No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୦୨ ଜୁନ ଗୁରୁବାର /ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ୨୯ ତମ ଶିଶୁକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ପୋଷ୍ୟ ସନ୍ତାନ ଭାବେ ପଶ୍ଚିମବଙ୍ଗ ରାଜ୍ୟର ହୁଗୁଳି ଜିଲ୍ଲାର ଗୋଟିଏ ଦମ୍ପତ୍ତିଙ୍କୁ ହସ୍ତାନ୍ତର କରିଛନ୍ତି । ଗତ ଲକ୍ ଡାଉନ୍ ଏବଂ ସଟ୍ ଡାଉନ୍ ସମୟରେ ଜିଲ୍ଲାର ବିଭିନ୍ନ ଜାଗାରୁ ପରିତ୍ୟକ୍ତ ଏବଂ ସମର୍ପିତ ଶିଶୁଙ୍କୁ ଉଦ୍ଧାର କରି ସେମାନଙ୍କର ଯତ୍ନ ଓ ସୁରକ୍ଷା ପାଇଁ ଜିଲ୍ଲାରେ ଥିବା ଏକମାତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ”ନିସାନ ସାଲୋମ” ପାରଳାଖେମୁଣ୍ଡିରେ ରଖାଯିବା ସହ ସେମାନଙ୍କର ଆଡପସନ ପାଇଁ କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କେନ୍ଦ୍ରର ପୋର୍ଟାଲରେ ଅପଲୋଡ କରାଯାଇଥିଲା । ପରବର୍ତ୍ତୀ ମୁହୁର୍ତ୍ତରେ ଶିଶୁଟିକୁ ଶିଶୁ ମଙ୍ଗଳ ସମିତି , ଗଜପତି ଆଇନତଃ ମୁକ୍ତ ଭାବେ ଘୋଷଣା କରିଥିଲେ । ଯାହାଦ୍ୱାରା ଶିଶୁଟି ପୋଷ୍ୟ ଭାବେ ଯେକୌଣସି ଦମ୍ପତ୍ତିଙ୍କ ପାଖକୁ ଯାଇପାରିବ , ତାହା ସମସ୍ତଙ୍କୁ ପୋର୍ଟାଲ ମାଧ୍ୟମରେ ଜଣାଇ ଦିଆଯାଇଥିଲା ।
ପରବର୍ତ୍ତୀ ମୁହୂର୍ତ୍ତରେ ତିନି ବର୍ଷ ଧରି ଏକ ପୁତ୍ର ସନ୍ତାନ ପାଇଁ ଅନ୍ ଲାଇନ୍ ମାଧ୍ୟମରେ ଦରଖାସ୍ତ ଦେଇ ଅପେକ୍ଷା କରି ରହିଥିବା ଦମ୍ପତ୍ତିଙ୍କୁ କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କେନ୍ଦ୍ର ଅନୁମୋଦନ କରିଥିଲେ। ଉପରୋକ୍ତ ଦମ୍ପତ୍ତି ଶାରୀରିକ ଭାବେ ଶିଶୁକୁ ପସନ୍ଦ କରି ନେବାପାଇଁ ସ୍ଥିର କରିଥିଲେ । ତାପରେ ଆବଶ୍ୟକ ହେଉଥିବା ଦସ୍ତାବିଜ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଏବଂ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ , ଗଜପତି ପ୍ରସ୍ତୁତ କରିଥିଲେ । ପରବର୍ତ୍ତୀ ମୂହୁର୍ତ୍ତରେ ସମସ୍ତ ଦସ୍ତାବିଜକୁ ଅତିରିକ୍ତ ଜିଲ୍ଲାପାଳ ଯାଞ୍ଚ କରିବା ପରେ ଆଜି (ବୁଧବାର) ଦିନ ଶିଶୁଟିକୁ ପଶ୍ଚିମବଙ୍ଗର ଦମ୍ପତ୍ତିଙ୍କୁ ହସ୍ତାନ୍ତର କରି ଦିଆଯାଇଥିଲା ।
ଏହି ଶିଶୁଟି ପୁତ୍ର ସନ୍ତାନ ହୋଇଥିଲା ବେଳେ ଏହାର ବୟସ ମାତ୍ର ୧ ବର୍ଷ ହୋଇଥିଲା । ଶିଶୁଟିକୁ ପାଇ ଦମ୍ପତ୍ତି ବେଶ ଖୁସି ଥିବା ଲକ୍ଷ୍ୟ କରାଯାଇଥିଲା । ଏହି ହସ୍ତାନ୍ତର ସମୟରେ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ଅଳକା ସାହୁ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ , ଶିଶୁ ମଙ୍ଗଳ ସମିତିର ସଭ୍ୟ ଶ୍ରୀଯୁକ୍ତ ହିରଣ୍ୟ ରାୟ , ନିସାନ ସାଲୋମ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ପରିଚାଳକ ପ୍ରତ୍ୟୁଷ କୁମାର ସୂର୍ଯ୍ୟ , ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

No Result
View All Result