ଓଡ଼ିଶା ତାଜା ନ୍ୟୁଜ (୨୮ ସେପ୍ଟେମ୍ବର ବୁଧବାର ) ଭୁବନେଶ୍ୱର :- ୨୦୨୨ ଉନ୍ନତ ମାନର ବିହନ ବ୍ୟବହାର ଦ୍ୱାରା ଉତ୍ପାଦନ ବୃଦ୍ଧି ପାଉଥିବାରୁ ଓଡ଼ିଶା ରାଜ୍ୟ ବିହନ ନିଗମ ଦ୍ୱାରା ଉତ୍ପାଦିତ ଉନ୍ନତ ମାନର ପ୍ରମାଣିତ ବିହନ ଚାଷୀମାନଙ୍କୁ ଠିକ୍ ସମୟରେ ଯୋଗାଇଦେବାକୁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆଜି କୃଷି ଭବନଠାରେ ଆୟୋଜିତ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଓଡ଼ିଶା ରାଜ୍ୟ ବିହନ ନିଗମର କାର୍ଯ୍ୟକ୍ରମର ସମୀକ୍ଷା କରିବା ଅବସରରେ ଉନ୍ନତ ମାନର ଧାନ ଓ ଅଣଧାନ ବିହନ ଡାଲି,
ତୈଳବୀଜ, ପନିପରିବା ଆଦି ବିହନ ଉତ୍ପାଦନ ଉପରେ ଗୁରୁତ୍ୱ ଦେଇଥିଲେ । ଏଥି ସହିତ ନିଗମ ଦ୍ୱାରା ଅଧିକ ପରିମାଣର ଫାଉଣ୍ଡେସନ୍ ସିଡ୍ର ଉତ୍ପାଦନର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ । କୃଷକମାନେ ଆବଶ୍ୟକ କରୁଥିବା ବିହନର କିସମର ଚାହିଦାକୁ ଅନୁଧ୍ୟାନ କରି ବିହନ ଉତ୍ପାଦନ କରିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଥିଲେ । ରାଜ୍ୟରେ ଅଧିକ ପରିମାଣର ହାଇବ୍ରିଡ୍ ବିହନ ଉତ୍ପାଦନ କରିବା ଓ ଏ ଦିଗରେ ଥିବା ସମସ୍ୟାର ସମାଧାନ ଦିଗରେ ଏକ କାର୍ଯ୍ୟଖସଡ଼ା ଆଗାମୀ ୬ ସପ୍ତାହ ମଧ୍ୟରେ ପ୍ରସ୍ତୁତ କରିବା ପାଇଁ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିହନ ପ୍ରତିବଦଳ ଦ୍ୱାରା ଉତ୍ପାଦନ ହାର ବୃଦ୍ଧି ପାଉଥିବା ଦୃଷ୍ଟିରୁ ବିହନ ପ୍ରତିବଦଳ ହାର ବୃଦ୍ଧି ଉପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗୁରୁତ୍ୱାରୋପ କରିଥିଲେ ।
ଓଡ଼ିଶା ରାଜ୍ୟ ବିହନ ନିଗମ ଦ୍ୱାରା ପ୍ରସ୍ତୁତ ବିହନ ବିଭିନ୍ନ ପ୍ୟାକ୍ସ/ଲ୍ୟାମ୍ପସ୍ ଏବଂ ବେସରକାରୀ ଡିଲରମାନଙ୍କ ଦ୍ୱାରା ଚାଷୀମାନଙ୍କୁ ବିକି୍ର କରାଯିବାର ବ୍ୟବସ୍ଥା ଥିବାବେଳେ କୌଣସି ଅସାଧୁ ବ୍ୟବସାୟୀଙ୍କ ଦ୍ୱାରା ନିମ୍ନ ମାନର ବିହନ ଯେପରି ବିକି୍ର ନହୁଏ, ସେଥିପ୍ରତି ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଓ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ । ବିହନ ବିକ୍ରି ବ୍ୟବସ୍ଥାରେ ଚାଷୀମାନଙ୍କୁ ଡିବିଟି ବ୍ୟବସ୍ଥାରେ ରିହାତି ହସ୍ତାନ୍ତରଣ ବ୍ୟବସ୍ଥା ଥିବାବେଳେ ରବି ଋତୁ ନିମନ୍ତେ ଓଟିପି ବ୍ୟବସ୍ଥା ସଂପର୍କରେ ଚାଷୀମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି ଉପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗୁରୁତ୍ୱାରୋପ କରିଥିଲେ ।
ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଓଡ଼ିଶା ରାଜ୍ୟ ବିହନ ନିଗମକୁ ଅଧିକ କ୍ରିୟାଶୀଳ କରାଯାଉଛି ବୋଲି କହିଥିଲେ । ବୈଠକରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା, ଓଡ଼ିଶା ରାଜ୍ୟ ବିହନ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଜ୍ୟୋତି ମିଶ୍ର, ଓସୋପୋକାର ନିର୍ଦ୍ଦେଶକ, ଇମେଜର ନିର୍ଦ୍ଦେଶକ, ଓୟୁଏଟିର ବିଶେଷଜ୍ଞଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।















