No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୧ ଅକ୍ଟୋବର,ମଙ୍ଗଳବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ମୋହନା ସହରରେ ପଲିଥିନର ବହୁଳ ବ୍ୟବହାର ଯୋଗୁଁ ଦିନକୁ ଦିନ ପରିବେଶ ନଷ୍ଟ ହେବାରେ ଲାଗିଛି। ଏନେଇ ପ୍ରଶାସନ ପକ୍ଷରୁ ସଚେତନତା ଓ ଚଢ଼ଉ କରାଯାଉ ନାହିଁ କି ବ୍ୟବସାୟୀ କିମ୍ବା ଗ୍ରାହକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହେଉନି। ମୋହନା ଓ ଏହାର ଆଖପାଖ ଅଞ୍ଚଳରେ ବହୁ ବ୍ୟବସାୟୀ ପ୍ଳାଷ୍ଟିକ ଗ୍ଳାସ, ପ୍ଳେଟ ଓ ପଲିଥିନ ବହୁଳ ମାତ୍ରାରେ ବ୍ୟବହାର କରୁଛନ୍ତି। ଦୋକାନୀମାନେ ଖୁଲମଖୋଲା ଚଢ଼ା ଦରରେ ପଲିଥିନ ବିକ୍ରୀ କରୁଛନ୍ତିି। ସହର ଓ ଗ୍ରାମାଞ୍ଚଳର ଚାରିଆଡ଼େ ଅଳିଆ ଆବର୍ଜ୍ଜନାରେ ପ୍ଳାଷ୍ଟିକ ଗ୍ଳାସ, ପ୍ଳେଟ, କପ ଓ ପଲିଥିନ ମାସ ମାସ ଧରି ଜମା ହୋଇ ପଡି ରହୁଛି । ଯାହାଫଳରେ ଡେଙ୍ଗୁମଶା ଓ ମାଛିଙ୍କର ପ୍ରାର୍ଦୁଭାବ ବଢିବାରେ ଲାଗିଛି। ଏ ବିଷୟରେ ଯେତେ ସଚେତନ କରାଗଲେ ମଧ୍ୟ କିଛି ସୁଫଳ ମିଳୁନାହିଁ।
ପ୍ରଶାସନ ପକ୍ଷରୁ ଚଢ଼ଉ ମଧ୍ୟ କରାଯାଉନାହିଁ।ମୋହନା ସମେତ ଏହାର ଆଖପାଖ ଗ୍ରାମ ଗୁଡିକରେ ଅବାଧରେ ବିନା କଟକଣାରେ ଖୋଲାଖୋଲି ଭାବେ ପଲିଥିନ ବିକ୍ରି ହେଉଛି। ସହରରେ ମାଛ, ମାଂସ, ପରିବା, ରାସନ ସାମଗ୍ରୀ ଆଦି ଦୋକାନ ଠାରୁ ଆରମ୍ଭ କରି ପ୍ରତ୍ୟେକ ଦୋକାନରେ ପଲିଥିନର ବହୁଳ ବ୍ୟବହାର ହେଉଛି। ମୋହନା ମୁଖ୍ୟ ସଡ଼କ ସମେତ ସାହି, ଗଳି, କନ୍ଦି, ବିଦ୍ୟାଳୟ, ସ୍ୱାସ୍ଥ୍ୟକେନ୍ଦ୍ର, ହୋଟେଲ, ଖେଳ ପଡିଆ,ବସଷ୍ଟାଣ୍ଡ, ଆଦି ସ୍ଥାନରେ କୁଢ଼ କୁଢ଼ ପଲିଥିନ ପଡିଥିବା ଦେଖିବାକୁ ମିଳୁଛି।ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଏହି କାରବାର ଓ ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି। ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ବୁଦ୍ଧିଜୀବି ମହଲରେ ଦାବି ହେଉଛି।


No Result
View All Result