No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୩ ଫେବ୍ରୁଆରୀ ବୁଧବାର ) ଭୁବନେଶ୍ୱର :- ରାତି 10 ଟାରେ ଉଠିବ ମହାଦୀପ କୋଭିଡ୍ କଟକଣା ଅନୁପାଳନ ମଧ୍ୟରେ ହେବ ପର୍ବ । ଆଡକାଠ ନିକଟରେ ଶ୍ରୀ ଜୀଉଙ୍କୁ ଦର୍ଶନ କରିପାରିବେ ଭକ୍ତ । ଭୁବନେଶ୍ୱର ତା- 23.02.2022 ଆସନ୍ତା ମାର୍ଚ୍ଚ 1 ତାରିଖରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କର ମହାଶିବରାତ୍ରୀ ପର୍ବ ପାଳନ ନିମନ୍ତେ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସମନ୍ୱୟ ବୈଠକ ଆଜି ଅପରାହ୍ଣରେ ସ୍ଥାନୀୟ ସ୍ୱତନ୍ତ୍ର ପ୍ରଦକ୍ଷିଣ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ କହିଲେ ଯେ, ମହା ଶିବରାତ୍ରୀ ଆମ ହିନ୍ଦୁ ଧର୍ମର ଏକ ପବିତ୍ର ପର୍ବ । ତେବେ କରୋନା ଭୁତାଣୁ ଆମଠାରୁ ସଂପୂର୍ଣ୍ଣ ରୂପେ ଦୂରେଇ ଯାଇ ନାହିଁ । ଆମ୍ଭେମାନେ ଏବେବି ଅସାଧାରଣ ପରିସ୍ଥିତିର ସମ୍ମୁଖୀନ ହୋଇଛୁ ।

କୋଭିଡ୍ ସଂକ୍ରମଣ ପରିପ୍ରେକ୍ଷୀରେ ଆମେ ଆମକୁ ସେହିଭଳି ଅସାଧାରଣ ଭାବେ ଏହାର ମୁକାବିଲାକୁ ଜାରି ରଖିବାର ଆବଶ୍ୟକତା ରହିଛି । ଏଥି ପାଇଁ ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ କୋଭିଡ୍ କଟକଣା ଅନୁପାଳନ ମଧ୍ୟରେ ମହାଶିବରାତ୍ରୀ ପର୍ବ ପାଳନ ପାଇଁ ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ । ମହାପ୍ରଭୁଙ୍କ କରୁଣାରୁ ସମସ୍ତଙ୍କର ସହଯୋଗରେ ଏ ବର୍ଷର ମହାଶିବରାତ୍ରୀ ପର୍ବ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହେବା ନେଇ ସେ ମନ୍ଦିରର ସେବାୟତ ପ୍ରତିନିଧି , ସଂପୃକ୍ତ ବିଭିନ୍ନ ପ୍ରଶାସନିକ ଅଧିକାରୀ ଓ ଅନୁଷ୍ଠାନମାନଙ୍କର ସହଯୋଗ କାମନା କରିଥିଲେ । ବୈଠକର ନିଷ୍ପତ୍ତି ଅନୁସାରେ ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ମହାଶିବରାତ୍ରୀ ରାତ୍ର 10 ଟାରେ ମହାଦୀପ ଉଠିବ । ଭକ୍ତମାନେ ଧାଡିରେ ଯାଇ ମନ୍ଦିର ଭିତରେ ଥିବା ଆଡକାଠ ନିକଟରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ଓ ବହୁ ଜନସମାଗମ ଏବଂ କୋଭିଡ୍ କଟକଣା ପରିପ୍ରେକ୍ଷୀରେ ସେଠାରେ ଦର୍ଶନ କରି ନ ଅଟକି ମନ୍ଦିରରୁ ପ୍ରସ୍ଥାନ କରିବେ ।

ମହାପ୍ରଭୁଙ୍କ ଗର୍ଭ ଗୃହରେ ପ୍ରବେଶ ଭକ୍ତମାନଙ୍କ ପାଇଁ ବନ୍ଦ ରହିବ । ବୈଠକରେ ବିଭିନ୍ନ ପ୍ରସ୍ତାବ ମଧ୍ୟରେ ମହା ଶିବରାତ୍ରୀରେ ମହାପ୍ରଭୁଙ୍କ ବିଭିନ୍ନ ନୀତି ସଂପାଦନ ଓ ସେବା ପୂଜା ନିମନ୍ତେ ସମୟ ନିର୍ଘଣ୍ଟ, ମନ୍ଦିରର ଅନ୍ତଗୃହ ଓ ବେଢାର ପରିଷ୍କାର ପରିଚ୍ଛନ୍ନତା, ଭୋଗ ସ୍ଥାନ ନିରୂପଣ, ଶାନ୍ତିଶୃଙ୍ଖଳା ରକ୍ଷା ଓ ଆରକ୍ଷୀ ବ୍ୟବସ୍ଥା, ଯାତ୍ରୀମାନଙ୍କର ଆଗମନ ଓ ପ୍ରସ୍ଥାନକୁ ସୁଗମ କରିବା ପାଇଁ ମନ୍ଦିରର ବିଭିନ୍ନ ଦ୍ୱାରରେ ଅସ୍ଥାୟୀ ବେରିକେଡ୍ ବ୍ୟବସ୍ଥା, ମନ୍ଦିର ସମେତ ବିନ୍ଦୁସାଗର ଓ ଦେବୀ ପାଦହରା ଚତୁଃପାର୍ଶ୍ୱରେ ଆଲୋକୀକରଣ ବ୍ୟବସ୍ଥା,ଯାନବାହନ ନିୟନ୍ତ୍ରଣ ଓ ଯାତ୍ରୀ ପରିବହନ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ମନ୍ଦିର ଭିତରେ ଓ ବାହାରେ ଭକ୍ତ ଓ ଜନସାଧାରଣଙ୍କ ନିମନ୍ତେ ସୂଚନା ଓ 1 ତାରିଖ ପ୍ରତ୍ୟୁଷରୁ ଭଜନ, ଜଣାଣ ଓ ଶିବସ୍ତୋତ୍ର ଆଦି ପ୍ରସାର ପାଇଁ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ଅସ୍ଥାୟୀ ସୂଚନା କେନ୍ଦ୍ର ଓ ବ୍ୟାପକ ଡାକବାଜି ଯନ୍ତ୍ର ବ୍ୟବସ୍ଥା କରାଯିବ । ଥଣ୍ଡା, କାଶ ଆଦି କୋଭିଡ୍ ଲକ୍ଷଣ ପ୍ରକାଶ ପାଉଥିବା ଭକ୍ତ ଅସୁସ୍ଥ ଅନୁଭବ କଲେ ସେମାନଙ୍କ ପାଇଁ ମନ୍ଦିର ସମ୍ମୁଖରେ ସ୍ୱତନ୍ତ୍ର ଅସ୍ଥାୟୀ ସଙ୍ଗରୋଧ ବା ଆଇସୋଲେସନ ପ୍ରକୋଷ୍ଠ ବ୍ୟବସ୍ଥା ସହ ଜରୁରୀ ସ୍ଥଳେ କୋଭିଡ୍ ପରୀକ୍ଷା ବ୍ୟବସ୍ଥା ରହିବ ।

ତତ୍ ସହିତ ପୂର୍ବବର୍ଷ ପରି ଚଳିତ ବର୍ଷ ମଧ୍ୟ ଅସ୍ଥାୟୀ ଆବଶ୍ୟକ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା, ସେଣ୍ଟ ଜୋନ୍ ଆମ୍ବୁଲାନ୍ସ, ଭୁବନେଶ୍ୱର ମହାନଗର ନିଗମ ଏବଂ ମୁଖ୍ୟ ଚିକିତ୍ସାଧିକାରୀଙ୍କ ତରଫରୁ ଆମ୍ବୁଲାନ୍ସ ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ନିରବଚ୍ଛିନ୍ନ ବିଦ୍ୟୁତ୍ ସରବରାହ ବ୍ୟବସ୍ଥା, ସ୍ୱେଚ୍ଛାସେବୀ ମୁତୟନ ଆଦି ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ସମସ୍ତ କାର୍ଯ୍ୟ ସୁଚାରୁରୂପେ ସଂପାଦନ ପାଇଁ ସଂପୃକ୍ତ ସମସ୍ତ ବିଭାଗୀୟ ଥଧିକାରୀ ଓ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କୁ ଜିଲ୍ଲାପାଳ ଶ୍ରୀ ମହାପାତ୍ର ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ । ଟ୍ରଷ୍ଟ ବୋର୍ଡର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଭବାନୀ ପ୍ରସାଦ ମିଶ୍ର ମହାଶିବରାତ୍ରୀ ଉପଲକ୍ଷେ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ, ଭୁବନେଶ୍ୱର ଶ୍ରୀ ପ୍ରଫୁଲ୍ଲ କୁମାର ସ୍ୱାଇଁ , ସହକାରୀ ଦବୋତ୍ତର କମିଶନର ଶ୍ରୀଦୀପ୍ତ ମିଶ୍ର, ଟ୍ରଷ୍ଟବୋର୍ଡ ସଦସ୍ୟ ଶ୍ରୀ ଅବନୀ କୁମାର ପଟ୍ଟନାୟକ, ଏସିପି –ଜୋନ୍-2 ଶ୍ରୀ ଅନିରୁଦ୍ଧ ରାଉତ, ଲିଙ୍ଗରାଜ ଥାନା ଅଧିକାରୀ ଶ୍ରୀ ଶରତ ଚନ୍ଦ୍ର ପାତ୍ର ଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ପଦାଧିକାରୀ ଓ କର୍ମକର୍ତ୍ତା, ପ୍ରତ୍ନତତ୍ତ୍ୱ ବିଭାଗର ଅଧିକାରୀ, ମନ୍ଦିର ବ୍ରାହ୍ଣଣ ନିଯୋଗର ସଭାପତି ଓ ସଂପାଦକ, ପୂଜାପଣ୍ଡା ନିଯୋଗର ସଭାପତି ଓ ସଂପାଦକ, ବଡୁ ନିଯୋଗ, ସମଥା ନିଯୋଗ ଓ ସେବାୟତ ପ୍ରତିନିଧିମାନେ ବେଠକରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
No Result
View All Result