No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୨ ଅଗଷ୍ଟ ଗୁରବାର ) ଭୁୁବନେଶ୍ୱର :- ବୁଧବାର ପ୍ରଜାତନ୍ତ୍ରର ୭୫ତମ ପ୍ରତିଷ୍ଠା ଦିବସରେ ଅତିଥି ରୂପେ ଯୋଗ ଦେଇଥିବା ସାମ୍ବାଦିକ ଓ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ବକ୍ତବ୍ୟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ବକ୍ତବ୍ୟ ରେ ବିଭିନ୍ନ ବିରୋଧୀ ମନ୍ତବ୍ୟ ରଖି ଖୁବ୍ ଚର୍ଚ୍ଚା ସାଉଁଟୁଛନ୍ତି ସୌମ୍ୟ । ମନ୍ତବ୍ୟ ରେ ସୌମ୍ୟ କହିଛନ୍ତି ଯେ , ବବି ଓ ପାଣ୍ଡିଆନ୍ ନବୀନଙ୍କର ଦୁଇ ଆଖି ଓ ଏ ଦୁଇଟି ଆଖିରେ ମୁଖ୍ୟମନ୍ତ୍ରୀ ଯାହା ଦେଖିବେ, ତାହା ତାଙ୍କ ଦୁନିଆ ବୋଲି କଟୁ କରିଛନ୍ତି । କିଛି ଦିନ ତଳେ ତାଙ୍କ ନିଜ ସମ୍ବାଦ ଖବର କାଗଜ ର “ଆମ ଘରର ହାଲଚାଲ” ସ୍ତମ୍ଭରେ ସୌମ୍ୟ ଏହିଭଳି ନବୀନ ଙ୍କୁ ଆକ୍ଷେପ କରି ଲୋକ ଲୋଚନ କୁ ଆଣିଥିଲେ । ତେବେ ସୌମ୍ୟ ଏହି ପ୍ରସଙ୍ଗ କୁ ଥରେ କିମ୍ବା ଦୁଇ ଥର ନୁହେଁ, ଗଲା ଦୁଇ ବର୍ଷ ଭିତରେ ଏଭଳି ଢ଼ଙ୍ଗରେ ବାରମ୍ବାର ନବୀନଙ୍କୁ ଟାର୍ଗେଟ୍ କରି ଆସୁଛନ୍ତି ।
ତେବେ ପ୍ରଜାତନ୍ତ୍ର ଉତ୍ସବରେ ସୌମ୍ୟ ବାବୁ ଙ୍କ ର ଏହି କଥା କୁହା ଢଙ୍ଗ ଲୋକଙ୍କୁ କୌତୁହଳ ଲାଗୁଥିବା ବେଳେ କଥା ରେ କଥାରେ ବିଜେଡି ଦଳ ପ୍ରମୁଖଙ୍କ ଉପରେ ଆଙ୍ଗୁଳି ନିର୍ଦେଶ କରୁଛନ୍ତି ସୌମ୍ୟ । ଯେପରିକି ସେ ଗତ ୧୫ ବର୍ଷ ଧରି ସେଇ ନବୀନ ପଟ୍ଟନାୟକଙ୍କୁ ଅଧିକ ଗାଳି କରି ଆସୁଛନ୍ତି । ଚାଷୀ ବିରୋଧୀ, ଓଡ଼ିଆ ଭାଷା ବିରୋଧୀ କହି ତାଙ୍କର ଚଉଦ ପୁରୁଷ ଉଦ୍ଧାର କରୁଥିଲେ । ସରକାରଙ୍କ ବିରୋଧରେ ଚାଷୀ ଆନ୍ଦୋଳନର ନେତୃତ୍ୱ ନେଇ ବିଜେଡ଼ି ସରକାରଙ୍କ ଆତ୍ମାର ସଦଗତି କାମନା କରୁଥିଲେ ।
ହେଲେ ଗତ ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଅଚାନକ ନବୀନ ନିବାସକୁ ରାତି ଅଧିଆ ବିଜେ କରିଥିଲେ । ଏହାର କିଛି ଦିନ ପରେ ନବୀନଙ୍କ ମଙ୍ଗ ଧରିଲେ ଏବଂ ବିଜେଡ଼ିରେ ବିଧିବଦ୍ଧ ଯୋଗଦେବାର ୪ ଘଣ୍ଟା ଭିତରେ ରାଜ୍ୟସଭା ଟିକେଟ ହାତେଇ ନେଲେ ସୌମ୍ୟ । ସାଂସଦ ଭାବେ ପ୍ରାୟ ବର୍ଷେ ରହିଲା ପରେ ବିଧାୟକ ହେବାକୁ ମନ ବଳାଇଲେ ଏବଂ ନବୀନ ନିବାସରେ ଅଧିଆ ପଡ଼ି ଖଣ୍ଡପଡ଼ା ଟିକେଟ ନେଇଗଲେ । ବିଜେଡ଼ି ଦୁର୍ଗ ଖଣ୍ଡପଡ଼ାରୁ ସର୍ବାଧିକ ଭୋଟ ବ୍ୟବଧାନରେ ବିଜୟୀ ହେବାରେ ତାଙ୍କର ନାଁ ବି ରେକର୍ଡ ହେଲା । ବିଜେଡ଼ିର ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ଏବେ ତାଙ୍କ ଦାୟିତ୍ୱରେ ରହିଛି ୭ଟି ଜିଲ୍ଲା ।
ହେଲେ ବିଜେଡି ରେ ସୌମ୍ୟ ଙ୍କ ର ସଫଳ ଯାତ୍ରା ହଜମ ହେଉଛି କେଉଁଠି..? ତେବେ ସୌମ୍ୟ ପଟ୍ଟନାୟକଙ୍କର ଏହି ସଫଳ ବିଜେଡ଼ି ଯାତ୍ରା କାହା ଯୋଗୁଁ ସମ୍ଭବ ହୋଇଛି ତାହା ରାଜନୈତିକ ମହଲରେ କାହାରିକୁ ଅଛପା ନାହିଁ । ତାଙ୍କ କହିବା ଅନୁସାରେ ପାଣ୍ଡିଆନ୍ ଓ ବବିଙ୍କ ଆଖିରେ ନବୀନ ବାବୁ ତାଙ୍କ ଦୁନିଆଁ ଦେଖନ୍ତି । ଏହା ଯଦି ସତ, ତାହା ହେଲେ ବିଜେଡ଼ିରେ ତାଙ୍କର ପହଞ୍ଚ ଏହି ଦୁଇଜଣଙ୍କ ବିନା ସହଯୋଗ ଓ ସମର୍ଥନରେ କଦାପି ସମ୍ଭବ ହୋଇ ନ ଥିବ । ସେତେବେଳେ ସୌମ୍ୟ ବାବୁଙ୍କୁ ଏହା କେମିତି ପସନ୍ଦ ହୋଇଥିଲା..? ତାଙ୍କର ସ୍ୱାଭିମାନ ସେତେବେଳେ କେଉଁଠି ଥିଲା..? ତୃତୀୟ ନୟନ କରୁଥିଲା କ’ଣ…? ରକ୍ଷକ ହେବା ପରିବର୍ତ୍ତେ ଭକ୍ଷକ ହୋଇଗଲା କି ..? ବୋଲି ଶୁଣାଯାଏ, ମନ୍ତ୍ରୀ ପଦ ସକାଶେ ମୁଖ୍ୟମନ୍ତ୍ରୀଙ୍କୁ ମନାଇବା ପାଇଁ ସୌମ୍ୟବାବୁ ଏହି ଦୁଇଜଣଙ୍କୁ ବହୁତ ନେହୁରା ହୋଇଥିଲେ ।
ନିଜର ଖବରକାଗଜକୁ ବି ଆୟୁଧ କରିଥିଲେ । ସମ୍ଭବତଃ ସେଥିରେ ବିଫଳ ହେଲା ପରେ ସୌମ୍ୟ ବାବୁ ଉତକ୍ଷିପ୍ତ ହୋଇପଡ଼ିଛନ୍ତି । ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ଭାଷାରେ, ସୌମ୍ୟଙ୍କୁ ଭଗବାନ ଆସିଲେ ବି ସନ୍ତୁଷ୍ଟ କରିପାରିବେନି ।ପ୍ରଜାତନ୍ତ୍ର ସଭାରେ ସୌମ୍ୟ ବାବୁ ଆହୁରି କହିଛନ୍ତି ଯେ ନବୀନଙ୍କ ଦୁଇ ଆଖି ଯେ ସବୁବେଳେ ସତ କହିବେ, ସେଥିରେ ଗ୍ୟାରେଣ୍ଟି ନାହିଁ । ସେମାନଙ୍କ କଥା ମାନି ମଣିମା ଯଦି କାଉକୁ ଧଳା କହିବାକୁ ଚେଷ୍ଟା କରନ୍ତି ତ କଥା ସରିଲା । ସେତେବେଳେ ଶାସନରେ ନିଶ୍ଚିତ ବିଭ୍ରାଟ ସୃଷ୍ଟି ହେବ ।

ସୌମ୍ୟ ଙ୍କୁ ବିଜେଡ଼ିକୁ ଆଣି ଏମପି ଓ ଏମଏଲଏ ଟିକେଟ କରାଇବା ପଛରେ ଶୁଣା ଯାଏ ଯେ ପ୍ରଣବ ପ୍ରକାଶ(ବବି) ଦାସଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ବବିଙ୍କ ଉଦ୍ୟମରେ ତାଙ୍କର ବିଜେଡ଼ି ଯୋଗଦାନ ଓ ପରବର୍ତ୍ତୀ ଅବସ୍ଥାରେ ଦଳରେ ତାଙ୍କର ବିଭୀଷଣ ଭୂମିକା ଶାସନରେ ବିଭ୍ରାଟ ସୃଷ୍ଟି କରୁଛି ବୋଲି ଦଳର ଜଣେ ବରିଷ୍ଠ ନେତା କ୍ଷୋଭ ପ୍ରକାଶ କରିଛନ୍ତି । ବାକି ରହିଲା ସୌମ୍ୟଙ୍କ ତୃତୀୟ ନୟନ ନାରା । ସାମ୍ବାଦିକମାନେ ଶାସକଙ୍କ ତୃତୀୟ ନୟନ ଭଳି କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି । ସାମ୍ବାଦିକମାନେ ଶିବଙ୍କ ଭଳି ଅଳ୍ପକେ ସନ୍ତୁଷ୍ଟ ରହି ରହି ସର୍ବଦା ସତର୍କ ରହିଲେ, ଅବକ୍ଷୟ ଆକ୍ରାନ୍ତ ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ସହାୟକ ହୋଇପାରିବ ବୋଲି ତାଙ୍କର ମତ ।
ସୌମ୍ୟ ବାବୁ ଜଣେ ଜ୍ଞାନୀ, ବିଦ୍ୱାନ ମଣିଷ । ସାମ୍ବାଦିକତାର ପରିଭାଷା ତାଙ୍କଠାରୁ ଅଧିକ କାହାରିକୁ ଜଣା ନ ଥିବ । ଆଧୁନିକ ଓଡ଼ିଶାରେ ସାମ୍ବାଦିକତା ଗୁରୁ ଭାବେ ତାଙ୍କର ଯଥେଷ୍ଟ ସମ୍ମାନ ଅଛି । ସାମ୍ବାଦିକମାନଙ୍କୁ ତାଙ୍କର ପରାମର୍ଶ ଅତ୍ୟନ୍ତ ସ୍ୱାଗତଯୋଗ୍ୟ । ତେବେ ସେ ଯାହା ପରାମର୍ଶ ଦେଉଛନ୍ତି ନିଜେ ପାଳନ କରୁଛନ୍ତି ତ..? ଗଣମାଧ୍ୟମକୁ ଆୟୁଧ କରି ଅର୍ଥ ଓ କ୍ଷମତାର ପ୍ରାଚୁର୍ଯ୍ୟ ଭୋଗ କରୁଥିବା ସୌମ୍ୟ ବାବୁ ପେଟପାଇଁ ସଂଘର୍ଷରତ ସାମ୍ବାଦିକକୁ ଏହି ନୀତିବାଣୀ ଶୁଣାଇବା ହାସ୍ୟାସ୍ପଦ ନୁହେଁ କି..?
ଶେଷରେ, ପ୍ରଜାତନ୍ତ୍ର ପ୍ରତିଷ୍ଠା ଦିବସରେ ସମ୍ମାନିତ ଅତିଥି ଭାବେ ସୌମ୍ୟ ବାବୁଙ୍କ ଯୋଗଦାନକୁ ରାଜନୈତିକ ମହଲ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି । ପ୍ରଜାତନ୍ତ୍ର ସମ୍ପାଦକ ଭର୍ତ୍ତୃହରି ମହତାବ ହେଉଛନ୍ତି ବିଜେଡ଼ିର ଅସନ୍ତୁଷ୍ଟ ସାଂସଦ । ଲୋକସଭାରେ ବିଜେଡ଼ି ସଂସଦୀୟ ଦଳ ନେତା ପଦରୁ ତଡ଼ା ଖାଇଲା ପରେ ନବୀନ ପଟ୍ଟନାୟକ ତାଙ୍କୁ ଭଲ ଲାଗୁନାହାନ୍ତି । ନବୀନଙ୍କ ବିରୋଧରେ ଛାୟା ଯୁଦ୍ଧ କରି ବିଜେପି ଆଶ୍ରା ଲୋଡୁଥିବା କୁହାଯାଉଛି । କଟକ ଆସନରୁ ୬ ଥର ଲୋକସଭାକୁ ନିର୍ବାଚିତ ହୋଇଥିବା ଭର୍ତ୍ତୃହରି ନିର୍ବାଚନ ସମୟ ଛଡ଼ା ତାଙ୍କ ନିର୍ବାଚନମଣ୍ଡଳୀକୁ ଯାଆନ୍ତି ନାହିଁ । ନବୀନ ଓ ଶଙ୍ଖ ହେଉଛି ତାଙ୍କ ସମ୍ବଳ । ଗତଥର ତାଙ୍କ ଟିକେଟ କଟିବାକୁ ବସିଥିଲା । ମାତ୍ର ମୁଖ୍ୟମନ୍ତ୍ରୀଙ୍କୁ ନେହୁରା ହୋଇ ପୁଣି ଟିକେଟ ନେଇଥିଲେ ।
ମନ୍ତ୍ରୀ ପଦ ନ ପାଇ ହତାଶାରେ ଥିବା ସୌମ୍ୟଙ୍କୁ ନିଜ ଖବରକାଗଜ ଉତ୍ସବକୁ ଡକାଇ ତାଙ୍କ ମୁହଁରେ ମୁଖ୍ୟମନ୍ତ୍ରୀଙ୍କ କୁତ୍ସାରଟନା କରିବାର ଯୋଜନା ଭର୍ତ୍ତୃହରି ରଚିଥିଲେ ବୋଲି କୁହାଯାଉଛି । ସୌମ୍ୟ ବି ଏଭଳି ସୁଯୋଗ ହାତଛଡ଼ା କରିବାକୁ ଚାହିଁ ନ ଥିଲେ । ତେବେ ପୂର୍ବରୁ ସମାନ ଘଟଣାରେ ପ୍ରଫୁଲ୍ଲ ଘଡ଼ାଇଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା ବେଳେ ସୌମ୍ୟ କିମ୍ବା ଭର୍ତ୍ତୃହରିଙ୍କ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ହେଉ ନ ଥିବାରୁ ଦଳୀୟ ମହଲରେ କ୍ଷୋଭ ପ୍ରକାଶ ପାଇଛି । ସୌମ୍ୟ ଙ୍କ ର ପ୍ରତିକ୍ରିୟା ରେ ଦଳ ଭିତରେ ବିଶୃଙ୍ଖଳତା ସୃଷ୍ଟି ହେଉଥିବା ବେଳେ କର୍ମୀଙ୍କ ମଧ୍ୟରେ ବିଶୃଙ୍ଖଳତା ଧାରଣା ମଧ୍ୟ ହେଲାଣି । ତଥା ବିଜେଡ଼ିରେ ସୁବିଧାବାଦୀ ରାଜନୀତିର କାୟା ବଢ଼ୁଥିବା ନେଇ ବରିଷ୍ଠ ବର୍ଗ ଙ୍କ ଠାରେ ପ୍ରକାଶ ପାଉଛି ।
No Result
View All Result