No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୦୧ ଏପ୍ରିଲ ୨୦୨୧, ଗୁରୁବାର) କଟକ :- ଦିନ ୧୧ ଟାରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ କଟକରେ ଆସି ପହଂଚି ଥିଲେ । ପ୍ରଥମେ କ୍ୟାଣ୍ଟନମେଣ୍ଟ ରୋଡରେ ଥିବା ଗୋପବନ୍ଧୁଙ୍କ ଷ୍ଟାଚ୍ୟୁ ଅଫ ହ୍ୟୁମାନିଟି ଓ ବେଲ ଭ୍ୟୁ ଛକରେ ଥିବା ମହାତ୍ମା ଗାନ୍ଧୀଙ୍କ ମ୍ୟୁରାଲ ପ୍ରତିମୂର୍ତ୍ତୀ ଉନ୍ମୋଚିତ କରି ମୁଖ୍ୟମନ୍ତ୍ରୀ କହିଲେ, ମହାତ୍ମାଗାନ୍ଧୀ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଦୃଢ ସମର୍ଥକ ଥିଲେ । ବିଂଶ ଶତାବ୍ଦୀର ଦୁଇ ମହାପୁରୁଷଙ୍କ ଆଦର୍ଶ ଓ ଚିନ୍ତାଧାରା ଯୁବ ସମାଜକୁ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ପବିତ୍ର ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କଟକ ଗସ୍ତ କରି ଜାତିର ପିତା ମହାତ୍ମା ଗାନ୍ଧୀ ଓ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତୀ ଅନାବରଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରଥମେ କଟକର କ୍ୟାଣ୍ଟନମେଣ୍ଟ ରୋଡର ଗୋପବନ୍ଧୁ ଛକରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କର ଏକ ପ୍ରତିମୂର୍ତ୍ତୀ ଅନାବରଣ କରିଥିଲେ। ଏହାକୁ ମାନବତାର ପ୍ରତିମୂର୍ତ୍ତୀ ବା Statue of Humanity ନାମରେ ନାମିତ କରାଯାଇଛି ।

ଓଡିଶାରେ ମାନବତାର କଥା ଆସିଲେ, ପ୍ରଥମେ ଗୋପବନ୍ଧୁ ହିଁ ମନେ ପଡନ୍ତି । ଦୀନ, ଦରିଦ୍ର ଓ ଦୁଃଖି ଲୋକଙ୍କୁ ସହାୟତା କରିବାର ମହତ କାର୍ଯ୍ୟରେ ଗୋପବନ୍ଧୁ ହିଁ ସବୁବେଳେ ପ୍ରେରଣାର ଉତ୍ସ ହୋଇ ରହିଆସିଛନ୍ତି। ତେଣୁ ସେ ଥିଲେ ମାନବତାର ମହାନ ଉଦ୍ଗାତା । ଗୋପବନ୍ଧୁଙ୍କ ମୂର୍ତ୍ତୀ ମାନବତାର ପ୍ରତୀକ ଭାବରେ ଯୁଗ ଯୁଗ ଧରି ଜନମାନସକୁ ଦରିଦ୍ର ନାରାୟଣ ସେବା ପାଇଁ ପ୍ରେରିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ ଆଶା ପ୍ରକାଶ କରିଥିଲେ । ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ଏକଶତ ବର୍ଷ ପାଳନ ଉତ୍ସବ ଗତ ମାର୍ଚ୍ଚ ୨୩ ତାରିଖରୁ ସାରା ରାଜ୍ୟରେ ଆରମ୍ଭ କରାଯାଇଛି ।

ମହାତ୍ମା ଗାନ୍ଧୀ ତାଙ୍କର ଓଡିଶା ଗସ୍ତର ପ୍ରଥମ ଚରଣରେ କଟକ କାଠଯୋଡି ନଦୀ ବାଲିରେ ଆୟୋଜିତ ଏକ ବିରାଟ ଜନସମାବେଶରେ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ । ମହାତ୍ମାଙ୍କ ଓଡିଶା ଆଗମନର ସ୍ମାରକୀ ଭାବରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କାଠଯୋଡିର ବେଲ ଭ୍ୟୁ ଛକରେ ନିର୍ମିତ ଗାନ୍ଧୀ ଭିତ୍ତି ସ୍ଥାପତ୍ୟ କଳା (High Relief Mural Sculpture)ର ଲୋକାର୍ପଣ ମଧ୍ୟ କରିଛନ୍ତି । ଏଥିରେ ଗାନ୍ଧୀଙ୍କ ବିଭିନ୍ନ ଆନ୍ଦୋଳନର ଦୃଶ୍ୟ ସମେତ ତାଙ୍କ ଆଦର୍ଶ ଓ ନୀତି ସୁନ୍ଦର ଭାବରେ ପ୍ରସ୍ଫୁଟିତ ହୋଇଛି ।

ସତ୍ୟ ଓ ଅହିଂସା ହେଉଛି ସାରା ବିଶ୍ବକୁ ଭାରତର ଶ୍ରେଷ୍ଠ ଅବଦାନ। ଅହିଂସାର ପୂଜାରୀ ଭାବରେ ମହାତ୍ମା ଗାନ୍ଧୀ ସାରା ବିଶ୍ବକୁ ନୂତନ ଦିଗ୍ଦର୍ଶନ ଦେଇଯାଇଛନ୍ତି ଏବଂ ଆଜିର ଦୁନିଆରେ ତାର ପ୍ରାସଙ୍ଗିକତା ଅଧିକ ଅନୁଭୂତ ହେଉଛି । ମହାତ୍ମା ଗାନ୍ଧୀ ୧୯୨୧ରୁ ୧୯୪୬ ମଧ୍ୟରେ ଆଠ ଥର ଓଡିଶା ଆସିଥିଲେ ଏବଂ ଓଡିଶାର ବିଭିନ୍ନ ଅଞ୍ଚଳକୁ ଯାଇ ରାଜ୍ୟର ସମସ୍ୟା ସଂପର୍କରେ ଭଲ ଭାବରେ ଅବଗତ ହୋଇଥିଲେ । ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନକୁ ମଧ୍ୟ ସେ ଦୃଢ ସମର୍ଥନ ଦେଇଥିଲେ ।

ଆଜି ଓଡିଶା ଦିବସ ଅବସରରେ ବିଂଶ ଶତାଦ୍ଦୀର ଦୁଇ ମହାପୁରୁଷ ଗାନ୍ଧୀ ଓ ଗୋପବନ୍ଧୁଙ୍କର ଆଦର୍ଶ ଓ ଚିନ୍ତାଧାରା ଯୁବ ସମାଜକୁ ଦେଶ ଓ ଜାତି ପାଇଁ ଅଧିକ ସମର୍ପିତ ଭାବରେ କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ମନ୍ତ୍ରୀ ପ୍ରତାପ ଜେନା ,ଏମ୍ ପି ଭତୃହରି ମହତାବ ,ଏମ୍ ପି ସୁବାସ ସିଂହ ,କଟକ ଜିଲ୍ଲାର ବିଧାୟକ ଗଣ , ସମାଜ ଅନୁଷ୍ଠାନ ର କାର୍ଯ୍ୟକର୍ତା ମାନେ ଊପସ୍ଥିତ ଥିଲେ । (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ) ।

No Result
View All Result