No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୬ ଜୁଲାଇ ସୋମବାର ) ପାରଳାଖେମୁଣ୍ଡି :- କରୋନା ପ୍ରାଦୁର୍ଭବରେ ଏକ ଦାରୁଣ ଦୁଃଖଦ ଘଟଣା ଦେଖାଦେଇଛି । ରୋଜଗାରିଆ ବାପା କରୋନାରେ ଆରପାରିକୁ ଚାଲିଗଲେ । ଅନାଥ ହେଲେ ଦୁଇ ଝିଅ ଏବଂ ସ୍ତ୍ରୀ । ଘର ଚଳାଇବା ପାଇଁ ଏମାନଙ୍କ ପାଇଁ କୌଣସି ରୋଜଗାର ନାହିଁ । ବହୁ ଦୁଃଖ କଷ୍ଟ ଓ ଅନାହାରରେ ମାଁଆ ଓ ଦୁଇ ଝିଅ ଦିନ କାଟୁଛନ୍ତି । ପ୍ରଶାସନ ଏମାନଙ୍କୁ ସହାୟତାର ହାତ ବଢାଇବା ପାଇଁ ଏହି ୩ ପ୍ରାଣୀ ଆକୁଳ ନିବେଦନ କରିଛନ୍ତି । ଏହି ଘଟଣା ଗଜପତି ଜିଲ୍ଲା ମୋହନା ବ୍ଲକ ଅଧିନ ମୋହନା ପଞ୍ଚାୟତର ହରିଜନ ସାହିର ସୁରଜ ପଲାଇ ଗତ ମାସ ୧୨ ତାରିଖରେ କରୋନା ଆକ୍ରାନ୍ତ ହୋଇ କାଳିଆପେଟା କୋଭିଡ୍ ମେଡିକାଲରୁ ଚିକିତ୍ସିତ ଥିଲେ ।
ଗୁରୁତର ହେବାରୁ ବ୍ରହ୍ମପୁର ଟାଟା କୋଭିଡ୍ ମେଡିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ । ହେଲେ ତାଙ୍କର ଗତ ଜୁଲାଇ ୧୧ତିରଖରେ ମୃତ୍ୟୁ ଘଟିଥିଲା । ତାଙ୍କର ମୃତ୍ୟୁ ଖବର ପାଇ ପରିବାର ଓ ସାଙ୍ଗସାଥୀ ଦୁଃଖରେ ମ୍ରିୟମାଣ ହେବା ସହ ମୋହନା ସହରରେ ଶୋକର ଛାୟା ଖେଳି ଯାଇଥିଲା । ତାଙ୍କର ଦୁଇଟି ଝିଅ ଅଛନ୍ତି । ଗୋଟିଏ ଝିଅ ୬ ବର୍ଷ ହୋଇଥିବା ବେଳେ ବଡ ଝିଅଟି ୯ବର୍ଷର । ଦୁଇ ଝିଅ ମୋହନା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପାଠ ପଢୁଛନ୍ତି । ସୁରଜ ଏକ ବାଇକ ଗ୍ୟାରେଜ କରି ପରିବାର ପ୍ରତିପୋଷଣ କରୁଥିଲେ ।
ଘରର ମୁରବୀ ତଥା ଉପାର୍ଜନ କରି ପରିବାର ପରିପୋଷଣ କରୁଥିବା ସୁରଜ କରୋନାରେ ଚାଲି ଯିବା ପରେ ଦୁଇ ଝିଅ ଓ ସ୍ତ୍ରୀ ଦୁଃଖ ଭାଙ୍ଗି ପଡିବା ସହ ଅସହାୟ ହୋଇପଡିଛନ୍ତି । ବର୍ତ୍ତମାନ ଅତ୍ୟନ୍ତ ଦୁଃଖ କଷ୍ଟରେ ଏହି ୩ ପ୍ରାଣୀ ରହି ଆସୁଛନ୍ତି । ଦୁଇଟି ପିଲାଙ୍କୁ କିପରି ମଣିଷ କରିବେ ସେ ଚିନ୍ତାରେ ସ୍ତ୍ରୀ ମର୍ମାହତ । ସୁରଜଙ୍କର ସ୍ତ୍ରୀଙ୍କୁ ପରିବାର ଚଳାଇବା କଷ୍ଟସାଧ୍ୟ ହୋଇଯାଇଛି । ସରକାରୀ ସହୟତା ଯୋଗାଇ ଦେବା ପାଇଁ ପରିବାର ପକ୍ଷରୁ ପ୍ରଶାସନ ନିକଟରେ ନିବେଦନ କରାଯାଇଛି ।(ଗରୁଡ଼ ଧ୍ଵଜ ଚୌଧୁରୀ)
No Result
View All Result