ଓଡ଼ିଶା ତାଜା ନ୍ୟୁଜ୍ /୨୬ ଏପ୍ରିଲ ମଙ୍ଗଳବାର / ଭୁବନେଶ୍ୱର :- ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଅପ୍ରେଲ ୨୩ ତାରିଖଠାରୁ ଆରମ୍ଭ ହୋଇଥିବା ଆଦିବାସୀ ମେଳା ଓ ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀ ଆଜି ଚତୁର୍ଥ ଦିବସରେ ପହଞ୍ଚିଛି । ପ୍ରଦର୍ଶନୀ ଅଞ୍ଚଳକୁ ଗ୍ରୀନ୍ କାର୍ପେଟ୍ରେ ଆଚ୍ଛାଦିତ କରିବା ସହିତ ପରିଷ୍କାରପରିଚ୍ଛନ୍ନ ରଖାଯାଇଛି । ପ୍ରତ୍ୟହ ସନ୍ଧ୍ୟାରେ ସୁଦୃଶ୍ୟ ରଙ୍ଗମଞ୍ଚରେ ଜନଜାତିଙ୍କର ନୃତ୍ୟ ପ୍ରଦର୍ଶନ ଦର୍ଶକମାନଙ୍କୁ ବିମୋହିତ କରୁଛି ।
ଆଜି ସନ୍ଧ୍ୟାରେ କୁଚିଣ୍ଡା ଅଞ୍ଚଳରୁ ଆସିଥିବା କିସାନ୍ମାନଙ୍କର ନୃତ୍ୟ ଅତ୍ୟନ୍ତ ଚିତ୍ତାକର୍ଷକ ଥିଲା ା ପଶ୍ଚିମ ଓଡ଼ିଶାର ଲୋକଧାରା ସହ ଏମାନଙ୍କ ନୃତ୍ୟର ସାମଞ୍ଜସ୍ୟ ଖୁବ୍ ଆମୋଦପ୍ରଦ ଥିଲା । ସେହିପରି ଫୁଲବାଣୀ ଅଞ୍ଚଳର କନ୍ଧମାନଙ୍କର ଧାଙ୍ଗିଡ଼ୀ ନାଚରେ ଦର୍ଶକ ଖୁବ୍ ଆମୋଦିତ ହୋଇଥିଲେ ।
ସୁନ୍ଦରଗଡ଼ର ଓରାମ୍ ଜନଜାତିମାନଙ୍କର କରମା ନାଚରେ ମାଦଳର ମାଦକତା ନୃତ୍ୟ ପରିସରକୁ ଜଙ୍ଗଲର ଭ୍ରମ ସୃଷ୍ଟି କରିଥିଲା । ସେହିପରି ମୁଣ୍ଡା ଜନଜାତି ଝିଅମାନଙ୍କର ନୃତ୍ୟରେ ଦର୍ଶକ ଯେପରି ଝୁମି ଉଠିଥିଲେ, କନ୍ଧମାନଙ୍କର ଶିଙ୍ଗ ନୃତ୍ୟରେ ଆଦିମତାକୁ ପରଖିଥିଲେ ।
କିସାନମାନଙ୍କ କରମା ନାଚ ସେହିପରି ପ୍ରାଚୀନ ଓ ନୂତନତାର ଏକ ସଂଗମ ହିସାବରେ ଦର୍ଶକମାନଙ୍କୁ ଭିନ୍ନସ୍ୱାଦ ଆଣି ଦେଇଥିଲା । ନୃତ୍ୟ ପରିକ୍ରମା ସହ ଉତ୍ଫୁଲ୍ଲିତ ଦର୍ଶକ ମେଳାରୁ କିଣାକିଣିର ମଜା ନେଇଥିଲେ ଏବଂ ମେଳା ବୁଲିବାର ଅବସରରେ ବିଭିିନ୍ନ ଜନଜାତିଙ୍କ ସଂସ୍କୃତି ସହିତ ପରିଚିତ ହେବାର ସୁଯୋଗ ପାଇଥିଲେ । ମେଳାରେ ଗତକାଲି ସୁଦ୍ଧା ପ୍ରାୟ ଏକ କୋଟିରୁ ଊଦ୍ଧ୍ୱର୍ ଟଙ୍କାର କାରବାର ହୋଇଥିବାର ମେଳା କର୍ତ୍ତୃପକ୍ଷଙ୍କ ସୌଜନ୍ୟରୁ ପ୍ରକାଶ ।















