No Result
View All Result
୧ମ ପର୍ଯ୍ୟାୟର ଶତପ୍ରତିଶତ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପୂର୍ଣ୍ଣାଙ୍ଗ ,୧୭୫୨ କୋଟି ଟଙ୍କାର ୬ ଟି ନୂଆ ପ୍ରକଳ୍ପ ମଂଜୁର
ଅଧିକ ଜୀବିକାନିର୍ବାହ ଓ କୌଶଳ ବିକାଶ ପ୍ରକଳ୍ପ ସାମିଲ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ
ଓଡ଼ିଶା ତାଜା ନ୍ୟୁଜ (୨୫ ଅଗଷ୍ଟ ଗୁରୁବାର) ଭୁବନେଶ୍ୱର :- ଓଡ଼ିଶା ଖଣିଜ ଅଂଚଳ ବିକାଶ (ଓମ୍ବାଡ୍ସି) ପାଣ୍ଠିରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡିକରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ ହୋଇଛି । ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ ଶେଷ ହୋଇ ଲୋକଙ୍କ ଆବଶ୍ୟକତା ପୁରଣ କରୁଥିବାରୁ ଏହି ପ୍ରକଳ୍ପଗୁଡିକ ମଧ୍ୟ ବେଶ୍ ଲୋକପ୍ରିୟ ହୋଇଛି । ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଓମ୍ବାଡ୍ସିର ନିର୍ଦ୍ଦେଶକ ପରିଷଦ ବୈଠକର ଆଲୋଚନାରୁ ଏହା ଜଣାପଡିଛି । ରାଜ୍ୟ ଲୋକସେବା ଭବନରୁ ଡ଼ିଜିଟାଲ୍ ମୋଡ୍ରେ ଅନୁଷ୍ଠିତ ଏହି ବୈଠକରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଭାରପ୍ରାପ୍ତ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ପ୍ରକଳ୍ପଗୁଡିକର କାର୍ଯ୍ୟାନ୍ୱୟନ ସମ୍ବନ୍ଧିତ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ ଏବଂ ଓମ୍ବାଡ୍ସିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଜି.ରାଜେଶ ପ୍ରକଳ୍ପଗୁଡିକର ସଦ୍ୟତନ ତଥ୍ୟ ସହ ବିଭିନ୍ନ ବିଭାଗରୁ ମିଳିଥିବା ନୂଆ ପ୍ରକଳ୍ପଗୁଡିକ ଉପସ୍ଥାପନ କରିଥିଲେ ।
ପ୍ରସ୍ତାବିତ ପ୍ରକଳ୍ପଗୁଡିକର ଜନସାଧାରଣଙ୍କ ନିମନ୍ତେ ଆବଶ୍ୟକତା ଏବଂ ପରିବେଶ ଅନୁକୂଳତା ଆଦିକୁ ବିଚାରକରି ସମୁଦାୟ ୬ ଟି ପ୍ରକଳ୍ପକୁ ଶ୍ରୀ ମହାପାତ୍ର ଅନୁମୋଦନ ଦେଇଥିଲେ । ଏହିସବୁ ପ୍ରକଳ୍ପ ପାଇଁ ପ୍ରାୟ ୧,୭୫୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା । ଅଧିକ ସଂଙ୍ଖ୍ୟାରେ ଜୀବିକା ନିର୍ବାହ କୌଶଳ ବିକାଶ ଏବଂ ନୂଆ ଆୟ ପନ୍ଥା ସମ୍ବନ୍ଧିତ ପ୍ରକଳ୍ପ ସୁପାରିଶ କରିବା ପାଇଁ ମୁଖ୍ୟ ଶାସନ ସଚିବ ବିଭିନ୍ନ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । କୌଶଳ ବିକାଶ ବିଭାଗ ସହଭାଗିତାରେ ଖଣି କାର୍ଯ୍ୟ ପ୍ରଭାବିତ ଅଂଚଳର ଯୁବକ ଯୁବତୀମାନଙ୍କ ନିମନ୍ତେ ବିଭିନ୍ନ ପ୍ରକାର କୌଶଳ ବିକାଶ ପ୍ରକଳ୍ପ ଆରମ୍ଭ କରିବା ପାଇଁ ମଧ୍ୟ ଶ୍ରୀ ମହାପାତ୍ର ନିଗମକୁ ନିର୍ଦ୍ଦେଶ ଦେଇଥିଲେ ।
ବୈଠକରେ ଅନୁମୋଦିତ ହୋଇଥିବା ପ୍ରକଳ୍ପଗୁଡିକ ମଧ୍ୟରେ ମୁଖ୍ୟତଃ କେନ୍ଦୁଝର, ମୟୁରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାର ୩୬ ଟି ବ୍ଲକ୍ ପାଇଁ ପ୍ରାକୃତିକ କୃଷି ପ୍ରକଳ୍ପ ରହିଛି ।
ଏହି ପ୍ରକଳ୍ପ ମାଧ୍ୟମରେ କୃଷି କ୍ଷେତ୍ରରେ ବର୍ଷସାରା ଫସଲ ଉତ୍ପାଦନ ହେବ ଏବଂ କୃଷକ ତାହା ପର୍ଯ୍ୟାୟକ୍ରମେ ଅମଳ କରିବେ । ଏଥିରେ ପ୍ରାୟ ୨୫୦.୭୨ କୋଟି ଟଙ୍କା ବିନିଯୋଗ ହେବ ଏବଂ ୨.୪୯ ଲକ୍ଷ କୃଷକ ପରିବାର ଉପକୃତ ହେବେ । ଦ୍ୱିତୀୟ ଅନୁମୋଦିତ ପ୍ରକଳ୍ପ ହେଲା ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ ୭୮୭ ଟି ଗ୍ରାମ ପାଇଁ ପ୍ରାୟ ୮୫୬.୮୭ କୋଟି ଟଙ୍କା ବିନିଯୋଗରେ ପାନୀୟ ଜଳଯୋଗାଣ ପ୍ରକଳ୍ପ । ଅନ୍ୟ ଅନୁମୋଦିତ ପ୍ରକଳ୍ପଗୁଡିକ ହେଲା ମୟୁରଭଞ୍ଜ ଓ କେନ୍ଦୁଝରରେ ସମନ୍ୱିତ ପୁନଃଥଇଥାନ କେନ୍ଦ୍ର ପ୍ରତିଷ୍ଠା ( ୧୦୬.୩୬ କୋଟି ଆକଳନ ମୂଲ୍ୟ ), କେନ୍ଦୁଝର ଜିଲ୍ଲାର ୨୩ ଟି ଗ୍ରାମ ପାଇଁ ସବୁଦିନିଆ ରାସ୍ତା ସଂଯୋଗ ( ୧୯.୬୪ କୋଟି ଆକଳନ ମୂଲ୍ୟ ), ମୟୁରଭଞ୍ଜ ସ୍ଥିତ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଭିତ୍ତିଭୂମି ଉନ୍ନୟନ (୨୯ କୋଟି ଆକଳନ ), ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷାର ବିକାଶ (୪୮୯.୫୩ କୋଟି ଆକଳନ ମୂଲ୍ୟ ) ।
ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ରାଜେଶ ଜଣାଇଥିଲେ ଯେ ଓମ୍ବାଡ୍ସିକୁ ପ୍ରଥମ ପର୍ଯ୍ୟାୟରେ ଆଡ୍ହକ୍ କାମ୍ପା ବାବଦରେ ୮୬୯.୪୨ କୋଟି ଟଙ୍କା ମିଳିଥିଲା । ସେଥିରୁ ୪୦୨.୦୩ କୋଟି ଟଙ୍କା ବିନିଯୋଗରେ ୨୯୮୨୯ ପରିବାର ପାଇଁ ପକ୍କାଘର ନିର୍ମାଣ, ୬୧୮.୫୯ କୋଟି ବିନିଯୋଗରେ ୨୧୫ ଟି ପାଇପ୍ଜଳ ଯୋଗାଣ, ୫୬.୦୬ କୋଟି ଟଙ୍କା ବିନିଯୋଗରେ ବନାୟନ, ମୁର୍ତ୍ତିକା ଓ ଆର୍ଦ୍ରତା ସଂରକ୍ଷଣ, ୨.୦୪ କୋଟି ଟଙ୍କା ବିନିଯୋଗରେ ଖଣି କାର୍ଯ୍ୟ ପ୍ରଭାବିତ ୬୯୧ ଟି ଗ୍ରାମର ଆଦିବାସୀ ଯୁବବର୍ଗ ପାଇଁ କୌଶଳ ବିକାଶ ଆଦି ପ୍ରକଳ୍ପ କରାଯାଇଛି । ବର୍ତ୍ତମାନ ସୁଦ୍ଧା ସମସ୍ତ ପାଇପ୍ ଜଳ ଯୋଗାଣ, ପକ୍କାଘର ନିର୍ମାଣ ଏବଂ ବନାୟନ ପ୍ରକଳ୍ପ ଶତ ପ୍ରତିଶତ ପୂର୍ଣ୍ଣାଙ୍ଗ ହୋଇଛି । କୌଶଳ ବିକାଶ ପ୍ରକଳ୍ପରେ ୮୦ ପ୍ରତିଶତରୁ ଉର୍ଦ୍ଧ୍ୱ ସଫଳତା ହାସଲ ହୋଇଛି ।
ସେହିପରି ୨ୟ ପର୍ଯ୍ୟାୟରେ କ୍ଷତିପୂରକ ପାଣ୍ଠିଭାବେ ସୁଧସହ ମିଶାଇ ଓମ୍ବାଡ୍ସି ପାଇଁ ୧୯,୮୨୩ କୋଟି ଟଙ୍କାର ପାଣ୍ଠି ସୃଷ୍ଟି ହୋଇଛି । ସେଥିରୁ ୧୬ ଟି ବିଭାଗ ମାଧ୍ୟମରେ ଆସିଥିବା ପ୍ରାୟ ୧୫,୮୭୧ କୋଟି ଟଙ୍କା ମୂଲ୍ୟର ୪୭ ଟି ପ୍ରକଳ୍ପ ପୂର୍ବରୁ ମଂଜୁର କରାଯାଇଥିଲା । କ୍ଷେତ୍ରସ୍ତରରେ ଏହିସବୁ ପ୍ରକଳ୍ପ ତ୍ୱରାନ୍ୱିତ ଗତିରେ କାର୍ଯ୍ୟାନ୍ୱୟନ କରାଯାଉଛି । ଏହିସବୁ ପ୍ରକଳ୍ପ ମୁଖ୍ୟତଃ ପାନୀୟ ଜଳ ଯୋଗାଣ, ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା ବୃଦ୍ଧି, ପରିବେଶ ବିକାଶ, ଗ୍ରାମୀଣ ରାସ୍ତା ସଂଯୋଗୀକରଣ ଏବଂ ଜଳ ସଂରକ୍ଷଣ ବିଷୟ ଅନ୍ତର୍ଗତ । ଆଜିର ବୈଠକରେ ନୂଆ ୬ ଟି ପ୍ରକଳ୍ପ ପାଇଁ ବର୍ତ୍ତମାନ ୧,୭୫୨ କୋଟି ଟଙ୍କାର ମଂଜୁର କରାଯାଇଛି । ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା, ଖଣି ଓ ଇସ୍ପାତ୍ ପ୍ରମୁଖ ଶାସନ ସଚିବ ଶ୍ରୀ ଦେଓ ରଂଜନ କୁମାର ସିଂ, ପଂଚାୟତି ରାଜ ଓ ପାନୀୟ ଜଳ ପ୍ରମୁଖ ଶାସନ ସଚିବ ଶ୍ରୀ ଅଶୋକ କୁମାର ମୀନା, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଶ୍ରୀ ଦେବିଦତ୍ତ ବିଶ୍ୱାଳଙ୍କ ସମେତ ଭାରତ ସରକାର ଏବଂ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ ବୋର୍ଡର ନିର୍ଦ୍ଦେଶକମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଉମାକାନ୍ତ ମହାପାତ୍ର, ସୂଚନା ଅଧିକାରୀ, ମୁଖ୍ୟ ଶାସନ ସଚିବ

No Result
View All Result