No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୧ ମଇ ମଙ୍ଗଳବାର ) ହିଞ୍ଜିଳିକାଟୁ :- ଗଞ୍ଜାମ ଜିଲ୍ଲାର ୨ୟ ବୃହତମ ସହର ଭାବେ ପରିଚିତ ହିଞ୍ଜିଳିକାଟୁ ପୌରାଂଚଳ ସମେତ ବ୍ଳକର ବିଭିନ୍ନ ଗ୍ରାମାଂଚଳରେ ଦିନକୁ ଦିନ ବିଭିନ୍ନ କାରଣରୁ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ସ୍ଥାନୀୟ ଅଂଚଳରେ ଦିନକୁ ୩ରୁ ୪ଜଣଙ୍କ ମୃତ୍ୟୁ ଘଟୁଥିବା ବେଳେ ସେମାନେ କରୋନା କରୋନା ସଂକ୍ରମିତ କି ନୁହେଁ ସେ ନେଇ ସରକାରୀ କିମ୍ବା ପ୍ରଶାସନିକ ଅଧିକାରୀ ମାନେ ସ୍ପଷ୍ଟ କରୁନଥିବା ଦେଖିବାକୁ ମିଳିଛି । ଶହ ଶହ କରୋନା ଲକ୍ଷଣ ରହିଥିବା ରୋଗୀ ମାନେ ଘରେ ରହି ଚିକିତ୍ସା ସେବା ଜାରି ରଖିଥିବା ଦେଖିବାକୁ ମିଳିଛି । ବିଭିନ୍ନ ସମୟରେ ଗ୍ରାମାଂଚଳର ଲୋକ ମାନେ ଔଷଧ ଦୋକାନୀ, ନିଜକୁ ଡ଼ାକ୍ତର ବୋଲାଉଥିବା କିଛି କ୍ୱାକଙ୍କ ଜରିଆରେ ଓ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ସୂଚନା ଅଧାରରେ ବନ୍ଧୁ ପରିଜନଙ୍କ ସହାୟତାରେ ଔଷଧ କିଣି ସେବନ କରୁଥିବା ଜଣାପଡ଼ିଛି ।
ସାଧାରଣତଃ ଜ୍ୱର, କାଶ, ଥଣ୍ଡା, ଗୋଡ଼ହାତ ବିନ୍ଧା ହେଉଥିବା ରୋଗୀ ମାନଙ୍କୁ ସରକାରୀ ଓ ବେସରକାରୀ ଚିକିତ୍ସାଳୟରେ ଚିକିତ୍ସା ସେବା ଯୋଗାଇ ଦିଆଯାଉନଥିବା ଅଭିଯୋଗ ହୋଇଛି । ଏପରିକି ପ୍ରଥମେ କରୋନା ପରୀକ୍ଷା କରାଇବା ପରେ ରୋଗୀଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ବୋଲି ସରକାରୀ ଡ଼ାକ୍ତରଖାନାରେ କାର୍ଯ୍ୟରତ ଡ଼ାକ୍ତର ମାନେ କହୁଥିବା ଦେଖିବାକୁ ମିଳିଛି । ଏଭଳି ସମୟରେ ଗ୍ରାମାଂଚଳର ରୋଗୀ ମାନଙ୍କ ସାହା ଭରସା ପାଲଟିଛନ୍ତି କ୍ୱାକ ଓ ଔଷଧ ଦୋକାନୀ । ଗତ କିଛି ଦିନ ପୂର୍ବେ ସ୍ଥାନୀୟ ବ୍ଳକ ସିକରି ଓ ନନ୍ଦିକ ଗ୍ରାମରେ କ୍ୱାକ ସହାୟତାରେ ଚିକିତ୍ସା କରିବା ପରେ ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡ଼ିବାରୁ ଅଧିକ ଚିକିତ୍ସା ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ନେବା ବାଟରେ ରୋଗୀଙ୍କ ମୃତ୍ୟୁ ଘଟିଥିଲା । ଏହାକୁ ନେଇ ରୋଗୀ ସର୍ମ୍ପକୀୟ ଓ କ୍ୱାକଙ୍କ ମଧ୍ୟରେ ଯୁକ୍ତିତର୍କ ଘଟଣା ହାଟରେ ପଡ଼ି ଦାଣ୍ଡରେ ଗଡ଼ିଥିଲା । ସଂପୃକ୍ତ କ୍ୱାକ ରୋଗୀ ସର୍ମ୍ପକୀୟଙ୍କୁ କିଛି ଅର୍ଥ ପ୍ରଦାନ ପରେ ଘଟଣା ଥମି ଯାଇଥିଲା । ପ୍ରଶାସନ ଏ ଦିଗରେ ଦୃଷ୍ଟି ପ୍ରଦାନ କରି ଆବଶ୍ୟକ ପନ୍ଥା ଗ୍ରହଣ କରିବାକୁ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି । ( ରିପୋର୍ଟ : ଶୁସାନ୍ତ ପ୍ରଧାନ )
No Result
View All Result