No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୦ ମେ ୨୦୨୧, ସୋମବାର ) ଭୁବନେଶ୍ୱର :- କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ଅନୁଭୂତ ହେବା ଦ୍ୱାରା ସର୍ବାଧିକ ତାପମାତ୍ରା କମୁଛି । ଆଗକୁ ଆହୁରି ୪ଦିନ ପର୍ଯ୍ୟନ୍ତ କାଳବୈଶାଖୀ ଅନୁଭୂତ ହେବାର ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ବିଜୁଳି ଘଡଘଡି ସହ ବର୍ଷା ପବନ ହେବାର ସମ୍ଭାବନାକୁ ଲକ୍ଷ୍ୟ କରି ପାଣିପାଗ କେନ୍ଦ୍ର ବିଭିନ୍ନ ଜିଲାକୁ ସତର୍କ ସୂଚନା ଜାରି କରିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଏବଂ କେନ୍ଦ୍ରାପଡା ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ପବନ ହୋଇପାରେ।
ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି, ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବ। ସତର୍କ ରହିବା ପାଇଁ ସ୍ୱତନ୍ତ୍ର ରିଲିଫ୍ ଆୟୁକ୍ତ (ଏସ୍ଆରସି)ଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି । ରବିବାର ସର୍ବୋଚ୍ଚ ତାପମାତ୍ରା ବୌଦ୍ଧରେ ୪୦.୫ ଡିଗ୍ରୀ ରେକର୍ଡ କରାଯାଇଛି । ସୋନପୁର ୩୯.୮ ଏବଂ ଭୁବନେଶ୍ୱରରେ ୩୭.୨ ଡିଗ୍ରୀ ପାରଦ ରହିଛି। ଆଜି ବାଲେଶ୍ୱର, ଅନୁଗୋଳ, ବାରିପଦା, କୋରାପୁଟ, ଫୁଲବାଣୀ ଏବଂ ସୋନପୁରରେ କାଳବୈଶାଖୀ ଅନୁଭୂତ ହୋଇଛି । ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରି କହିଛନ୍ତି, ରାଜ୍ୟରେ ସର୍ବାଧିକ ତାପମାତ୍ରା ସ୍ୱାଭାବିକଠାରୁ କମ ରହୁଛି ।
ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଏହା ଜାରି ରହିବ। ୧୩ରେ ଦକ୍ଷିଣ ଆରବ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୧୫ ସୁଦ୍ଧା ଲଘୁଚାପର ରୂପ ନେବ। ପରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଏହା ଭାରତକୁ ନଆସି ଆଫ୍ରିକା ଆଡକୁ ମୁହାଁଇପାରେ । ଏହାର ପ୍ରଭାବରେ ଓଡ଼ିଶା ସମେତ ଦେଶର ବିଭିନ୍ନ ଅଞ୍ଚଳରେ ପାଗରେ ପରିବର୍ତ୍ତନ ହେବ। ଓଡ଼ିଶା ଆଡକୁ ବଙ୍ଗୋପସାଗରୀୟ ପବନ ବହିବ । ଉପକୂଳ ଓଡ଼ିଶାରେ ଆସନ୍ତା ୫ଦିନ ପର୍ଯ୍ୟନ୍ତ କାଳବୈଶାଖୀର ସମ୍ଭାବନା ରହୁଛି। ଭୁବନେଶ୍ୱର ସମେତ ପଶ୍ଚିମ ଓଡ଼ିଶା ଓ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ୧୦ରୁ ୧୨ ମଧ୍ୟରେ କାଳବୈଶାଖୀ ସମ୍ଭାବନା ଅଧିକ। ୧୨ତାରିଖ ପରେ ଆଭ୍ୟନ୍ତରୀଣ ଓଡିଶାରେ ସର୍ବାଧିକ ତାପମାତ୍ରା ବଢ଼ିପାରେ ।
No Result
View All Result