No Result
View All Result
ଓଡ଼ିଶା ତାଜା ନ୍ୟୁଜ (୦୧ ଜୁନ ମଙ୍ଗଳବାର ) ହିଞ୍ଜିଳିକାଟୁ :- ବେଳେ ବେଳେ କିଛି କାର୍ଯ୍ୟ ପାଇଁ ପୁଲିସ ସାଧାରଣ ଲୋକଙ୍କ ପାଖରେ ସମାଲୋଚିତ ହୋଇ ନିନ୍ଦିତ ହୋଇଥିଲା ବେଳେ କିଛି ମହତ କାର୍ଯ୍ୟ ପାଇଁ ପୁଲିସ ସମସ୍ତଙ୍କର ମଧ୍ୟ ପ୍ରଶଂସାର ପାତ୍ର ହୋଇଥାଏ।କିଛି କର୍ତ୍ତବ୍ୟରତ ପୁଲିସ କର୍ମଚାରୀଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ସାଧାରଣ ଜନତାଙ୍କ ମଧ୍ୟରେ ଘୃଣା ଓ ଦ୍ୱେଷ ଭାବ ସୃଷ୍ଟି ହୋଇଥିଲା ବେଳେ ଏମିତି କିଛି ମହତ କାର୍ଯ୍ୟ ପାଇଁ ପୁଲିସ ଓ ସାଧାରଣ ଜନତାଙ୍କ ମଧ୍ୟରେ ଏକ ବିଶେଷ ସମ୍ପର୍କ ସ୍ଥାପନ ହୋଇଥାଏ।ସେହି ପୁଲିସ କର୍ମଚାରୀଙ୍କ ସେବା ମନୋବୃତ୍ତି ସହ ମାନବିକତାର ଏକ ସ୍ୱତନ୍ତ୍ର ପରିଚୟ ପୁଲିସ ବିଭାଗର ଗାରିମା ଓ ମର୍ଯ୍ୟାଦା ବୃଦ୍ଧି କରିବାରେ ସଫଳ ରୂପାୟନ ସାବ୍ୟସ୍ତ ହୋଇଥାଏ।ଏଭଳି ମାନବିକତାର ଏକ ଜ୍ୱଳନ୍ତ ଉଦାହରଣ ସ୍ଥାନୀୟ ହିଞ୍ଜିଳି ଥାନାରେ କର୍ତ୍ତବ୍ୟରତ ଜଣେ ନିଷ୍ଠାପର ପୁଲିସ କର୍ମଚାରୀଙ୍କ ଠାରେ ଦେଖିବାକୁ ମିଳିଛି।ତାଙ୍କ ନିରନ୍ତର ଉଦ୍ୟମ ଓ ପ୍ରଚେଷ୍ଟା ଫଳରେ ଜଣେ ସଫ୍ଟୱେର ଇଞ୍ଜିନିୟର ପର୍ସରେ ଥିବା ଟଙ୍କା ଓ ଅତି ଜରୁରୀ କାର୍ଡ ସବୁ ଫେରି ପାଇବାରେ ସକ୍ଷମ ହୋଇଛନ୍ତି।ସୂଚନା ମୁତାବକ ବ୍ରହ୍ମପୁର,ଭାବା ନଗର ପ୍ରଥମ ଲାଇନ ର ସଫ୍ଟୱେର ଇଞ୍ଜିନିୟର ସୁନୀଲ କୁମାର ପଣ୍ଡା କୌଣସି କାର୍ଯ୍ୟରେ ସ୍ଥାନୀୟ ସହରକୁ ଆସିଥିଲେ ।

କିନ୍ତୁ କୌଣସି କାରଣ ବଶତଃ ତାଙ୍କ ମନି ପର୍ସ ସହ ସେଥିରେ ଥିବା ବ୍ୟାଙ୍କ ଦେବିଟ କାର୍ଡ,ଡ୍ରାଇଭିଂ ଲାଇସେନ୍ସ ଓ ଅନ୍ୟାନ୍ୟ ଦରକାରୀ ସାମଗ୍ରୀ କେଉଁଠାରେ ପଡି ଯାଇଥିଲା। ସ୍ଥାନୀୟ ହିଞ୍ଜିଳି ଥାନାରେ କର୍ତ୍ତବ୍ୟରତ କନେଷ୍ଟବଳ ସରୋଜ କୁମାର ରଣସିଙ୍ଗଙ୍କୁ ମନିପର୍ସ ସହ ସେଥିରେ ଥିବା ଅନ୍ୟାନ୍ୟ ଜରୁରୀ କାର୍ଡ ସବୁ ମିଳିଥିଲା।ପରେ ସେଥିରୁ ଠିକଣା ପାଇ କନଷ୍ଟେବଳ ସରୋଜ ବ୍ରହ୍ମପୁର ସହରର ସଫ୍ଟୱେର ଇଞ୍ଜିନିୟର ସୁନୀଲଙ୍କ ଯୋଗାଯୋଗ କରିଥିଲେ।ସୁନିଲ ମଙ୍ଗଳବାର ସ୍ଥାନୀୟ ଥାନାରେ ସରୋଜ ଙ୍କୁ ଯୋଗାଯୋଗ କରି ସମସ୍ତ ଘଟଣା ଉପସ୍ଥାପନ କରିଥିଲେ।ସୁନୀଲଙ୍କ ଠାରୁ ସବୁ ଶୁଣିଲା ପରେ କନଷ୍ଟେବଳ ସରୋଜ ନିଜ ହେପାଜତରେ ରଖିଥିବା ମନି ପର୍ସ ସମେତ ଏସବିଆଇ,ଆଇସିଆଇ ଦେବିଟ କାର୍ଡ, ଡ୍ରାଇଭିଂ ଲାଇସେନ୍ସ ଆଦି ୭ ଟି ଜରୁରୀ କାର୍ଡ ସୁନିଲଙ୍କୁ ଫେରାଇ ଥିଲେ।ନିଜ ହଜି ଯାଇଥିବା ଟଙ୍କା ଓ ଜରୁରୀ କାର୍ଡ ଗ୍ରହଣ କରିବା ପରେ ସେ କନେଷ୍ଟବଳ ସରୋଜଙ୍କ ମାନବିକତା ଓ ମହନୀୟ କାର୍ଯ୍ୟ ପ୍ରତି ଖୁସିରେ ବିଭୋର ହୋଇପଡିଥିଲେ । ଏଥିପାଇଁ ସରୋଜଙ୍କ ସମେତ ଥାନା ଅଧିକାରୀ ଅଭିମନ୍ୟୁ ଦାସ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଥିଲେ । କନେଷ୍ଟବଳ ସରୋଜଙ୍କ ଏଭଳି ମହତ କାର୍ଯ୍ୟ ପ୍ରତି ସବୁ ମହଲରେ ଆନନ୍ଦ ପ୍ରକାଶ ପାଇଛି । ( ରିପୋର୍ଟ ଶୁସାନ୍ତ ପ୍ରଧାନ )
No Result
View All Result