No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/ ୩୦ ଏପ୍ରିଲ ଶନିବାର/ପାଟଣାଗଡ଼ :- ଗତକାଲି ଜନୈକ ଯୁବକ ନକଲି ଟଙ୍କା କାରବାର କରୁଥିବା ପ୍ରମାଣ ପାଇ ଗ୍ରାମବାସୀ ତାକୁ ଅଟକାଇ ରଖିବା ସହ ପୁଲିସକୁ ଖବର ଦେଇଥିଲେ । ପଣ୍ଡାମୁଣ୍ଡା ଗ୍ରାମ ତଥା ଏହାର ଆଖପାଖ ଅଞ୍ଚଳରେ ଗତ ପ୍ରାୟ ୨ ଦିନ ହେବ ନକଲି ନୋଟ କାରବାର ହେଉଥିବା ଗ୍ରାମବସୀ ଜାଣିବାକୁ ପାଇଥିଲେ । ଆଜି ପାଟଣାଗଡ଼ ପୁଲିସ ଉକ୍ତ ଗ୍ରାମକୁ ଯାଇ ଯୁବକ ଜଣକୁ ଥାନାକୁ ନେଇ ଆସିବା ସହ ଅଧିକ ତଦନ୍ତ କରୁଥିବା ଜଣାଯାଇଛି । ଅଟକ ଥିବା ଯୁବକ ଜଣକ ନିକଟସ୍ଥ ଡୁମେରପଦର ଗ୍ରାମର ରୋହିତ ଦାସ (୧୯) ବୋଲି ଜଣାଯାଇଛି । ପ୍ରକାଶ ଯେ, ଗତ ପ୍ରାୟ ୨ ଦିନ ଧରି କିଛି ଯୁବକ ନକଲି ଟଙ୍କା ଦେଇ ପଣ୍ଡାମୁଣ୍ଡା ଗ୍ରାମର ବିଭିନ୍ନ ଦୋକାନ ଏପରିକି ମଦ କୋଠାରୁ ମଧ୍ୟ କିଣା ବିକା କରୁଥିବା ଗ୍ରାମବାସୀ ଜାଣିବାକୁ ପାଇଥିଲେ ।
ଗତକାଲି ଅପରାହ୍ଣ ପ୍ରାୟ ସାଢେ ୪ ଘଣ୍ଟା ବେଳେ ଲାଲ ରଙ୍ଗର ଏକ ବାଇକରେ ଆସି ଗ୍ରାମର ଏକ ଦୋକାନରୁ ଜଣେ ଯୁବକ କିଛି ସାମଗ୍ରୀ କିଣିଥିଲା । ସେ ଏକ ନକଲି ୨ ଶହ ଟଙ୍କିଆ ନୋଟ ଦୋକାନୀଙ୍କୁ ଦେଇଥିଲା। ତେବେ ସେଠାରୁ ସେ ଚାଲିଯିବା ପରେ ଦୋକାନୀ ଜଣକ ତାହା ନକଲି ଟଙ୍କା ବୋଲି ଜାଣିବାକୁ ପାଇଥିଲେ। ପରେ ପରେ ଉକ୍ତ ଯୁବକ ଗ୍ରାମର ମଦ କୋଠିରେ ମଧ୍ୟ ଅନୁରୂପ ଭାବରେ ଏକ ନକଲି ୨ ଶହ ଟଙ୍କିଆ ନୋଟ ଦେଇ ମଦ କିଣିଥିଲା। ମଦ ଦୋକାନୀ ନକଲି ଟଙ୍କା ହୋଇଥିବା ଜାଣି ଯୁବକ ଜଣକୁ କାବୁ କରି ଗ୍ରାମବାସୀଙ୍କ ଜିମା ଦେଇଥିଲେ। ଗ୍ରାମବାସୀ ମିଳିତ ଭାବରେ ଯୁବକ ଜଣକୁ ପଚରାଉଚୁରା କରିବା ପରେ ସେ ନିଜକୁ ଡୁମେରପଦର ଗ୍ରାମର ରୋହିତ ଦାସ ବୋଲି ପରିଚୟ ଦେବା ସହ ନକଲି ନୋଟ କାରବାର କରୁଥିବା ସ୍ୱୀକାର କରିଥିଲା ।
କେବଳ ସେତିକି ନୁହେଁ ଉକ୍ତ ର୍ୟାକେଟ୍ରେ ବାବେଜୁରୀ ଏବଂ ବଡ ବିଛଲିବାହାଲର କିଛି ଯୁବକ ସାମିଲ ଥିବା ମଧ୍ୟ ଗ୍ରାମବାସୀଙ୍କ ଆଗରେ ପ୍ରକାଶ କରିଥିଲା । ସଂଧ୍ୟାରୁ ବିଳମ୍ବିତ ରାତ୍ରି ଯାଏଁ ଗାଁରେ ସରପଞ୍ଚଙ୍କ ଉପସ୍ଥିତିରେ ଏକ ସଭା କରାଯିବା ପରେ ଉକ୍ତ ଯୁବକକୁ ପୁଲିସ ଜିମା ଦେବାକୁ ଗ୍ରାମବାସୀ ନିଷ୍ପତ୍ତି ଗ୍ରହଣ କରିଥିଲେ। ଶୁକ୍ରବାର ସକାଳେ ପାଟଣାଗଡ଼ ପୁଲିସକୁ ଖବର ଦେବା ପରେ ମଧ୍ୟାହ୍ଣରେ ପୁଲିସ ଉକ୍ତ ଯୁବକକୁ ଥାନାକୁ ଧରି ଆଣୀବା ସହ ତା ନିକଟରୁ ୪ଟି ନକଲି ୫ ଶହ ଟଙ୍କିଆ ଏବଂ ୪ଟି ୨ ଶହ ଟଙ୍କିଆ ନୋଟ ଜବତ କରିଥିବା ଜଣାଯାଇଛି। ତେବେ ଖବର ଲେଖା ହେବା ପର୍ୟ୍ୟନ୍ତ ତତ୍ସଂକ୍ରାନ୍ତୀୟ କୌଣସି ଲିଖିତ ଅଭିଯୋଗ ହୋଇ ନ ଥିବା ବେଳେ ମାମଲା ରୁଜୁ ହୋଇନଥିବା ଜଣାଯାଇଛି । ତେବେ ନକଲି ଟଙ୍କା ସଂକ୍ରାନ୍ତରେ ପୁଲିସ ଅଧିକ ତଦନ୍ତ ଚଳାଇଥିବା ଥାନାଧିକାରୀ ଅନନ୍ତ କୁମାର ପ୍ରଧାନଙ୍କ ଠାରୁ ପ୍ରକାଶ ।
No Result
View All Result