No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୧୮ ସେପ୍ଟେମ୍ବର ଶନିବାର) ପାରଳାଖେମୁଣ୍ଡି :- କେନ୍ଦ୍ର ସରକାରଙ୍କ ପକ୍ଷରୁ ରହିଥିବା ଅନେକ ଯୋଜନା ମଧ୍ୟ ରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଅନ୍ୟତମ। ଯୋଜନା ପରେ ଯୋଜନା ପ୍ରସ୍ତୁତ ହେଉଥିବା ବେଳେ ଲୋକଙ୍କ ନିକଟରେ ବିକାଶ ପହଞ୍ଚି ପାରୁନି। ରାଜ୍ୟ ସରକାର ଗଜପତି ଜିଲ୍ଲାକୁ ଅଧିକ ପ୍ରାଧାନ୍ୟ ଦେଉଥିବା ଡିଣ୍ଡିମ ପିଟୁଥିବା ବେଳେ ଏଠାକାର ବିକାଶ କହିଲେ ନସରେ । ସ୍ଥାନୀୟ ବ୍ଳକର ବିଭିନ୍ନ ଗ୍ରାମକୁ ଯିବାକୁ ହେଲେ ରାସ୍ତାରେ ପଡୁଛି ନଦୀ ନାଳ । ବର୍ଷାଦିନ ଆସିଲେ ଗମନାଗମନ ଠପ୍। ବିପଦ ସଙ୍କୁଳ ଅବସ୍ଥାରେ ଲୋକେ ନଦୀ ନାଳ ପାର ହେବାକୁ ଭୟ କରୁଛନ୍ତି।ତଥାପି ପରିବାର ପ୍ରତିପୋଷଣ ସରକାରୀ କାମ ଓ ଜରୁରୀ କାମରେ ବାଧ୍ଯ ହୋଇ ଜୀବନକୁ ବାଜି ଲଗାଇ ବିଦ୍ୟାଳୟ/ମହାବିଦ୍ୟାଳୟକୁ ପାଠ ପଢିବା ପାଇଁ, ବାର୍ଦ୍ଧକ୍ଯଭତ୍ତା, ଟଙ୍କିକିଆ ଚାଉଳ ଆଣିବାକୁ ନଦୀ ପାର ହୋଇ ଯାଆନ୍ତି ।
ଏଭଳି ଏକ ଗ୍ରାମ ହେଉଛି ମୋହନା ବ୍ଲ୍କକ ଠାରୁ ପ୍ରାୟ ୭୦ କିମି ଦୂରରେ ରହିଥିବା ଦୁର୍ଗମ ଗ୍ରାମ ଗରଡମା ପଞ୍ଚାୟତରେ ରାଜଖମା ଗ୍ରାମ। ଏହି ଗ୍ରାମରେ ବାସକରନ୍ତି ୩୫ ଘରର ୨୦୦ରୁ ଉର୍ଦ୍ଧ୍ଵ ଲୋକେ ଏଠି ପାନୀୟ ଜଳର ଘୋର ଅଭାବ ସାଙ୍ଗକୁ ରାସ୍ତାଘାଟର ଦୂରାବସ୍ଥା ।ପଜ୍ଜା ରାସ୍ତା ନ ଥିବାରୁ ଲୋକଙ୍କ ବାରମ୍ଵାର ଅଭିଯୋଗ ପରେ ପ୍ରଶାସନ ତିତିଲି ପରେ ଘାଟି କଟା ଯାଇ ମାଟି ପକାଇ ରାସ୍ତା ନିର୍ମାଣ କରିଥିଲା । କିନ୍ତୁ ବର୍ଷାରେ ଧୋଇ ହୋଇଯାଇଛି ରାସ୍ତା । ସ୍ଥାନୀୟ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କିଛି ସ୍ଥାନରେ କଲଭର୍ଟ ନିର୍ମାଣ ହୋଇଛି। କିନ୍ତୁ ତାହାର ଭଉୟ ପାର୍ଶ୍ଵରେ ପଥର ବାଡ କି ମାଟି ମଧ୍ୟ ପକାଯାଇନି ।
ଠିକାଦାର ଓ ଯନ୍ତ୍ରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକାରେ ରାଜକୋଷରୁ ଟଙ୍କା ହଡପ କରିନେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗରଡମା ପଞ୍ଚାୟତ କାର୍ଯ୍ୟାଳୟ ଓ ମୋହନା ବ୍ଳକକୁ ଯେକୌଣସି କାମରେ ଯିବାକୁ ହେଲେ ବେତାଗଣ୍ଡା, କୁରୁମା, କୁଟିପଦର, ରାଜଖମା, ଗୁରୁପଙ୍କା, ପଣିସଢିଅ ଆଦି ୭ ଖଣ୍ଡ ଗ୍ରାମର ଲୋକେ କନ୍ଧମାଳ ଜିଲ୍ଲା ଗଦାପୁର ନଦୀ ପାର ହୋଇ ଯିବାକୁ ପଡେ । ବର୍ଷାଦିନ ହେଲେ ବଢିଲା ନଈ ପାର ହୋଇଯିବା କାଠିକର ପାଠ। ଗ୍ରାମ ଗୁଡିକର କୌଣସି ଗର୍ଭବତୀ ମହିଳା କିମ୍ଵା ରୋଗୀଙ୍କୁ ସ୍ଵାସ୍ଥ୍ୟକେନ୍ଦ୍ରକୁ ନେବାକୁ ହେଲେ ରସହଣ୍ଡାରେ ରଶି ବାନ୍ଧି ନଦୀ ପାର କରିବାକୁ ପଡୁଛି ।
ଗତ ଲଘୁଚାପ ଲଗାଣ ବର୍ଷାରେ ଉପର ମୁଣ୍ଡରୁ ବନ୍ୟାଜଳ ପ୍ରବଳ ବେଗରେ ପ୍ରବାହିତ ହେବାରୁ ଲୋକେ ବିଦ୍ୟୁତ ତାର ନଦୀର ଉଭୟ ପାର୍ଶ୍ଵରେ ରହିଥିବା ଗଛକୁ ବାନ୍ଧି ପାର ହେଉଛନ୍ତି। ଏହି ଗଦାପୁର ନଦୀ ଉପରେ ପୋଲ ନିର୍ମାଣ ପାଇଁ ପଞ୍ଚାୟତବାସୀ ନେତା, ମନ୍ତ୍ରୀ, ସ୍ଥାନୀୟ ପ୍ରଶାସନ ଓ ଜିଲ୍ଲା ପ୍ରସାଶନକୁ ବିଭିନ୍ନ ସମୟରେ ଲିଖିତ ଓ ମୌଖିକ ଭାବେ ଜଣାଇଥିଲେ ମଧ୍ୟ ପ୍ରତିଶୃତି ପାଣିରେ ଗାର ଭଳି ରହିଯାଇଛି। ବହୁ ଦିନର ଏହି ଦାବିକୁ ପ୍ରଶାସନ ପୂରଣ କରି ନପାରିଲେ ଅଞ୍ଚଳବାସୀ ଆଗାମୀ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି । (ଗରୁଡ଼ଧ୍ଵଜଚୌଧୁରୀ )
No Result
View All Result