No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୨୮ ମଇ, ଶୁକ୍ରବାର ) ହିଞ୍ଜିଳିକାଟୁ :- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂତନ ଓଡ଼ିଶା ଗଠନ ପାଇଁ ପ୍ରୟାସ ଜାରି ରଖିଛନ୍ତି।ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିର ସାମୁହିକ ବିକାଶ ଦିଗରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରି ବିଭିନ୍ନ ପଞ୍ଚାୟତ ସମେତ ସହରରେ ବହୁ ଉନ୍ନୟନ ମୂଳକ ପ୍ରକଳ୍ପ ନିର୍ମାଣାଧୀନ ରହିଛି।ଲୋକଙ୍କ ସାମାଜିକ ଓ ଆର୍ଥିକ ସ୍ଥିତି ପ୍ରତି ଦୃଷ୍ଟି ଦେଇ ପଞ୍ଚାୟତ ସଶକ୍ତିକରଣ ଦିଗରେ ମନରେଗା ଯୋଜନା ଭଳି ବହୁ ଯୋଜନା କାର୍ଯ୍ୟକାରୀ କରାଯାଇଛି।କେନ୍ଦ୍ର ସରକାରଙ୍କ ଦ୍ୱାରା ଦୀନ ଦୟାଲ ଉପାଧ୍ୟାୟ ପଞ୍ଚାୟତ ସଶକ୍ତିକରଣ ଯୋଜନାରେ ଉନ୍ନୟନ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ନିର୍ବାହ ପାଇଁ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିବ୍ଳକ ଶାସନ ଆମ୍ବଗାଁ ପଞ୍ଚାୟତ ଶ୍ରେଷ୍ଠ ପଞ୍ଚାୟତ ଭାବେ ପୁରସ୍କୃତ ହୋଇଛି । କିନ୍ତୁ ମନରେଗା ଯୋଜନାରେ ଗ୍ରାମ୍ୟ ରାସ୍ତା ନିର୍ମାଣ କାର୍ଯ୍ୟରେ ବହୁ ଅନିୟମିତତା ହେଉଥିବା ଦର୍ଶାଇ ପୂର୍ବତନ ସରପଞ୍ଚ ଡାକ ବିଶ୍ୱାଳ ଓ ତାଙ୍କ ସହଯୋଗୀ ଗତ ୨୫ତାରିଖ ମଙ୍ଗଳବାର ବିଡ଼ିଓ ସୁବ୍ରତ କୁମାର ଜେନା ଓ ତହସିଲଦାର ପ୍ରଭାତ କୁମାର ପରିଡାଙ୍କ ଠାରେ ଏକ ଲିଖିତ ଅଭିଯୋଗ କରି ତଦନ୍ତ କରିବା ନିମନ୍ତେ ଦାବୀ କରିଥିଲେ।କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ ହେଲେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବା ପାଇଁ ଚେତାବନୀ ଦେଇଥିଲେ।
ଅଭିଯୋଗ ପରେ ବିଡ଼ିଓ ଶ୍ରୀ ଜେନା ଓ ତହସିଲଦାର ଶ୍ରୀ ପରିଡ଼ା,ପିଇଓ ଅଶ୍ୱିନୀ କୁମାର ସାହୁ, ଆର ଆଇ ମଞ୍ଜୁଲତା ବେହେରା, ଜି ଆରଏସ ପ୍ରମୁଖ କାର୍ଯ୍ୟ ସ୍ଥଳୀରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ।ସରପଞ୍ଚ ସଂଗୀତା ସାହୁ,ସଭ୍ୟା ରଞ୍ଜିତା ସାବତ,ମନୋଜ କୁମାର ସାବତ,ପ୍ରଭାକର ସ୍ୱାଇଁ ରାଧାମୋହନ ସାବତ ଓ ଶତାଧିକ ଗ୍ରାମବାସୀ ୨ ଅଧିକାରୀଙ୍କ ସହ ଅଭାବ ଅସୁବିଧା ପ୍ରତି ଦୃଷ୍ଟି ଆକର୍ଷଣ କରି ରାସ୍ତା ନିର୍ମାଣର ଜରୁରୀ ଆବଶ୍ୟକତା ସପକ୍ଷରେ ଏକ ସ୍ଵାକ୍ଷର ସମ୍ଭାଳିତ ନିବେଦନ ପତ୍ର ପ୍ରଦାନ କରିଥିଲେ।ମନରେଗା ଯୋଜନାରେ ଅନିୟମିତତା ହେଉଥିବା ଅଭିଯୋଗ ଉଦ୍ଦେଶ୍ୟ ପ୍ରଣୋଦିତ ଓ ଭିତ୍ତିହୀନ ବୋଲି କହିଥିଲେ। ଉକ୍ତ ରାସ୍ତା ନିର୍ମାଣ ପାଇଁ ପଞ୍ଚାୟତରେ ପ୍ରସ୍ତାବ ଆଗତ ହୋଇଥିବା ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା,ପ୍ରକଳ୍ପ ନିର୍ଦେଶକଙ୍କ ପତ୍ରାଙ୍କ:-୮୫୫୦/ତା୨୬-୦୬-୨୦ ଅନୁମୋଦନ ଅନୁସାରେ ହେଉଥିବା ଦର୍ଶାଇ ଥିଲେ।ସ୍ଥାନୀୟ ଗ୍ରାମର ସବର୍ଣ୍ଣ ସମ୍ପ୍ରଦାୟ ବ୍ୟକ୍ତିବିଶେଷଙ୍କ ଶବ ସତ୍କାର ପାଇଁ ଯାତାୟତ ନିମନ୍ତେ ସିମେଣ୍ଟ ରାସ୍ତା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ଉପଲବ୍ଧ ଥିବା ବେଳେ ଅସବର୍ଣ୍ଣଙ୍କ ଶବ ସତ୍କାର ନିମନ୍ତେ ଯାତାୟତ ରାସ୍ତା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଅଭାବ ସମ୍ପର୍କରେ ଅଧିକାରୀଙ୍କୁ ଅବଗତ କରାଇ ଥିଲେ।

ବର୍ଷା ଦିନରେ ଶବ ନେବା ପାଇଁ ଅସବର୍ଣ୍ଣ ସମ୍ପ୍ରଦାୟର ବ୍ୟକ୍ତି ମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ନେଇ ଅଧିକାରୀଙ୍କୁ ଗ୍ରାମବାସୀ ଜଣାଇଥିଲେ।ଗ୍ରାମବାସୀଙ୍କ ସହମତି ଭିତ୍ତିରେ ଲକ୍ଷ୍ମଣ ବାଲାଜି ମହାପ୍ରଭୁଙ୍କ ପ୍ଲଟ ନଂ-୯୩୩, ୨ ଏକର ୧୧୦ ଡେସିମିଲ କୋଠ ଜମିରୁ ସାମୁହିକ କାର୍ଯ୍ୟ ସକାଶେ ମନରେଗା ଯୋଜନାରେ ପୂର୍ତ୍ତ ବିଭାଗରାସ୍ତା ଠାରୁ ଘିଅ ତୋଳି ତୋଟାକୁ ରାସ୍ତା ସଂଲଗ୍ନ କରିବା ପାଇଁ ନିର୍ମାଣ ହେଉଥିବା କହିଥିଲେ।ବ୍ୟାଙ୍କ ଆକାଉଣ୍ଟରୁ ନିଜେ ନିଜର ପ୍ରାପ୍ୟ ରାଶି ପାଉଥିବା ଶ୍ରମିକ ମାନେ ଜଣାଇଥିଲେ।ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ପଞ୍ଚାୟତରେ ଚାଲିଥିବା ସାମୁହିକ ବିକାଶ ପ୍ରକ୍ରିୟାରେ ଅସହିଷ୍ଠୁ ହୋଇ ଗ୍ରାମର କିଛି ଖଳ ପ୍ରକୃତିର ବ୍ୟକ୍ତି ଓ ପୂର୍ବତନ ସରପଞ୍ଚ ଶ୍ରୀ ବିଶ୍ୱାଳ ଅସବର୍ଣ୍ଣଙ୍କ ବାସ୍ତବ ସମସ୍ୟାକୁ ଦୃଷ୍ଟି ନ ଦେଇ ଉନ୍ନୟନ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି କରିବା ଉଦ୍ଦେଶ୍ୟ ରଖି ଭିତ୍ତିହୀନ ଅଭିଯୋଗ କରିଥିବା ଜନ ପ୍ରତିନିଧି ଓ ଗ୍ରାମବାସୀ କହିଛନ୍ତି। ଗ୍ରାମବାସୀ ଙ୍କ ସାମୁହିକ ସ୍ୱାର୍ଥ ସାଧନ ନିମନ୍ତେ ରାସ୍ତା ନିର୍ମାଣ ସପକ୍ଷରେ ଏକ ସ୍ଵାକ୍ଷର ସମ୍ବଳିତ ପତ୍ର ପ୍ରଦାନ କରି ଉପଯୁକ୍ତ ତଦନ୍ତ ଓ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ତହସିଲଦାର ଓ ବିଡିଓଙ୍କୁ ନିବେଦନ କରିଛନ୍ତି । ( ରିପୋର୍ଟ ଶୁସାନ୍ତ ପ୍ରଧାନ )
No Result
View All Result