ରଣପୁର ବିଜେଡ଼ିର ଦଳୀୟ ଫାଟ ରେ ପ୍ୟାଚ୍ ପକାଇଲେ ବିଧାୟକ …
ଦଳରେ ରହି ଦଳ ବିରୋଧୀ କାର୍ଯ୍ୟ କରିବୁ ନାହିଁ ବୋଲି ପ୍ରତିଶୃତି ଦେଲେ ଦଳବିରୋଧୀ ନେତା … ଆଉ ବଳି ଗଲେ କିଛି ନେତା ଦେଖାଯାଉ କେବେ କରିବେ ସମର୍ଥନ
ଓଡ଼ିଶା ତାଜା ନ୍ୟୁଜ (୧୨ ଅକ୍ଟୋବର,ବୁଧବାର) ରଣପୁର :- ଆଗାମୀ ସାଧାରଣ ନିର୍ବାଚନ ପାଇଁ ରଣପୁର ରାଜନୀତି ମହଲରେ ଏବେଠୁ ଚାଲିଛି ଟଣା ଓଟରା । ବିଗତ ଦିନରେ ରଣପୁର ଏନଏସିରେ ବିଜେପି ଦଳର ଟାଣୁଆ ନେତା ତଥା କେନ୍ଦ୍ରର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଧରି ଏକ ବିଶାଳ ଜନସମାଗମ ହୋଇଥିଲା । ଏହାକୁ ବିଜେପିର ତୁଙ୍ଗ ବରିଷ୍ଠ ନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ଙ୍କ ନେତୃତ୍ୱରେ ଏହି ରାଲି ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ରଣପୁର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରେଇବାର କଥା ଉଠିଥିଲା ଏବଂ ସୁରମା ” ରୋପ୍ ୱେ ” ବାଣ ଛାଡିଥିଲେ ବିଜେଡ଼ି ନେତା ଙ୍କୁ … ଯାହାକୁ ନେଇ ବିଜେଡ଼ି ଦଳର ନେତା ମାନେ ଆତ୍ତର୍କିତ ଥିବା କଥା ଚର୍ଚ୍ଚା ହେଉଛି ।
ତେବେ ରଣପୁର ନିର୍ବାଚନ ମଣ୍ଡଳୀର ପଞ୍ଚାୟତ ନିର୍ବାଚନ ଠାରୁ ବିଜେଡ଼ି ନେତା ମାନଙ୍କ ଠାରେ ଏକ ପ୍ରକାର ଗୋଡ ଟଣାଟଣି ଲାଗି ରହିଥିବା ବେଳେ ବିଜେପି ର ଏଭଳି ବାଣ ବିଜେଡ଼ି ଦଳ ଉପରେ ଭାରି ପ୍ରଭାବ ପକାଇବ ବୋଲି ନେତାଙ୍କ ଚିନ୍ତା ବଢ଼ାଉଛି । ରାତାରାତି ବିଜେଡ଼ି ଦଳର ବରିଷ୍ଠ ତୁଙ୍ଗ ନେତା ଓ କର୍ମୀ ମାନଙ୍କୁ ଧରି ସରକାରୀ ବାସଭବନ ଠାରେ ରୁଦ୍ଧ ଦ୍ୱାର ବୈଠକ ବସାଇ ଦଳ ବିରୋଧୀ ନେତାଙ୍କୁ ତାଗିଦ୍ କଲେ ବିଧାୟକ । ପରେ ବିଜେଡି ପକ୍ଷରୁ ରଣପୁର ନିର୍ବାଚନ ମଣ୍ଡଳୀରେ ବିଶାଳକାୟ ପଦଯାତ୍ରା କରିବାର ପୂର୍ବପ୍ରସ୍ତୁତି କରାଯାଇଥିଲା । ୪ଟି ଜୋନରୁ ଦଳ ବିରୋଧୀ ନେତା ମାନଙ୍କ ଉପସ୍ଥିତି ନଥିବାରୁ ରୁଦ୍ଧଦ୍ଵାର ବୈଠକଟି ପାଣିଚିଆ ହୋଇଯାଇଥିଲା ଏବଂ ପୁନର୍ବାର ସେହି ବୈଠକଟି ରଣପୁର ବ୍ଲକ୍ ଡମସାହି ସ୍ଥିତ ପୂର୍ବତନ ଚେୟାରମ୍ୟାନ୍ ଙ୍କ ପାର୍ଟି ଅଫିସ ଠାରେ ହୋଇଯାଇଛି ।
ତେବେ ସେ ବୈଠକରେ ଦଳ ବିରୋଧୀ ହୋଇଥିବା ନେତା ମାନଙ୍କୁ ବିଧାୟକ ବୁଝାଇ ସୁଝାଇ ଦଳରେ ସନ୍ତୁଷ୍ଟ ରଖିବାର ପ୍ରୟାସ କରିଥିଲେ ହେଁ ଅନ୍ୟ କେତେକ ନେତା ବଳି ପଡ଼ିଥିବା କଥା ମଧ୍ୟ ସ୍ପଷ୍ଟ ବାରି ହେଉଛି । ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ପଞ୍ଚାୟତ ନିର୍ବାଚନରେ ହାତରୁ ଖସି ଯାଇଥିବା ଗୋପାଳପୁର ଜୋନକୁ ପ୍ରଥମେ ଟାର୍ଗେଟ କରାଯିବ ବୋଲି ବିଧାୟକଙ୍କ ରୁଦ୍ଧଦ୍ଵାର ବୈଠକରୁ ଜଣାପଡିଛି । ବିଜେପି ସପକ୍ଷରେ ଥିବା ଗୋପାଳପୁର ପଞ୍ଚାୟତକୁ ନିଜ ଅକ୍ତିଆର କୁ ଆଣିବାର ସୁଚରିତ ଯୋଜନା ପ୍ରସ୍ତୁତ କରିଛି ଦଳ । ଆଗାମୀ ସାଧାରଣ ନିର୍ବାଚନ ପାଇଁ ଏପଟେ ବିଧାୟକ କର୍ମୀ ମାନଙ୍କୁ ଧରି ମାନସ ମନ୍ଥନ ଆରମ୍ଭ କରିଦେଇଥିଲେ ମଧ୍ୟ ସେପଟେ ବିରୋଧୀ ବିଜେପି ନେତା ଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ଓ ସୁରମା ଛାଡିଥିବା ନିଆଁ ବାଣ ବିଧାୟକଙ୍କୁ ଖୁବ୍ ବ୍ୟଥିତ କରିପକାଇଛି ।
ପୂର୍ବରୁ ଦଳରେ ହୀନ ରାଜନୀତି କରି ନେତା ଓ କର୍ମୀ ଙ୍କ ମଧ୍ୟରେ ବିଶୃଙ୍ଖଳା ସୃଷ୍ଟି କରାଇଥିବା ଦଳୀୟ ନେତା ବିଧାୟକ ଙ୍କ ତାଗିଦ୍ ପୂର୍ଣ୍ଣ ବାଣୀ ଶୁଣି ନିଜ ସ୍ବାର୍ଥ ଛାଡ଼ି ଦଳ ପାଇଁ କାର୍ଯ୍ୟ କରୁଛନ୍ତି ନା ଦଳରେ ରହି ନେତା ଙ୍କ ଗୋଛି କାଟୁଛନ୍ତି ଦେଖିବାକୁ ବାକି ରହିଲା । ଆଗକୁ ବିଜେଡ଼ି ଦଳର ବିଶୃଙ୍ଖଳାରେ ବିଧାୟକ କିଛି ସୁଧାର ଆଣି ପାରୁଛନ୍ତି ନା ଦୁଇ ବିରାଡ଼ି କଳିରେ ମାଙ୍କଡ ର ଲାଭ ହେଲା ଭଳି ପରିସ୍ଥିତି ଉପୁଜୁଛି ଆଗାମୀ ଭବିଷ୍ୟତରେ ତାହା ଜଣାପଡ଼ିବ ।















