ଓଡ଼ିଶା ତାଜା ନ୍ୟୁଜ୍ (୦୧ ମାର୍ଚ୍ଚ ମଙ୍ଗଳବାର) ଓଡ଼ଗାଁ :- ଓଡ଼ଗାଁ ବ୍ଲକରେ ୩ଦିନ ଧରି ଚାଲିଥିବା ଭୋଟ ଗଣତି ପ୍ରକ୍ରିୟା ଗତକାଲି ଶେଷ ହୋଇଛି। ଗତ ୨୬ତାରିଖ ଦିନ ପ୍ରଥମ ପର୍ୟ୍ୟାୟ ଭୋଟ ଗଣତିର ୧ନଂ ଜୋନର ୯ଟି ପଂଚାୟତରୁ ବିଜେଡ଼ିର ଜିଲ୍ଲା ପରିଷଦ ସଭ୍ୟ ଝିଲ୍ଲୀ ପ୍ରଧାନ ବିଜୟୀ ହୋଇଥିଲେ। ୨୭ତାରିଖ ଦିନ ଦ୍ବିତୀୟ ପର୍ୟ୍ୟାୟ ଭୋଟ ଗଣତିରେ ମଧ୍ୟ ୯ଟି ପଂଚାୟତରୁ ଜିଲ୍ଲା ପରିଷଦ ସଭ୍ୟ ଭାବେ ବିରଜାଲକ୍ଷ୍ମୀ ସାହୁ ବିଜୟ ଲାଭ କରିଥିଲେ। ଏହି ୧ନଂ ଓ ୨ନଂ ଜୋନ୍ ବିଜେଡ଼ି ଅକ୍ତିଆର କରି ସାରିଥିବା ବେଳେ ୩ନଂ ଓ ୪ନଂ ଜୋନ୍ ଉପରେ ସମସ୍ତଙ୍କ ନଜର ରହିଥିଲା।
ଗତକାଲି ୩ନଂ ଓ ୪ନଂ ବିଜେଡ଼ି ଦଖଲରେ ରହିବା ସମସ୍ତ ରାଜନୀତି ପାଣିପାଗକୁ ଓଲଟପାଲଟ କରି ଦେଇଛି। ଶେଷରେ ବିଜେପି ଗଡ଼ରେ ବିଜେଡ଼ି ବାନା ଉଡାଇଛି। ୩ନଂ ଓ ୪ନଂ ଜୋନରେ ମହିଳା ବିଜେଡ଼ି ଜିଲ୍ଲା ପରିଷଦଙ୍କ ଦବଦବା ଆଗରେ ବିଜେପି ଫିକା ପଡିଯାଇଛି। ଗତକାଲି ୩ନଂ ଓ ୪ନଂ ଜିଲ୍ଲା ପରିଷଦ ଜୋନ୍ର ଗଣତି ଚାଲିଥିଲା। ୩ନଂ ଜୋନ୍ରେ ୭ଟି ପଂଚାୟତ ରହିଥିବା ବେଳେ ୪ନଂ ଜୋନ୍ରେ ୧୧ଟି ପଂଚାୟତର ରହିଥିଲା। ଗତ ୨୦୧୭ ମସିହା ପଂଚାୟତ ନିର୍ବାଚନରେ ୩ନଂ ଓ ୪ନଂ ଜୋନ୍ ବିଜେପି ଦଖଲରେ ଥିଲା। ଚଳିତ ନିର୍ବାଚନରେ ବିଜେପି ଆଗରେ ଥିବା ବେଳେ ବିଜେଡ଼ିକୁ ବହୁ ସଂଘର୍ଷ କରିବାକୁ ପଡିଥିଲା।
ଶେଷରେ ବିଜେପିକୁ ପଛରେ ପକାଇ ବିଜେଡ଼ି ଜିତାପଟ କରିଛି। ୩ନଂ ଜୋନ୍ ଉପରେ ଆଖି ପକାଇଲେ ବିଜେପିର କୁମାରୀ ପାତ୍ର ମୋଟ ୮୮୭୯ ଭୋଟ ପାଇଥିବା ବେଳେ ବିଜେଡ଼ିର ଚିନ୍ମୟୀ ଦାଶ ୧୩୧୮୨ ଭୋଟ, କଂଗ୍ରେସର ସସ୍ମୀତା କୁମାରୀ ଦାଶ ୬୦୮ ଭୋଟ ଏବଂ ଦା ହାତୁଡ଼ି ତାରା ଚିହ୍ନର ପ୍ରାର୍ଥୀ ଜ୍ୟୋତିପ୍ରଭା ଜେନା ୨୫୭ ଭୋଟ ପାଇଛନ୍ତି। ୩ନଂ ଜୋନରେ ୩୦୮ଖଣ୍ତ ଭୋଟ ନାକଚ ହୋଇଥିବା ଜଣାପଡିଛି। ବିଜେଡ଼ିର ଚିନ୍ମୟୀ ଦାଶ ବିଜେପିର କୁମାରୀ ଦାଶଙ୍କୁ ୪୩୦୩ଖଣ୍ତ ଭୋଟରେ ପରାଜିତ କରିଛନ୍ତି। ଗୋତିସାହି ପଂଚାୟତର ୩ନଂ ୱାର୍ଡରୁ ବିଜେଡ଼ି ସର୍ବନିମ୍ନ ୧ଖଣ୍ତ ଭୋଟ ପାଇଥିବା ବେଳେ ବିଜେପି ସର୍ବାଧିକ ୨୧ଖଣ୍ତ ଭୋଟ ହାତେଇଛି।
ସେହିପରି ଗୋଡ଼ିପଲ୍ଲୀ ପଂଚାୟତର ୧୪ନଂ ୱାର୍ଡରୁ ବିଜେପି ୪ଖଣ୍ତ ଭୋଟ ପାଇଥିବା ବେଳେ ବିଜେଡ଼ି ସର୍ବାଧିକ ୧୭୩ଖଣ୍ତ ଭୋଟ ପାଇଥିବା ଜଣାପଡିଛି। ୪ନଂ ଜୋନର ୧୧ଟି ପଂଚାୟତରେ ବିଜେଡ଼ି ସଂଘର୍ଷ କରି କରି ଶେଷରେ ବାଜିମାତ୍ କରିଛି। ବିଜେଡ଼ିର ସଂଯୁକ୍ତା ପଢିଆରୀ ମୋଟ ୧୩୫୫୮ଖଣ୍ତ ଭୋଟ ପାଇଥିବା ବେଳେ ବିଜେପିର ପ୍ରତିମା ପ୍ରଧାନ ୧୨୨୪୮ଖଣ୍ତ ଭୋଟ ପାଇଛନ୍ତି। କଂଗ୍ରେସର ରୁନା ବିଶୋଇ ୧୩୧୪ଖଣ୍ତ ଭୋଟ ପାଇଥିବା ବେଳେ ୪୩୪ଖଣ୍ତ ଭୋଟ ନାକଚ ହୋଇଛି। ବିଜେଡ଼ିର ସଂଯୁକ୍ତା ପଢିଆରୀ ବିଜେପିର ପ୍ରତିମା ପ୍ରଧାନଙ୍କୁ ମାତ୍ର ୧୩୧୦ଖଣ୍ତ ଭୋଟରେ ହରାଇଛନ୍ତି।
ବିଜେପିକୁ ପିଛା କରି କରି ଶେଷରେ ବିଜେଡ଼ି ଆଗୁଆ ହୋଇ ବିଜୟ ଲାଭ କରିଥିଲା। ଓଡ଼ଗାଁ ବ୍ଲକର ୪ଟି ଯାକ ଜୋନକୁ ବିଜେଡ଼ି କବ୍ଜା କରି ନେଇଛି। ଏହି ୪ଟି ଜୋନରେ ବିଜେଡ଼ିର ମହିଳା ଜିଲ୍ଲା ପରିଷଦ ବିଜୟ ହାସଲ କରିବା ପରେ ରାଜନୀତି ପାଣିପାଗ ସଂପୂର୍ଣ୍ଣ ବଦଳି ଯାଇଛି। ଗତକାଲି ଗଣତି ଶେଷ ହୋଇଥିବା ବେଳେ ଏଥିରେ ବ୍ଲକ୍ ପ୍ରଶାସନ, ତହସିଲ ଏବଂ ଜିଲ୍ଲା ପୋଲିସ ସହଯୋଗରେ ଭୋଟଗଣତି ସୁରୁଖୁରୁରେ ଶେଷ ହୋଇଥିଲା।














