No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୬ ଡିସେମ୍ବର ରବିବାର) କଳାହାଣ୍ଡି :- ପିଏମ୍ ୟୁବା ମେଣ୍ଟରସିପ୍ ଯୋଜନାରେ ମନୋନୀତ ହୋଇଛନ୍ତି କଳାହାଣ୍ଡିର ଉଦୀୟମାନ ଯୁବ ଲେଖକ ଡିଲେଶ୍ବର ରଣା। ଏହି ଯୋଜନାରେ ଶ୍ରୀ ରଣା ମାସିକ ୫୦ ହଜାର ଟଙ୍କା ଲେଖାଏଁ ୬ ମାସ ସର୍ବମୋଟ ତିନି ଲକ୍ଷ ଟଙ୍କା ପାଇବେ। ଏଥିସହ ତାଙ୍କର ପାଣ୍ଡୁଲିପିଟି ନେସନାଲ୍ ବୁକ୍ ଟ୍ରଷ୍ଟ ଦ୍ୱାରା ପୁସ୍ତକ ଆକାରରେ ପ୍ରକାଶ ପାଇବ ଏବଂ ଅନ୍ୟାନ୍ୟ ଭାରତୀୟ ଭାଷାରେ ଅନୂଦିତ ହେବ। ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଓ ନେସନାଲ୍ ବୁକ୍ ଟ୍ରଷ୍ଟ ପକ୍ଷରୁ ୩୦ ବର୍ଷ ବୟସ ଭିତରେ ଥିବା ଯୁବଲେଖକଙ୍କ ଠାରୁ ପାଣ୍ଡୁଲିପି ଆହ୍ୱାନ କରାଯାଇଥିଲା।
‘ଭାରତୀୟ ସ୍ୱାଧୀନତା ସଂଗ୍ରାମ’ ବିଷୟକୁ ନେଇ ଲିଖିତ ଶ୍ରୀ ରଣାଙ୍କ ଉପନ୍ୟାସିକା ମନୋନୀତ ହୋଇଛି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଧଅଁରାମାଲ ଗ୍ରାମର ବ୍ରଜ ରଣା ଓ ବିଦୁସୁତା ରଣାଙ୍କ ସୁପୁତ୍ର ଡିଲେଶ୍ବର ଗଳ୍ପ, କବିତା ରଚନା ସହ ଅଭିନୟ, ସାହିତ୍ୟ ସଂଗଠନ ଆଦିରେ ସକ୍ରିୟ ରହିଛନ୍ତି। ନିକଟ ଅତୀତରେ ପ୍ରକାଶିତ ତାଙ୍କର ଗଳ୍ପ ସଂକଳନ ‘ସେଁର୍ରା’ ବିପୁଳ ପାଠକୀୟତା ଲାଭ କରିଛି। ସାହିତ୍ୟ ସାଧନା ପାଇଁ ସେ କଥା ନବପ୍ରତିଭା ପୁରସ୍କାର, କାଦମ୍ବିନୀ ଗଳ୍ପ ଉନ୍ମେଷ ପୁରସ୍କାର, ତପସ୍ୟା ସମ୍ଭାବନା ପୁରସ୍କାର, ପଲ୍ଲବନ ଶବ୍ଦ ସମ୍ମାନ ପାଇବା ସହ କେନ୍ଦ୍ର ସାହିତ୍ୟ ଏକାଡେମୀର ‘ଯୁବସହିତି’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିସାରିଛନ୍ତି।
ସେହିପରି ଦେଶର ବିଭିନ୍ନ ମଞ୍ଚରେ ଅଭିନୟ କରିବା ସହ ବଲିଉଡ ଫିଲ୍ମ ‘ଏ ରେଡ୍ ଶାର୍ଟ’ରେ ଅଭିନେତା ରଘୁବୀର ଯାଦବଙ୍କ ସହ ଅଭିନୟ କରିଛନ୍ତି। ସଂପ୍ରତି ଜିଲ୍ଲା ଶିକ୍ଷା ବିଭାଗର ଜନଜାତି ସାଧନ କେନ୍ଦ୍ରରେ କାର୍ଯ୍ୟରତ ଡିଲେଶ୍ବର ଗ୍ଲୋବାଲ୍ ଲାଇଫରେଚର୍ ଫାଉଣ୍ଡେସନର ଆବାହକ ଅଛନ୍ତି। ଦେଶର ବିଭିନ୍ନ ଭାଷାରୁ ଚୟନିତ ମୋଟ ୭୫ ଜଣ ଲେଖକଙ୍କ ମଧ୍ୟରେ ଶ୍ରୀ ରଣା ସାମିଲ ଥିବାରୁ କଳାହାଣ୍ଡି ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି ।

No Result
View All Result