No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୮ ଜୁଲାଇ ବୁଧବାର ) ଭୁବନେଶ୍ୱର :- ହାଇଦର୍ ଏନ୍କାଉଣ୍ଟର୍…ଚାଲିଛି ଏସ୍କର୍ଟ ପାର୍ଟିର ବୟାନ ରେକର୍ଡ, କ’ଣ ପାଇଁ ପେଟରେ ଗୁଳି ବାଜିଲା ଏସ୍ଆଇ ଜଣାଇଲେ !. ହାଇଦର୍ ଏନ୍କାଉଣ୍ଟର୍ର ଛାନ୍ଭିନ୍ ଆଉ ପାଦେ ଆଗେଇଛି । ସୁଟ୍ଆଉଟ୍ ସ୍ପଟ୍ରେ ତଦନ୍ତ ଶେଷ ପରେ ଏବେ ସିମୁଳିଆ ଥାନା ପୁଲିସ ଏସ୍କର୍ଟ ପାର୍ଟିର ବୟାନ ରେକର୍ଡ କରୁଛନ୍ତି। ଏଥି ସହିତ ଏସ୍କର୍ଟ ପାର୍ଟିରେ ସାମିଲ୍ ୧୧ ଜଣଙ୍କୁ ପଚରାଉଚରା ମଧ୍ୟ କରାଯାଉଛି । ବାଲାଷ୍ଟିକ୍ ଯାଞ୍ଚ୍ ନିମନ୍ତେ ଗୁଳି ଫୁଟିଥିବା ଏସ୍ଆଇଙ୍କ ସର୍ଭିସ୍ ପିସ୍ତଲ୍କୁ ସିମୁଳିଆ ଥାନାରେ ଜମା କରାଯାଇଛି । ହାଇଦର୍ର ଶରୀରରୁ ବାହାରିଥିବା ଗୁଳିକୁ ମଧ୍ୟ ପରୀକ୍ଷା ପାଇଁ ପଠାଯାଇଛି। ପୁଲିସ୍ ଏନ୍କାଉଣ୍ଟର୍ର ପୁଲିସ ତଦନ୍ତ ଏବେ ଏଭଳି ସ୍ଥିତିରେ !. ଚୌଦ୍ୱାର ସର୍କଲ୍ ଜେଲ୍ରୁ ବାରିପଦା ଜେଲ୍କୁ ସ୍ଥାନାନ୍ତର କରାଯିବା ବେଳେ ଗ୍ୟାଙ୍ଗ୍ଷ୍ଟର୍ ସେକ୍ ହାଇଦର୍କୁ ପୁଲିସ ଏନ୍କାଉଣ୍ଟର୍ କରିବା ଓ ପୁଲିସ ଗୁଳିରେ ତାର ମୃତ୍ୟୁ ହେବା ଘଟଣାର ତଦନ୍ତ ଏବେ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା କରୁଛି ।
ଏସକର୍ଟ ପାର୍ଟିର ମୁଖ୍ୟ ଇନ୍ସପେକ୍ଟର ଗଙ୍ଗାଧର ଶାସେନି ଦେଇଥିବା ଏତଲା ଆଧାରରେ ରୁଜୁ ମାମଲାର ତଦନ୍ତ ଜାରି ରହିଛି । ସୁରକ୍ଷା ଦୃଷ୍ଟିକୋଣରୁ ହାଇଦର୍କୁ ଗତ ୨୪ ତାରିଖ ଅପରାହ୍ନରେ କଟକ ପୁଲିସର ଏକ ୧୧ଜଣିଆ ଟିମ୍ ବାରିପଦା ଜେଲ୍କୁ ନେଇ ଯାଉଥିଲେ । ବାଲେଶ୍ୱର ସିମୁଳିଆ ପାଖରେ ହାଇଦର୍ ପରିସ୍ରା କରିବା ପାଇଁ ଗାଡ଼ି ଅଟକାଇ ଜଣେ ସୁରକ୍ଷା କର୍ମୀଙ୍କ ହାତରୁ ଏକେ ୪୭ ବନ୍ଧୁକ ଛଡ଼ାଇ ଦୌଡ଼ିବାକୁ ଉଦ୍ୟମ କଲା ବେଳେ ପୁଲିସ ଏନ୍କାଉଣ୍ଟର୍ କରିଥିଲା !. ହସ୍ପିଟାଲ୍ରେ ହାଇଦର୍ର ମୃତ୍ୟୁ ହୋଇଥିଲା । ସିମୁଳିଆ ଥାନା ଅଧିକାରୀ ଇନିସପେକ୍ଟର ଜୟନ୍ତ କୁମାର ବେହେରା ମାମଲାର ତଦନ୍ତକାରୀ ଅଧିକାରୀ ଥିବା ବେଳେ ତଦନ୍ତ କ୍ରମରେ ଏସ୍କର୍ଟ ଟିମ୍ର ସବୁ ସଦସ୍ୟଙ୍କ ବୟାନ ରେକର୍ଡ କରାଯାଉଛି । ଟିମ୍ର ମୁଖ୍ୟ ଇନ୍ସପେକ୍ଟର ଗଙ୍ଗାଧର ଶାସେନି, ଗୁଳି ଚଳାଇଥିବା ଏସ୍ଆଇ ଅସିତ ରଂଜନ ଜେନା ଓ ଯେଉଁ ହାବିଲଦାର୍ ସୂର୍ଯ୍ୟ କୁମାର ରାଉତଙ୍କଠାରୁ ହାଇଦର୍ ବନ୍ଧୁକ ଛଡ଼ାଇ ନେଇଥିଲା, ସେମାନଙ୍କ ବୟାନ ମାମଲାରେ ଅଧିକ ଗୁରୁତ୍ୱ ରଖୁଥିବାରୁ ସେମାନଙ୍କ କଥା ପ୍ରଥମେ ରେକର୍ଡ କରାଯାଇଛି ।
କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା, କ’ଣ ଏପରି ସ୍ଥିତି ଉପୁଜିଲା ଯେ ପୁଲିସକୁ ଗୁଳି ଚଳାଇବାକୁ ପଡ଼ିଲା, ବିଶେଷ କରି ହାଇଦର୍ର ପେଟ ଓ ଜଂଘରେ ଗୁଳି ବାଜିଥିବାରୁ ଏସ୍ଆଇ ଏପରି ଢଙ୍ଗରେ ଗୁଳି କାହିଁକି ଚଳାଇଲେ, ଏସବୁ ପ୍ରଶ୍ନର ଉତ୍ତର ବୟାନ ଆକାରରେ ରେକର୍ଡ କରାଯାଇଥିବା ସୂଚନା ମିଳିଛି !. ଫେରାର୍ ଅପରାଧୀଙ୍କୁ ଚେତାବନୀ ଦେଇ ରୋକିବା ବେଳେ ସାଧାରଣତଃ ଆଣ୍ଠୁ ତଳକୁ ଗୁଳି ମାରିବା ପାଇଁ ନିୟମ ଥିବା ବେଳେ ଏସ୍ଆଇ କାହିଁକି ତିନିଟି ଗୁଳି ଜଂଘ ଓ ପେଟକୁ ମାରିଥିଲେ ତାହାର କାରଣ ସେ ନିଜ ବୟାନରେ କହିଥିବା ଏକ ଅସମର୍ଥିତ ସୂତ୍ରରୁ ଜଣାପଡ଼ିଛି। ଏହାଛଡ଼ା ଟିମ୍ରେ ଥିବା ଅନ୍ୟ ହାବିଲ୍ଦାର, କନ୍ଷ୍ଟେବଳ ଓ ପୁଲିସ ଭ୍ୟାନ୍ ଡ୍ରାଇଭର୍-ହାବିଲଦାର୍ଙ୍କ ବୟାନ ବି ପର୍ଯ୍ୟାୟକ୍ରମେ ନିଆଯାଉଛି !. ଏଥିସହିତ ତଦନ୍ତକାରୀ ଅଧିକାରୀ ଟିମ୍ର କିଛି ସଦସ୍ୟଙ୍କୁ ଘଟଣା ସଂପର୍କରେ ପଚରାଉଚରା କରି ତଥ୍ୟ ସଂଗ୍ରହ କରୁଛନ୍ତି ।
ଇତିମଧ୍ୟରେ ଆଇନଗତ ବ୍ୟବସ୍ଥା ମୁତାବକ ଗୁଳି ଫୁଟିଥିବା ଏସ୍ଆଇଙ୍କ ସର୍ଭିସ୍ ବନ୍ଧୁକକୁ ଥାନା ଜିମା ଦିଆଯାଇଛି । ବିଚାର ସମୟରେ ବନ୍ଧୁକ ଓ ହାଇଦର୍ର ଶରୀରରୁ ବାହାରିଥିବା ଗୁଳିର ବାଲାଷ୍ଟିକ୍ ରିପୋର୍ଟ ଗୁରୁତ୍ୱ ବହନ କରୁଥିବାରୁ ପ୍ରମାଣ ସଂଗ୍ରହ ପାଇଁ ଏପରି କରାଯାଇଛି । ଏସ୍କର୍ଟ ଟିମ୍କୁ ସହଯୋଗ କରିବା ନିମନ୍ତେ ଘଟଣା ପରଦିନଠାରୁ ବାଲେଶ୍ୱରରେ କଟକର ଏଡିସିପି ପ୍ରମୋଦ ରଥ ରହିଛନ୍ତି । ଏହି କ୍ରମରେ ଉକ୍ତ ଦିନର ସମଗ୍ର ଘଟଣା ସଂପର୍କରେ କୋର୍ଟଙ୍କୁ ଅବଗତ କରାଯାଇଛି । କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ହାଇଦର୍କୁ ଚୌଦ୍ୱାର ଜେଲ୍ରୁ ବାରିପଦା ଜେଲ୍ ନିଆଯାଉଥିବା ହେତୁ ବାଟରେ ଏନ୍କାଉଣ୍ଟରରେ ହାଇଦର୍ର ମୃତ୍ୟୁ ସଂପର୍କରେ ବିସ୍ତୃତ ବିବରଣୀ କୋର୍ଟଙ୍କୁ ବିଧିବଦ୍ଧ ଭାବେ ଅବଗତ କରାଯାଇଛି ! . (ଲାଲା ଅନନ୍ତ କୁମାର ସିଂହଁ )
No Result
View All Result