No Result
View All Result

୧୧ ନଭେମ୍ବର ଶୁକ୍ରବାର ( ଓଡ଼ିଶା ତାଜାନ୍ୟୁଜ)ଭୁବନେଶ୍ୱର :- ପଚାଶ ବର୍ଷ ତଳେ ପାଠ ପଢ଼ୁଥିବା ସମୟର ଅଲିଭା ସଂସ୍କୃତିକୁ ଉଜ୍ଜୀବିତ କରିଛନ୍ତି, ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । ଆଜି ପୂର୍ବାହ୍ନରେ ରାଜଧାନୀର ୟୁନିଟ୍-୨ ସ୍ଥିତ କ୍ୟାପିଟାଲ୍ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ତାଙ୍କ ପାଠପଢ଼ା ବେଳର ସଂସ୍କୃତିକୁ ଉଜାଗର କରିଛନ୍ତି ।
ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ପୂର୍ବାହ୍ନ ୯ଟା ୩୦ ମିନିଟ୍ ସମୟରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ୟୁନିଟ୍- ୨ ପରିସରରେ ପହଞ୍ଚିଥିଲେ । ତାଙ୍କ ସହ ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି ବିଦ୍ୟାଳୟ ଗସ୍ତରେ ଯାଇଥିଲେ ।
ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ, ରାଜ୍ୟ ବିଜ୍ଞାନ ଓ କାରିଗରୀ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଅଶ୍ୱଥୀ ଏସ୍, ରାଜ୍ୟ ପ୍ରକଳ୍ପ (ଓସେପା) ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହା, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ ମହାପାତ୍ର, ପୋଲିସ କମିଶନର ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରମୁଖ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କୁ ସ୍ୱାଗତ ଜଣାଇଥିଲେ ।
ବିଦ୍ୟାଳୟର ଛାତ୍ରୀମାନଙ୍କ ବ୍ୟାଣ୍ଡ ସ୍ୱାଗତ ଧ୍ୱନି ପରିବେଷଣ କରିଥିଲା । ‘ମୋ ସ୍କୁଲ’ ବାଲୁକା କଳାକୁ ରାଷ୍ଟ୍ରପତି ଉନ୍ମୋଚନ କରିଥିଲେ । ପିଲାମାନଙ୍କ ଦ୍ୱାରା ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତ ଗାନ କରାଯାଇଥିଲା । ଛାତ୍ରୀମାନେ ଜନଜାତି ନୃତ୍ୟ ପରିବେଷଣ କରିଥିଲେ । ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଜନଜାତି ନୃତ୍ୟ ପରିବେଷଣ କରିଥିବା ବିଦ୍ୟାଳୟର ଛାତ୍ରୀମାନଙ୍କ ସହ ଫଟୋ ଉଠାଇଥିଲେ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ ମାନ୍ୟବର ରାଷ୍ଟ୍ରପତିଙ୍କୁ ତାଙ୍କ ପଢ଼ୁଥିବା ବେଳର ନାମଲେଖା ରେଜିଷ୍ଟ୍ରର ଉପହାର ଦେଇଥିଲେ । ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ତାଙ୍କ ସହପାଠିନୀମାନଙ୍କ ସହ ଫଟୋ ଉଠାଇଥିଲେ ।
ସନ୍ନିକଟ କୁନ୍ତଳା କୁମାରୀ ସାବତ ଜନଜାତି ଛାତ୍ରୀନିବାସକୁ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଚାଲି ଚାଲି ଯାଇ ପରିଦର୍ଶନ କରିଥିଲେ । ହଷ୍ଟେଲର ଅନ୍ତେବାସିନୀମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ । ହଷ୍ଟେଲର ପରିଦର୍ଶକ ପୁସ୍ତିକାରେ ସେ ଦସ୍ତଖତ ଓ ମନ୍ତବ୍ୟ ପ୍ରଦାନ କରିଥିଲେ । ହଷ୍ଟେଲର ଅନ୍ତେବାସିନୀ ଛାତ୍ରୀମାନେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କୁ ତାଙ୍କ ପିଲାବେଳର ଫଟୋ ଓ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ବର୍ତ୍ତମାନର ପ୍ରତିଛବି ଉପହାର ଦେଇଥିଲେ ।
ଏହି ଛାତ୍ରୀନିବାସର ତୁଳସୀ ମୁଣ୍ଡା ବ୍ଲକ୍ର ୬ ନମ୍ବର ପ୍ରକୋଷ୍ଠରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ରହି ପାଠ ପଢ଼ୁଥିଲେ ା ସେହି ପ୍ରକୋଷ୍ଠରେ ତାଙ୍କ ହଷ୍ଟେଲ ବେଳର ଖଟରେ ରାଷ୍ଟ୍ରପତି କିଛି ସମୟ ବସିଥିଲେ । ହଷ୍ଟେଲ ପରିସରରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ବଉଳ ଗଛର ଚାରା ରୋପଣ କରିଥିଲେ । ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କାର୍ଯ୍ୟକ୍ରମ ସମାପ୍ତ ହେବା ପରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ରାଜଭବନ ପ୍ରତ୍ୟାବର୍ତ୍ତନ କରିଥିଲେ


No Result
View All Result