No Result
View All Result
ଓଡ଼ିଶା ତାଜା ନ୍ୟୁଜ (୩୦ ଜୁଲାଇ ଶୁକ୍ରବାର ) ହିଞ୍ଜିଳିକାଟୁ :- ପୁଣି ହଜିଗଲା ମା’ର ମାନବିକତା।ନିଜ ଗର୍ଭରୁ ସଦ୍ୟ ଜନ୍ମିତ ଏକ ନିଷ୍ପାପ ଶିଶୁପୁତ୍ରକୁ ମାତୃତ୍ୱ କୋଳରେ ଆଲିଙ୍ଗନ କରିବା ପରିବର୍ତ୍ତେ ନିଷ୍ଠୁର ଆଚରଣ ପ୍ରଦର୍ଶନ କରିଛି ମା।ନିଜ ବିବେକ ଓ ମଣିଷ ପଣିଆକୁ ଜଳାଞ୍ଜଳି ଦେଇ ଶେଷରେ ନିଷ୍ଠୁର ମା ନିଜ ଔରସରୁ ଜନ୍ମିତ ଶିଶୁପୁତ୍ରକୁ ଅଲୋଡ଼ା ଭାବି ଗାଁ ମୁଣ୍ଡ ପୋଖରୀ ହୁଡ଼ାରେ ଫିଙ୍ଗି ଦେଇ କେଉଁଆଡ଼େ ଚାଲିଯାଇଛି।ଗାଁ କୁକୁର ଓ ବିଲୁଆଙ୍କ ଆହାର ହେବା ବଦଳରେ ସୌଭାଗ୍ୟ ବଶତଃ ନିଷ୍ପାପ ନବଜାତ ଶିଶୁ ପୁତ୍ରଟି ବଞ୍ଚି ଯାଇଛି।ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଶୁକ୍ରବାର ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ତଥା ଶେରଗଡ଼ ବ୍ଳକ ଅନ୍ତର୍ଗତ ବ୍ରାହ୍ମଣଛାଇ ଗ୍ରାମ ନୁଆଁସାହି ପାଖ ପୋଖରୀ ହୁଡ଼ାରେ ଭୋର ପ୍ରାୟ ୩ ଟା ସମୟରେ ଘଟିଛି।ପରେ ଗ୍ରାମବାସୀ ଶିଶୁପୁତ୍ର ଟିକୁ ଉଦ୍ଧାର କରି ସ୍ଥାନୀୟ ଥାନା ଅଧିକାରୀ ଓ ଶେରଗଡ଼ ସିଡିପିଓଙ୍କୁ ଘଟଣା ସମ୍ପର୍କରେ ଅବଗତ କରିଥିଲେ।ଶେରଗଡ଼ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ବିଭାଗ କାର୍ଯ୍ୟାଳୟର ଅଧିକାରୀ ଗୀତରାଣୀ ରାଉଳଙ୍କ ସୂଚନା ଅନୁଯାୟୀ ଶୁକ୍ରବାର ଭୋର ୩ ଘଣ୍ଟା ସମୟରେ ବ୍ରାହ୍ମଣଛାଇ ଗାଁର ପ୍ରମିଳା ପୃଷ୍ଟି ନୁଆଁ ସାହି ନିକଟରେ ଥିବା ପୋଖରୀକୁ ଗାଧୋଇବା ପାଇଁ ଯିବା ସମୟରେ ହୁଡ଼ାରେ ଏକ ସଦ୍ୟ ଜନ୍ମିତ ଶିଶୁପୁତ୍ର କୁ ଦେଖିବାକୁ ପାଇଥିଲେ ।

ପରେ ସେ ସେଠାରୁ ଶିଶୁପୁତ୍ରଟିକୁ ଉଦ୍ଧାର କରି ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ପରେ ଗ୍ରାମବାସୀଙ୍କ ଠାରୁ ଖବର ପାଇ ଶେରଗଡ଼ ସିଡିପିଓ ଶ୍ରୀମତୀ ରାଉଳ ସୁପରଭାଇଜର ଏ.ବାସନ୍ତୀ ଓ ମିନତି ଜେନା ଗ୍ରାମରେ ପହଞ୍ଚି ଜନ୍ମିତ ଶିଶୁପୁତ୍ରର ଚିକିତ୍ସା ଲାଗି ହିଞ୍ଜିଳି କାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରି ଚାଇଲଡ଼ ଲାଇନ ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ।ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟର ଭାରପ୍ରାପ୍ତ ଅଧିକ୍ଷକ ଡାକ୍ତର ପ୍ରତିଭା ପାତ୍ରଙ୍କ ତତ୍ତ୍ୱାବଧାନରେ ଉଦ୍ଧାର ଶିଶୁର ସ୍ୱାସ୍ଥ୍ୟ ପରୀକ୍ଷା ନିରୀକ୍ଷା କରାଯାଇଥିଲା। ପରେ ସିଡିପିଓ ଶ୍ରୀମତୀ ରାଉଳ ସ୍ଥାନୀୟ ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ଙ୍କ ଠାରେ ଏକ ଲିଖିତ ଅଭିଯୋଗ ଦାଖଲ କରି ଅଧିକ ଚିକିତ୍ସା ନିମନ୍ତେ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନା ନବଜାତକ ଶିଶୁ ବିଭାଗର ଜରୁରୀ କାଳୀନ ୱାର୍ଡରେ ଶିଶୁଟି ଭର୍ତ୍ତି କରାଯାଇଥିବା ସେ କହିଛନ୍ତି।ଘଟଣା ସମ୍ପର୍କରେ ଜିଲ୍ଲା ଚାଇଲଡ଼ ଲାଇନକୁ ଅବଗତ କରା ଯାଇଥିଲେ ମଧ୍ୟ ଉପଖଣ୍ଡ ଚିକିତ୍ସାଳୟରେ କେହି ଉପସ୍ଥିତ ନ ଥିବା ଜଣାପଡିଛି।ଶିଶୁପୁତ୍ରର ଓଜନ ଓ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଡାକ୍ତରଙ୍କ ଠାରୁ ସୂଚନା ମିଳିଛି।ଅବାଞ୍ଛିତ ମାତୃତ୍ୱ ଓ ଲୋକଲଜ୍ଜା ଆଶଙ୍କାରେ କୌଣସି ମହିଳା ଏପରି ଅମାନବୀୟ କାଣ୍ଡ ଭିଆଇଥିବା ଆଖପାଖ ଅଞ୍ଚଳରେ ଚର୍ଚ୍ଚା ଧରିଛି । ( ରିପୋର୍ଟ : ଶୁସାନ୍ତ ପ୍ରଧାନ )
No Result
View All Result