 Odisha Taza News.