
ଓଡ଼ିଶା ତାଜା ନ୍ୟୁଜ (୨୪ ସେପ୍ଟେମ୍ବର ଶନିବାର) ଭୁବନେଶ୍ୱର :- କଷ୍ଟଲବ୍ଧ ସ୍ୱାଧୀନତା, ଅହିଂସା ଓ ତି୍ରରଙ୍ଗାର ମହତ୍ୱକୁ ଲୋକଙ୍କଠାରେ ପୁନଃଜାଗ୍ରତ କରିଛି ଅହିଂସା ରଥ । ରାଜ୍ୟର ସମସ୍ତ ଜିଲ୍ଲା ପରିକ୍ରମା କରିବ ଅହିଂସା ରଥ । ଇତି ମଧ୍ୟରେ ଅହିଂସା ରଥ ୨୫ ଜିଲ୍ଲା ପରିକ୍ରମା କରି ଆଜି ଦ୍ୱିତୀୟ ଦିବସରେ ଗଞ୍ଜାମ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ପରିକ୍ରମା କରୁଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସାରା ରାଜ୍ୟରେ ୪ଟି ଅହିଂସା ରଥ ବୀରପୁତ୍ରମାନଙ୍କ ତ୍ୟାଗ ଓ ଆତ୍ମୋତ୍ସର୍ଗର ବାର୍ତ୍ତା ବହନ କରି ପୁରପଲ୍ଲୀରୁ ସହର, ସହରରୁ ଗ୍ରାମ ଓ ଗ୍ରାମରୁ ଗ୍ରାମ ପରିକ୍ରମା କରିଚାଲିଛି । ଆଜି ଗୋଟିଏ ଅହିଂସା ରଥ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ, ଆସ୍କା, ଧରାକୋଟରେ ପରିକ୍ରମା କରିଥିବାବେଳେ ଅନ୍ୟ ରଥଟି ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ପରିକ୍ରମା କରିଥିଲା ।
ବ୍ରହ୍ମପୁରଠାରେ ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଡେପୁଟି ମେୟର ଭି. ବିବେକ ରେzୀ, ଡେପୁଟି କମିଶନର ନୀଳ ମାଧବ ଭୋଇ, ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା, ଛାତ୍ରଛାତ୍ରୀ ମହା ଆଡମ୍ବର ସହକାରେ ଅହିଂସା ରଥକୁ ସ୍ୱାଗତ କରିଥିଲେ । ମଣ୍ଡଳ କାରାଗାର ପରିସରରେ ଥିବା ଶହୀଦ୍ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ଅତିଥିଗଣ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଭକ୍ତିପୂତ ଶ୍ରଦ୍ଧାଞ୍ଜଳିି ଜ୍ଞାପନ କରିଥିଲେ । ବ୍ରହ୍ମପୁର ଶିଳ୍ପ ତାଲିମ କେନ୍ଦ୍ର ଠାରେ ବିପୁଳ ଜନସମାଗମ ସହ ରଥଟିକୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।
ସେଠାରେ ଏକ ସାଧାରଣ ସଭା ଆୟୋଜନ କରି ମାନ୍ୟବର ସାଂସଦ ଶ୍ରୀ ସାହୁ ଦେଶର ପ୍ରଗତିରେ ଅହିଂସା ହେଉଛି ମୂଳମନ୍ତ୍ର ବୋଲି କହିବା ସହ ଅହିଂସା ନୀତି ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ । ଶାଶ୍ୱତୀ କଳା ଅନୁଷ୍ଠାନ ତରଫରୁ ଏକ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା ା ପରେପରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଠାରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଉତ୍ସାହର ସହ ଜାତୀୟ ପତାକା ସହିତ ଅହିଂସା ରଥକୁ ସ୍ୱାଗତ କରାଯାଇଥିଲା । ଖଲ୍ଲିକୋଟ କଲେଜ ଖେଳପଡିଆ ଠାରେ ଏଲ୍.ଇ.ଡି. ଭ୍ୟାନ୍ ରେ ଶହୀଦ୍ ଲକ୍ଷ୍ମଣ ନାଯକଙ୍କ ଜୀବନୀ ଉପରେ ଏକ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା ।
ମଧୁଭବନ ଓ ବାରାକ୍ସ ଠାରେ ରଥକୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଗାନ୍ଧିନଗର ଛକ ଠାରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମେୟର ଶ୍ରୀମତୀ ଦଳେଇ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ପରେ ଆସ୍କା ରୋଡ୍, ରାମ ଲିଙ୍ଗମ୍ ଟ୍ୟାଙ୍କ ଏବଂ ଟାଉନ୍ ହଲ୍ ଠାରେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା । ଅନ୍ୟ ଅହିଂସା ରଥଟି ହିଞ୍ଜିଳି ଠାରେ ପହଞ୍ଚିବା ପରେ ଏକ ବିରାଟ ଶୋଭାଯାତ୍ରାରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ବ୍ଲକ୍ ଅଧ୍ୟକ୍ଷା ସରସ୍ୱତୀ ସେଠୀ, ମ୍ୟìନିସିପାଲିଟି ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ପଲେଇ, ବ୍ଲକ୍ ଉପାଧ୍ୟକ୍ଷ ସୁନୀଲ କୁମାର ଗନ୍ତାୟତ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା, ତହସିଲଦାର ପ୍ରଭାତ କୁମାର ପରିଡା,
କାର୍ଯ୍ୟ ନିର୍ବାହୀ ଅଧିକାରୀ ମନୋରଞ୍ଜନ ସାହୁ, ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟା, ଛାତ୍ରଛାତ୍ରୀ ଅହିଂସା ରଥକୁ ବିପୁଳ ଉତ୍ସାହର ସହ ସ୍ୱାଗତ କରିଥିଲେ ା ଉଭୟ ରଥ ପରିଭ୍ରମଣ ସମୟରେ ଜନସାଧାରଣଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ, ଉଦ୍ଦୀପନା ଦେଖାଦେବା ସହ ହଜାର ହଜାର ଜନତା ଶୋଭାଯାତ୍ରାରେ ସାମିଲ ହୋଇ ସତ୍ୟ, ଶାନ୍ତି ଓ ନ୍ୟାୟର ମାର୍ଗ ତଥା ଅହିଂସା ଧର୍ମ ପ୍ରତି ସମ୍ମାନ ପ୍ରଦର୍ଶନ କରିଛନ୍ତି ା ଆଜି ଅହିଂସା ରଥ କେନ୍ଦ୍ରାପଡ଼ା ଜିଲ୍ଲାର ୫ଟି ବ୍ଲକ୍ ଓ ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ପରିକ୍ରମା କରିଛି । ପଟ୍ଟାମୁଣ୍ଡାଇ ବ୍ଲକ୍ର ଏମ୍.ଏନ୍. ଉଚ୍ଚବିଦ୍ୟାଳୟ ଓ ପି.ଏଲ୍. ବିଦ୍ୟାପୀଠରେ ଭିଡ଼ିଓ ସୋ ପ୍ରଦର୍ଶନ ସହ ଅହିଂସା ନୀତି ଓ ଗାନ୍ଧୀବାଦର ପ୍ରଚାର କରିବା ପରେ ରାଜନଗର ବ୍ଲକ୍ ଅନ୍ତର୍ଗତ ଏସ୍.ବି. ଗୋପାଳପୁରର ଗାନ୍ଧୀ ପାର୍କ,
ରାଜନଗର ଉଚ୍ଚବିଦ୍ୟାଳୟ, ମହିସାସୁର ଓ ହାତିନା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଭିଡ଼ିଓ ସୋ ପ୍ରଦର୍ଶିତ ହୋଇଥିଲା । ରାଜନଗର ହାଇସ୍କୁଲଠାରେ ଏକ ସଭା ଆୟୋଜିତ ହୋଇଥିଲା । ଏହି ସଭାରେ ବ୍ଲକ୍ ପ୍ରଶାସନର କର୍ମଚାରୀମାନଙ୍କ ସହ ବିଡ଼ିଓ, ବ୍ଲକ୍ ଅଧ୍ୟକ୍ଷ/ଉପାଧ୍ୟକ୍ଷ ଓ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ । ଅନ୍ୟ ଏକ ରଥ ଗରଦପୁର, ମାର୍ଶାଘାଇ, ମହାକାଳପଡ଼ା ବ୍ଲକ୍ର ଜୟରାମ ହାଇସ୍କୁଲ, ମାହାଳ, ଗରଦପୁର ବ୍ଲକ୍ ପରିସର, ମାର୍ଶାଘାଇ କଲେଜ, ମହାକାଳପଡ଼ା ବ୍ଲକ୍ ପରିସର, ବାଲିଗୁଡ଼ା ଛକ, ଛପାଲି ବଜାର, ରାମନଗର ବଜାରରେ ପରିକ୍ରମା କରିବା ସହ ଏହିସବୁ ସ୍ଥାନରେ ଭିଡ଼ିଓ ସୋ ପ୍ରଦର୍ଶିତ ହୋଇଥିଲା । ଆଜି ରଥ ପରିକ୍ରମା ସମୟରେ ସମସ୍ତ ସ୍ଥାନମାନଙ୍କରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ ଓ ବହୁସଂଖ୍ୟକ ଜନସାଧାରଣ ଉପସ୍ଥିତ ଥିଲେ ।
© 2023 Odisha Taza News.