No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୪ ମଇ ସୋମବାର ) ନୟାଗଡ଼ :- ଆଜି ଅପରାହ୍ନ ଘ.୦୩.୩୦ମି. ସମୟରେ ମାନ୍ୟବର ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ଏବଂ ଉଚ୍ଚଶିକ୍ଷା ବିଭାଗଙ୍କ ଦ୍ୱାରା ଭର୍ଚୁଆଲ ମୋଡ୍ରେ ନୟାଗଡ଼ ବାଇପାସ ରାସ୍ତା ସଂପର୍କରେ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି । ଏହି ରାସ୍ତା ବଡ଼ପଣ୍ଡୁସର ଠାରୁ ଆରମ୍ଭ ହୋଇ ନୟାଗଡ଼-ଓଡ଼ଗାଁ ରାସ୍ତା ଦେଇ ଲେଙ୍କୁଡ଼ିପଡ଼ା ଗ୍ରାମ ଦେଇ ମାହାଙ୍କପଲ୍ଲୀ ଠାରେ ବାହାରିବ । ଉକ୍ତ ରାସ୍ତା ୨୧ଗୋଟି ଗ୍ରାମ ମଧ୍ୟ ଦେଇ ପ୍ରାୟ ୧୭.୦୨୧ କିଲୋମିଟର ନିର୍ମାଣ କରାଯିବ । ସର୍ବପ୍ରଥମେ ନୟାଗଡ଼ ତହସିଲଦାରଙ୍କୁ ଜମି ଅଧିଗ୍ରହଣ କରିବା ସହିତ ଜମିର କିଷମ ପରିବର୍ତନ ନ କରିବା ଏବଂ ମୂଲ୍ୟ ଆକଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜାତୀୟ ରାଜପଥର ତା.୦୬.୦୫.୨୦୨୧ରିଖ ନୋଟିଫିକେସନ୍ ଅନୁଯାୟୀ ଜିଲ୍ଲା ସବରେଜିଷ୍ଟ୍ରାର ଉକ୍ତ ରାସ୍ତା ମଧ୍ୟରେ ପଡ଼ୁଥିବା ବେସରକାରୀ ଜମିଜମାର ସରକାରୀ ଦର ନିର୍ଦ୍ଧାରଣ କରିବା ସହିତ କ୍ରୟ ବିକ୍ରୟ ସ୍ଥଗିତ ରଖିବାକୁ ମଧ୍ୟ ଆଦେଶ ଦିଆଯାଇଥିଲା ।

ବାଇପାସ ରାସ୍ତା ନିର୍ମାଣ ପାଇଁ ଚିହ୍ନିତ ଜମି ଉଭୟ ପାଶ୍ୱର୍ରେ ଖମ୍ବ ପୋତାଯିବା ପାଇଁ ସ୍ଥିର କରାଯାଇଥିଲା । ସେହିପରି ଫଳନ୍ତି ଗଛ ଏବଂ ପରିବା ଚାଷ ହେଉଥିବା ଜମିଜମାର ଚିହ୍ନଟ ଓ ମୂଲ୍ୟାଙ୍କନ କରିବା ପାଇଁ ଉପ ନିର୍ଦ୍ଦେଶକ, ଉଦ୍ୟାନ ବିଭାଗଙ୍କୁ କୁହାଯାଇଥିଲା । ଏହାପରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଉକ୍ତ ଅଂଚଳରେ ହେଉଥିବା ଚାଷଜମିର ଚିହ୍ନଟ ସହିତ ଅମଳ ହେଉଥିବା ଶସ୍ୟର ମୂଲ୍ୟାଙ୍କନ କରିବା ପାଇଁ କୁହାଯାଇଥିଲା । ଉକ୍ତ ଅଂଚଳରେ ଥିବା ସରକାରୀ ଓ ବେସରକାରୀ ଜମିରେ ଥିବା ବିଭିନ୍ନ ଗଛ ଓ ବନୀକରଣର ଚିହ୍ନଟ କରିବା ସହିତ ଏହାର ମୂଲ୍ୟ ନିର୍ଦ୍ଧାରଣ କରିବା ପାଇଁ ନୟାଗଡ଼ ବନଖଣ୍ଡ ଅଧିକାରୀ(ଟେରିଟୋରି)ଙ୍କୁ ପରାମର୍ଶ ଦିଆଯାଇଥିଲା । ସେହିଭଳି ନିର୍ବାହୀ ଯନ୍ତ୍ରୀ ଗ୍ରାମ୍ୟ ପାନୀୟ ଜଳଯୋଗାଣ, ସହକାରୀ ନିର୍ବାହୀ ଯନ୍ତ୍ରୀ ଜନସ୍ୱାସ୍ଥ୍ୟ,ନିର୍ବାହୀ ଯନ୍ତ୍ରୀ ଜାତୀୟ ରାଜପଥ, DGM ( OPTCL), AGM (TPCODL) ଆଦି ଲାଇନ ବିଭାଗ ଗୁଡ଼ିକ ନିଜ ନିଜର କାର୍ଯ୍ୟ ଉପରେ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା । ନୟାଗଡ଼ ବାଇପାସକୁ ତ୍ୱରାନ୍ନିତ କରିବା ପାଇଁ ସମସ୍ତ ବିଭାଗର ଅଧିକାରୀ ମାନେ ଆଶୁ ପଦକ୍ଷେପ ନେବା ପାଇଁ କୁହାଯାଇଥିଲା । ( ରିପୋର୍ଟ -ରାମକୃଷ୍ଣ ରଥ )
No Result
View All Result