No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୦ ଅଗଷ୍ଟ ମଙ୍ଗଳବାର ) ପାରଳାଖେମୁଣ୍ଡି :- ବିଶ୍ୱ ଆଦିବାସୀ ଦିବସ ଅବସରରେ ଅଖିଳ ଭାରତ କିଶାନ୍ ମଜଦୁର୍ ସଭା ପକ୍ଷରୁ ଗୁମ୍ମା ବ୍ଲକର ଗାଇବା ପଞ୍ଚାୟତ ଅନ୍ତର୍ଗତ ବରୁଡି ଠାରେ ଆଦିବାସୀମାନଙ୍କ ଏକ ସଭା ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଆଦିବାସୀ ନେତା ରମେଶ ଗମାଙ୍ଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସଭାରେ କିଶାନ୍ ମଜଦୁର ସଭାର ଜାତୀୟ କମିଟି ସମ୍ପାଦକ ଭାଲଚନ୍ଦ୍ର ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜମି ଓ ଜଙ୍ଗଲ ଉପରେ ଆଦିବାସୀମାନଙ୍କ ଅଧିକାର ପାଇଁ ସଂଗ୍ରାମ କରିବାକୁ ଆହ୍ୱାନ ଦେଇଥିଲେ ।
ରାଜ୍ୟର ଏକ ଚତୁର୍ଥାଂଶ ଲୋକ ଆଦିବାସୀ ହୋଇଥିଲେ ମଧ୍ୟ ସରକାରୀ ଅବହେଳା କାରଣରୁ ସେମାନଙ୍କ ଭାଷା ଓ ସଂସ୍କୃତି ଆଜି ଲୋପ ପାଇବାକୁ ବସିଛି ବୋଲି କହିଥିଲେ । ଆଦିବାସୀ ଓ ଅନ୍ୟ ପାରମ୍ପାରିକ ବନଜୀବିଙ୍କ ଲଗାତାର ସଂଘର୍ଷ ଫଳରେ ଯେଉଁ ଜଙ୍ଗଲ ଅଧିକାର ଆଇନ ପ୍ରଣୟନ ହୋଇଛି ତାକୁ ଲାଗୁ କରିବାକୁ ବି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଆନ୍ତରିକତା ନଥିବା ବକ୍ତାମାନେ ଅଭିଯୋଗ କରିଥିଲେ । କେନ୍ଦ୍ରର ମୋଦି ସରକାର ବୃହତ୍ତ କର୍ପୋରେଟ୍ ମାନଙ୍କ ସ୍ୱାର୍ଥରେ ଯେଉଁ ତିନୋଟି କୃଷି ଆଇନ ଓ ବିଦ୍ୟୁତ ବିଲ୍ ଆଣିଛନ୍ତି ତାହା ଦେଶର କୋଟି କୋଟି ଆଦିବାସୀ କୃଷକଙ୍କୁ ବରବାଦ୍ କରିବା ବୋଲି କହିଥିଲେ ।
ଏହି ଅବସରରେ ଜମି ଓ ଜଙ୍ଗଲ ଉପରେ ଆଦିବାସୀଙ୍କୁ ଅଧିକାର ଦେବା, ତିନି କଳା କୃଷି ଆଇନ ପ୍ରତ୍ୟାହାର କରିବା, ସବୁ ଜଙ୍ଗଲଜାତ ଓ କୃଷି ଉତ୍ପାଦର ସର୍ବନିମ୍ନ ସହାୟକ ମୂଲ୍ୟ ପାଇଁ ଆଇନ କରିବା, କଳା ବିଦ୍ୟୁତ ବିଲକୁ ଫେରାଇ ନେବା, ଆଦିବାସୀ ପିଲାଙ୍କୁ ମାତୃଭାଷାରେ ଶିକ୍ଷାଦାନର ବ୍ୟବସ୍ଥା କରିବା, ଆଦିବାସୀ ଭାଷା, ଲିପି ଓ ସଂସ୍କୃତିର ବିକାଶ ବ୍ୟବରାଦ କରି ଠୋସ ପଦକ୍ଷେପ ନେବା,
ଜଙ୍ଗଲ ଜମିରୁ ଆଦିବାସୀଙ୍କୁ ହଟାଇବା ବନ୍ଦ କର, ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ଜଙ୍ଗଲ ଜମିରେ ଚାଷ ବାସ କରି ରହୁଥିବା ଆଦିବାସୀଙ୍କୁ ପଟ୍ଟା ଦେବା ଆମର ଦେବା, ଆଦିବାସୀ ଛାତ୍ରଛାତ୍ରୀମାନଙ୍କୁ ଦିଆଯାଉଥିବା ଷ୍ଟାଇପେଣ୍ଡ ରାଶିକୁ ବୃଦ୍ଧି କରିବା ଆଦି ଦାବି କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କିଶାନ୍ ମଜଦୁର୍ ସଭାର ଜିଲ୍ଲା କମିଟି ସଭ୍ୟ କାଡୁକା ଶବର, ତିସନ୍ ଭୂୟାଁ, ରମେଶ ଗମାଙ୍ଗ ପ୍ରମୁଖଙ୍କ ସମେତ ବିଭିନ୍ନ ଗ୍ରାମର ଆଦିବାସୀ ଶହ ଶହ ସଂଖ୍ୟାରେ ଯୋଗ ଦେଇଥିଲେ । ସଭା ଶେଷରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । (ଗରୁଡ଼ ଧ୍ଵଜଚୌଧୁରୀ)
No Result
View All Result