No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୦୪ ଜୁନ ଶନିବାର/ ଭୁବନେଶ୍ୱର :- ପଞ୍ଚମ ପାଳି ସରକାରର ତୃତୀୟ ବର୍ଷ ପୂରଣ ପରେ ନବୀନଙ୍କ ନୂଆ ଷ୍ଟାଇଲକୁ ନେଇ ଜୋରଦାର ଚର୍ଚ୍ଚା । ଓଡ଼ିଶା ରାଜନୀତିକ ଇତିହାସରେ ଆଉ ଏକ ନୂଆ ଘଟଣା ଦେଖିବାକୁ ମିଳିଛି । ଶନିବାର ଦିନ ରାଜ୍ୟ ମନ୍ତ୍ରିମଣ୍ଡଳର ସମସ୍ତ ମନ୍ତ୍ରୀ ଏକକାଳୀନ ଭାବେ ଇସ୍ତଫା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସମସ୍ତ ୨୦ ଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ବିଜୁ ଜନତା ଦଳର ୨୨ ବର୍ଷର ଶାସନ କାଳ ଭିତରେ ଏଭଳି ଘଟଣା ପ୍ରଥମ ହୋଇଥିବାରୁ ଏହାକୁ ନବୀନଙ୍କ ନୂଆ ଷ୍ଟାଇଲ କୁହାଯାଉଛି । ତେବେ ଏହା ପଛରେ କ’ଣ ସଙ୍କେତ ରହିଛି ତାହା ଆସନ୍ତାକାଲି ଦିନ ୧୧ଟା ୩୦ରେ ଜଣାପଡ଼ିବ।
୨୦୧୯ରେ ଲଗାତାର ପଞ୍ଚମ ମଥର ପାଇଁ ସରକାର ଗଠନ କରିଥିଲା ବିଜେଡି । ନବୀନ ପଟ୍ଟନାୟକ ମଧ୍ୟ ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୨୦୧୯ ମେ’ ୨୯ ତାରିଖରେ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜିତ ଭବ୍ୟ ଶପଥ ଗ୍ରହଣ ଉତ୍ସବରେ ନବୀନ ମୁଖ୍ୟମନ୍ତ୍ରୀ ଭାବେ ଶପଥପାଠ କରିବା ସହ ଅନ୍ୟ ୨୦ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଥିଲେ ।
ଫାଇଲ ଫଟୋ ଇତି ମଧ୍ୟରେ ନବୀନଙ୍କ ପଞ୍ଚମ ପାଳି ସରକାରକୁ ୩ ବର୍ଷ ପୂରଣ ହୋଇଛି । ଏହି ଅବଧି ଭିତରେ ସରକାର ଅନେକ ଘଟଣା ଦୁର୍ଘଟଣାକୁ ସାମ୍ନା କରିଛନ୍ତି । ତେଣୁ ମନ୍ତ୍ରିମଣ୍ଡଳ ଅଦଳ ବଦଳ ନେଇ ଅନେକ ଦିନ ହେଲା ଚର୍ଚ୍ଚା ହୋଇ ଆସୁଥିଲା । ହେଲେ ବିଭିନ୍ନ କାରଣରୁ ତାହା ହୋଇପାରି ନଥିଲା ।
ଗତ ମେ’ ୩ ତାରିଖରେ ବ୍ରଜରାଜନଗର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ୬୫ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ବିରୋଧୀ କଂଗ୍ରେସ ଏବଂ ବିଜେପି ଏହି ଉପନିର୍ବାଚନରେ ଭଲ ପ୍ରଦର୍ଶନ କରିବାରେ ଫେଲ୍ ମାରିଛନ୍ତି । ବ୍ରଜରାଜନଗର ଉପନିର୍ବାଚନ ଫଳାଫଳକୁ ନେଇ ବିଜେଡି ଶିବିର ଉତ୍ସାହିତ ରହିଛି । ତେଣୁ ଏହି ଉପନିର୍ବାଚନ ଫଳ ଆସିବାର ଗୋଟିଏ ଦିନ ପରେ ରାଜ୍ୟ ମନ୍ତ୍ରିମଣ୍ଡଳ ଅଦଳ ବଦଳ ହେବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ।
କୁହାଯାଉଛି ଯେ, ୪ ତାରିଖ ସକାଳେ ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ସମସ୍ତ ମନ୍ତ୍ରୀଙ୍କୁ ଫୋନ ଆସିଥିଲା ଏବଂ ସେମାନଙ୍କୁ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ଆଧାରରେ ସମସ୍ତ ମନ୍ତ୍ରୀ ନିଜ ନିଜ ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇ ଦେଇଛନ୍ତି । ୨୦୨୪ରେ ହେବାକୁ ଥିବା ଲୋକସଭା ଏବଂ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ମନ୍ତ୍ରିମଣ୍ଡଳର ନବକଳେବର ହେବ ବୋଲି ଚର୍ଚ୍ଚା ହେଉଛି । ନୂଆକରି ଗଠନ ହେବାକୁ ଥିବା ମନ୍ତ୍ରିମଣ୍ଡଳରେ କେଉଁମାନେ ସାମିଲ ହେବେ ତାହା ଜଣାପଡ଼ି ନାହିଁ । ତେବେ କେତେକ ଯୁବ ଚେହେରା ଏବଂ ଦକ୍ଷତା ଥିବା ବିଧାୟକଙ୍କୁ ନବୀନ ତାଙ୍କ ନୂଆ ମନ୍ତ୍ରିମଣ୍ଡଳରେ ସାମିଲ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
୨୨ ବର୍ଷର ଶାସନକାଳ ଭିତରେ ନବୀନ ବିଭିନ୍ନ ସମୟରେ ଅନେକ ଥର ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିଛନ୍ତି । ନୂଆ ଚେହେରାଙ୍କୁ ସାମିଲ କରିବା ସହିତ ପୁରୁଖା ନେତାଙ୍କୁ ବିଦା କରିଛନ୍ତି । ହେଲେ ଚଳିତ ପଞ୍ଚମ ପାଳି ସରକାରର ତୃତୀୟ ବର୍ଷରେ ହେଉଥିବା ମନ୍ତ୍ରିମଣ୍ଡଳ ଅଦଳ ବଦଳ ବେଳେ ନବୀନ ସମସ୍ତଙ୍କୁ ଚକିତ କଲା ଭଳି ନିଷ୍ପତ୍ତି ନେଇଛନ୍ତି । ୨୦୨୪ ବିଧାନସଭା ନିର୍ବାଚନରେ କିପରି ବିଜେଡି ଆହୁରି ଭଲ ପ୍ରଦର୍ଶନ କରିବ ସେଥିପାଇଁ ଏବେଠୁ ଜୋରଦାର ପ୍ରସ୍ତୁତି କରାଯାଉଛି । ସେଥିପାଇଁ ଦଳର ଯୁବ ନେତା ଏବଂ ନୂଆ ମୁହଁମାନଙ୍କୁ ଗୁରୁ ଦାୟିତ୍ୱ ଦିଆଯାଉଛି ।
୨୦୧୯ ବିଧାନସଭା ନିର୍ବାଚନରେ ଅଧିକାଂଶ ନିର୍ବାଚନମଣ୍ଡଳୀରେ ଦଳ ଯୁବକମାନଙ୍କୁ ଟିକେଟ ଦେଇଥିଲା । ସେହିପରି ଏହା ପରେ ହୋଇଥିବା ବିଭିନ୍ନ ଉପନିର୍ବାଚନରେ ମଧ୍ୟ ବିଜେଡି ଯୁବ ଚେହେରାମାନଙ୍କୁ ଟିକେଟ ଦେଇଥିଲା । ସେମାନେ ବିଜୟୀ ହୋଇ ବିଧାନସଭାକୁ ଆସିଛନ୍ତି । ଏବେ ହୋଇଥିବା ରାଜ୍ୟସଭା ନିର୍ବାଚନରେ ମଧ୍ୟ ନୂଆ ମୁହଁଙ୍କୁ ଦଳ ଅଗ୍ରାଧିକାର ଦେଇଛି । ତେଣୁ ୨୦୨୪ ନିର୍ବାଚନ ପାଇଁ ଦଳକୁ ଆହୁରି ସଙ୍ଗଠିତ କରିବା ଲାଗି ମନ୍ତ୍ରିମଣ୍ଡଳ ସଂପ୍ରସାରଣକୁ ଗୁରୁତ୍ୱ ଦିଆଯାଉଛି ।
ସବୁଠୁ ବଡ଼ କଥା ହେଉଛି, ନବୀନ ସବୁବେଳେ ଆଶ୍ଚର୍ୟ୍ୟ କଲା ଭଳି ନିଷ୍ପତ୍ତି ନିଅନ୍ତି । ରାଜ୍ୟସଭା ହେଉ କି ଲୋକସଭା ଏବଂ ବିଧାନସଭା ନିର୍ବାଚନ – ସବୁଠି ନବୀନ ସମସ୍ତଙ୍କୁ ଚମକେଇଲା ଭଳି ନିଷ୍ପତ୍ତି ନେଇ ରାଜନୀତି କରିଡ଼ରରେ ଚର୍ଚ୍ଚାର ଖୋରାକ ସୃଷ୍ଟି କରନ୍ତି । ତେବେ ଆସନ୍ତା ୫ ତାରିଖରେ ଯେଉଁ ନୂଆ ମନ୍ତ୍ରିମଣ୍ଡଳ ଗଠନ ହେଉଛି ସେଥିରେ ନବୀନ କାହାକୁ ରଖୁଛନ୍ତି ଏବଂ କାହାକୁ ବିଦା କରୁଛନ୍ତି ତା’ ଉପରେ ସମସ୍ତଙ୍କ ନଜର ରହିଛି ।
No Result
View All Result