ଓଡ଼ିଶା ତାଜା ନ୍ୟୁଜ (୧୧ ସେପ୍ଟେମ୍ବର ଶନିବାର ) ଗଜପତି :- ଗଜପତି ଜିଲ୍ଲା ଦିନିକିଆ ଗ୍ରସ୍ତ ରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଗଜପତି ଜିଲ୍ଲା ଗସ୍ତକରି ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ଏବଂ ଜିଲ୍ଲାରେ ରହିଥିବା ପର୍ଯ୍ୟଟନ ସମ୍ଭାବନାର କ୍ଷେତ୍ରସ୍ତରୀୟ ଅନୁଧ୍ୟାନ କରିଥିଲେ । ଶ୍ରୀ ମହାପାତ୍ର ବ୍ରହ୍ମପୁରରୁ ପାରଳାଖେମୁଣ୍ଡି ରାସ୍ତାରେ ତୁମ୍ବା- ପୁରିଆ ସାହି- ବୁର୍ଖତ ଆଦି ସ୍ଥାନ ଦେଇ ମହେନ୍ଦ୍ରଗିରିର କୁନ୍ତୀ ମନ୍ଦିର, ଯୁଧିଷ୍ଠିର ମନ୍ଦିର ପରିଦର୍ଶନ କରିଥିଲେ । ଶ୍ରୀ ମହାପାତ୍ର ମଧ୍ୟ ମହେନ୍ଦ୍ରଗିରି ଶିଖର ଅଞ୍ଚଳରେ ପର୍ଯ୍ୟଟନ ବିକାଶର ସମ୍ଭାବନା ଅନୁଧ୍ୟାନ କରିଥିଲେ । ଏହିସବୁ ମନ୍ଦିର ଏବଂ ମହେନ୍ଦ୍ରଗିରିକୁ ପର୍ଯ୍ୟଟକମାନଙ୍କ ନିମନ୍ତେ ଅଧିକ ଆକର୍ଷଣୀୟ କରିବା ପାଇଁ ଆବଶ୍ୟକୀୟ ନିର୍ଦ୍ଦେଶମାନ ଦେଇଥିଲେ । ଏହା ସହ ମହେନ୍ଦ୍ରଗିରି ଜୈବ ଅଞ୍ଚଳର ଜୈବବିବିଧତା ବୃଦ୍ଧି କରିବା ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ବିଷୟରେ ଜଙ୍ଗଲ ବିଭାଗ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।

ପର୍ଯ୍ୟଟକମାନଙ୍କ ନିମନ୍ତେ ବ୍ରହ୍ମପୁର ଓ ପାରଳାଖେମୁଣ୍ଡି ରାସ୍ତାକୁ ସଂଯୋଜିତ କରୁଥିବା ସ୍ଥାନ ବୁର୍ଖତଠାରେ ପର୍ଯ୍ୟଟକ-ରହଣି କ୍ୟାମ୍ପ୍ ଓ ସୁବିଧା କେନ୍ଦ୍ର ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ଗସ୍ତକାଳରେ ମୁଖ୍ୟ ଶାସନ ସଚିବ ଛେଳିଗଡ଼ ଜଳସେଚନ ପ୍ରକଳ୍ପ ଏବଂ ଖସଡ଼ା ଜଳପ୍ରପାତ ପର୍ଯ୍ୟଟନ ବିକାଶ ଆଦିର ସମୀକ୍ଷା କରିଥିଲେ । ସମୀକ୍ଷାରୁ ଜଣାପଡ଼ିଥିଲା ଯେ ଇତି ମଧ୍ୟରେ ଛେଳିଗଡ଼ ମଧ୍ୟମ ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି । ଏହାର ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ ।
















