No Result
View All Result

ଓଡ଼ିଶା ତାଜା ନ୍ୟୁଜ (୦୨ ଜୁନ ବୁଧବାର ) ଭୁବନେଶ୍ୱର :- ମୁଁ ପୁରୁଣା ଭୁବନେଶ୍ୱର ର ଗଦାଧର ମେଡ଼ିକାଲ ରେ ଜନ୍ମ,ପିଲା ଦିନୁ ମୋ ବାବା ସ୍ୱର୍ଗତ ରେବତୀ କାନ୍ତ ଶାସ୍ତ୍ରୀ ଙ ମିଉଜିୟମ କଲୋନୀ (ବି.ଜେ.ବି. ନଗର) ସ୍ଥିତ ସରକାରୀ ଆବାସରେ ବଢ଼ି ଆସିଛି।ତେଣୁ ଓଲ୍ଡ ଟାଉନରୁ ନେଇ,ବଡ଼ଗଡ଼ ପର୍ଯ୍ୟନ୍ତ ଆମ ଚରା ଭୁଇଁ,ସାଙ୍ଗ ସାଥି,ବନ୍ଧୁ ପରିଜନ ସମସ୍ତେ ଏଇ ଅଞ୍ଚଳରେ ରୁହନ୍ତି । ଏଇ ମିଉଜିୟମ (ରାଜ୍ୟ ସଂଗ୍ରହାଳୟ) ଓ ତା ସଂଲଗ୍ନ ସମସ୍ତ ଅଞ୍ଚଳ ଆମ ସାଙ୍ଗ ମାନଙ୍କର ଆଖଡା ଓ ଖେଳ କୁଦର ପ୍ରମୁଖ ସ୍ଥଳି। ଆମ ପିଲାଦିନେ ଏଠି ଲୋକ ମୁଖରେ ପ୍ରସିଦ୍ଧ ଥିଲା ଏସ୍.ସି.ଦାସ ଙ୍କ ବାଡ଼ି ( ଅଧୁନା ରାଜ୍ୟ ଆର୍କଲୋଜି ବିଭାଗ ଦପ୍ତର ) । ଏହି ବାଡ଼ି ଭିତରେ ଅଛି ଏକ ବିଶାଳ ବର ଗଛ,ଯାହା ପିଲା ଦିନରୁ ଏ ପର୍ଯ୍ୟନ୍ତ ଆମର ଆକର୍ଷଣ ଓ ମାଦ୍ଧାକର୍ଶଣ ।

ଏହି ବର ଗଛ ଓହଳରେ କେତେ ବେଳେ ଆମେ ଝୁଲୁ ତ ଆଉ କେତେବେଳେ ଟାୟାର ରେ ଦୋଳି ବାନ୍ଧି ଝୁଲୁ । ଆମର ନଟୁ,ବାଟି,ଗୁଚି ତାଣ୍ଡୁ,କବାଡି ବକ୍ସିଙ୍ଗ ଇତ୍ୟାଦି ଖେଳ ଏହି ବର ଗଛ ତଳେ ସଞ ଭିତରେ ଚାଲେ । କିନ୍ତୁ ସଞ ପରେ ଏହି ଯାଗା ଶୁନ ସାନ ହୋଇଯାଏ, ଅନ୍ଧାର ବିରାଜମାନ ହେଲେ କଥା ଆହୁରି ଗମ୍ଭୀର । କାରଣ ଲୋକେ କହନ୍ତି,ସଞ ପରେ ଏହି ବର ଗଛ ଉପରେ ରହୁଥିବା ଭୁତୁଣି ‘ଝୁମୁରୀ’ ଓ ତାର ତିନୋଟି ପିଲା ତଳକୁ ଓଲ୍ହେଇ ଆସନ୍ତି, ‘ଝୁମୁରୀ’ ଏକ କାଠ ଚୁଲିରେ ନିଆଁ ଲଗେଇ ତା ଭିତରେ ଗୋଡ଼ ପୁରେଇ ନିଆଁ କୁ ଖେଳେଇ ଖେଳେଇ ତାର ସାନ ପିଲାଟିକୁ ଗରମ ସେକ ଦିଏ,ଏହି ସମୟ ରେ ଆମ ଟାୟାର ଦୋଳିରେ ତାର ଅନ୍ୟ ପିଲା ଦୁଇଟି ଦୋଳି ଖେଳନ୍ତି । ‘ଝୁମୁରୀ’ କୁଆଡେ ଯାତ୍ରା ଦେଖିବାକୁ ଭଲ ପାଏ,ତେଣୁ ଫି ବର୍ଷ ବଡ଼ଗଡ଼ ନହେଲେ ଟାଙ୍ଗୀ ସାହି (ବ୍ରହ୍ମେଶ୍ବର ପାଟଣା) ଯାତ୍ରା ସେ ନିଶ୍ଚୟ ଯାଏ,ଆଉ ସେହିଦିନ ତା ମା ଭୁତୁଣି ‘ପେତେନୀ’ ବଡ଼ଗଡ଼ ପୁରୁଣା ମସାଣୀରୁ ଆସି ପିଲା ମାନଙ୍କୁ ଜଗେ। ରାତିରେ ‘ଝୁମୁରୀ’ କେତେବେଳେ କାନ୍ଦେ ତ ଆଉ କେତେବେଳେ ଯୋରରେ ହସେ ।

ଏ ହସ କାନ୍ଦ ଯିଏ ଶୁଣିଛି ତାର କୁଆଡେ ପୋଖରୀ ପାଣି ଯାଇ ଯାଇ ଦଫା ଶେଷ।’ଝୁମୁରୀ’ କିନ୍ତୁ କାହାର କ୍ଷତି କରିବା ଶୁଣା ଯାଏନି। ଅସଲରେ କିନ୍ତୁ ଏଇ ‘ଝୁମୁରୀ’ ନାଁର ଫାଇଦା ନେଇ କିଛି ଦୁଇ ଗୋଡିଆ ଯନ୍ତୁ (ଅସାମାଜିକ ତତ୍ୱ) ରାଜ କରନ୍ତି ସଞ ରୁ ସକାଳ ପର୍ଯ୍ୟନ୍ତ ଏଠି ଚାଲେ ଦେଶୀ ମଦ,ଗଞେଇ ର କାରବାର ଓ ନାନା ଅସାମାଜିକ କାର୍ଯର ମନ୍ତ୍ରଣା ଏବଂ ଏହାକୁ ସାକାର କରିବାକୁ ଅଭିଯାନ।ହେଲେ ‘ଝୁମୁରୀ’ ବି ଏମାନଙ୍କୁ ଡ଼ରେ କିଛି କହେନି,ସେ କେବଳ ଭଦ୍ରବ୍ୟକ୍ତି ମାନଙ୍କୁ ଡ଼ରାଏ । ସକାଳ ହେଲେ ଲୋକେ ଚର୍ଚ୍ଚା କରନ୍ତି ଝୁମୁରୀ କୁଆଡେ ଗତ ରାତିରେ ବରଗଛ ତଳେ ଛେଳି,କୁକୁଡ଼ା ମୋଡି ଖାଇ ଥିଲା ଏବଂ ଚାରିଆଡେ ପର,ଚମଡା ଓ ହାଡ଼ ପଡ଼ିଛି ।

ତେଣୁ ଆମକୁ ଘରେ ଆକଟ କରନ୍ତି ସେ ଭୁତଖିଆ ବର ଗଛ ତଳକୁ ଆଉ ନ ଯିବାକୁ । ଧିରେ ଧିରେ ଆମେ ଯେତେବେଳେ ବଡ଼ ହେଲୁ ସେଇ ବର ଗଛ ଛାଇ ତଳେ ବସି,ତାରି ଓହଳରେ ଝୁଲି ଝୁଲି ‘ଝୁମୁରୀ’ କୁ ଖୋଜିଲୁ, କିନ୍ତୁ।ଜାଣିଲୁ ଏ ମଣିଷ ରୁପି ‘ଝୁମୁରୀ’ ମାନେ କାହିଁ କେତେ ଦିନୁ ଏ ଅଞ୍ଚଳକୁ କବଳିତ କରି ରାଜ କରୁଛନ୍ତି, ହେଲେ ବଦନାମ ହେଉଛି ‘ଝୁମୁରୀ’ ଓ ସେଇ ବୁଢ଼ା ବର ଗଛ।ହେଲେ ଝୁମୁରୀ ଯଦି ସତରେ ଥାଆନ୍ତା, ତେବେ କଣ ହୁଅନ୍ତା ଏ କଥା ବିଚାର କରିବାର ସମୟ ଆସିଛି ।
(ଲେଖକ/ଶୀଳଭଦ୍ର ଶାସ୍ତ୍ରୀ,ଓକିଲ, ଭୁବନେଶ୍ୱର-୬)
No Result
View All Result