No Result
View All Result
କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ଭର୍ଚୁଆଲ ବୈଠକ
ଓଡ଼ିଶା ତାଜା ନ୍ୟୁଜ୍ (୦୬ ମଇ ଗୁରବାର ) ଭୁବନେଶ୍ୱର :- ୦୬ ମଇ,୨୦୨୧ କୃଷି ଉତ୍ପାଦନ ଓ ଜନସାଧାରଣଙ୍କ ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିବା ନିମନ୍ତେ ରାଜ୍ୟରେ କୃଷି କାର୍ଯ୍ୟକୁ ନିରନ୍ତର ଜାରି ରଖାଯାଇଛି କୋଭିଡ୍-୧୯ର ଦ୍ୱିତୀୟ ଲହର ପରିପ୍ରେକ୍ଷୀରେ ସାରା ରାଜ୍ୟରେ ଲକ୍ଡାଉନ୍ ଘୋଷଣା କରାଯାଇଥିଲେ ମଧ୍ୟ ସମସ୍ତ କୃଷି ଓ ଆନୁଷଙ୍ଗିକ କୃଷି କାର୍ଯ୍ୟ କୋଭିଡ୍-୧୯ ମାର୍ଗଦର୍ଶିକା ଅନୁଯାୟୀ ଅବ୍ୟାହତ ରହିଛି । ଏଥି ସହିତ କୋଭିଡ୍ ମାର୍ଗଦର୍ଶିକା ଅନୁପାଳନ କରାଯାଇ ବିଭାଗର ସମସ୍ତ କାର୍ଯ୍ୟ ସଂପାଦନ ହେଉଛି ଏବଂ କୃଷକମାନଙ୍କୁ ଖରିଫ ଚାଷ ନିମନ୍ତେ ସମସ୍ତ କୃଷି ସାମଗ୍ରୀ ଯୋଗାଇଦେବାର ବ୍ୟବସ୍ଥା କରାଯାଉଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ।
ଆଜି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ଏକ ଭର୍ଚୁଆଲ ବୈଠକରେ ମନ୍ତ୍ରୀ ଡ. ସାହୁ ଲକ୍ଡାଉନ୍ ସମୟରେ କ୍ଷେତ୍ରସ୍ତରରେ କାର୍ଯ୍ୟରତ ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ପରିଚୟ ପତ୍ର ପ୍ରଦାନ କରିବା ଓ ମାସ୍କ ପରିଧାନ ପାଇଁ ନିର୍ଦ୍ଦେଶନାମା ଜାରି କରବାକୁ କହିଥିଲେ । କୋଭିଡ୍-୧୯ ସଚେତନତା ସୃଷ୍ଟି ନିମନ୍ତେ କର୍ମଚାରୀମାନଙ୍କ ମଧ୍ୟରେ ଭର୍ଚୁଆଲ ବୈଠକ କରିବା ପାଇଁ ମନ୍ତ୍ରୀ ଡ. ସାହୁ କହିଥିଲେ । ସମସ୍ତେ ଯେପରି ସାମାଜିକ ଦୂରତ୍ୱ ଅନୁପାଳନ କରିବେ ଏବଂ ଠିକ୍ ଭାବରେ ମାସ୍କ ପରିଧାନ କରିବେ ସେଥିପ୍ରତି ଦୃଷ୍ଟି ଦେବା ପାଇଁ କହିଥିଲେ । ଏଥି ସହିତ ଚଳିତ ଅକ୍ଷୟ ତୃତୀୟାକୁ କେବଳ ପ୍ରତୀକାତ୍ମକ ଭାବରେ ପାଳନ କରିବା ପାଇଁ ବୈଠକରେ ସ୍ଥିର ହୋଇଥିଲା ।
ଖରିଫ ଚାଷ ନିମନ୍ତେ ଚାଷୀମାନଙ୍କୁ ଠିକ୍ ସମୟରେ ଯେପରି ପର୍ଯ୍ୟାପ୍ତ ବିହନ ଯୋଗାଣ ହୋଇପାରିବ ସେଥି ନିମନ୍ତେ ସମସ୍ତ ପ୍ରକାର ବନ୍ଦୋବସ୍ତ କରିବା ଓ ଅଧିକରୁ ଅଧିକ ଅଣଧାନ ଫସଲ ଚାଷ ନିମନ୍ତେ ଚାଷୀମାନଙ୍କୁ ପ୍ରବର୍ତ୍ତାଇବା ପାଇଁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ଏଥି ସହିତ ବିଭିନ୍ନ ବିଭାଗ ସହିତ ଉପଯୁକ୍ତ ସମନ୍ୱୟ ରକ୍ଷା କରି କୃଷି କାର୍ଯ୍ୟକୁ ଆଗେଇ ନେବା ପାଇଁ ମନ୍ତ୍ରୀ ଡ. ସାହୁ କହିଥିବାବେଳେ ସମବାୟ ମନ୍ତ୍ରୀଙ୍କ ସହିତ ଭର୍ଚୁଆଲ ବୈଠକ କରି ଖରିଫ ଋଣ ସମେତ ସାର ଆଦି ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ କହିଥିଲେ । କୃଷି ବିଭାଗରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ଲାଭ ଚାଷୀମାନେ ଯେପରି ପାଇପାରିବେ ସେଥି ନିମନ୍ତେ କୃଷକମାନଙ୍କ ଏକ ନିର୍ଭୁଲ ଡାଟାବେସ୍ ପ୍ରସ୍ତୁତ କରିବା ପାଇଁ ମନ୍ତ୍ରୀ ଡ. ସାହୁ କହିଥିଲେ ।
ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ଓ ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଆର୍. ରଘୁପ୍ରସାଦ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିବା ସହିତ କୋଭିଡ୍-୧୯ ଲକ୍ଡାଉନ୍ ପରିପ୍ରେକ୍ଷୀରେ ନିଆଯାଇଥିବା ସ୍ୱତନ୍ତ୍ର ପଦକ୍ଷେପ ସଂପର୍କରେ କହିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ, ଉଦ୍ୟାନ କୃଷି ନିର୍ଦ୍ଦେଶକ, ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶକ, ମତ୍ସ୍ୟ ଓ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶକ ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ ।
No Result
View All Result