No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୮ ମାର୍ଚ୍ଚ ରବିବାର ) ନୂଆଦିଲ୍ଲୀ :- ଗତ ଅପରାହ୍ଣରେ ‘ଦିଲ୍ଲୀ ଏମ୍ସ୍’କୁ ସ୍ଥାନାନ୍ତରିତ ହୋଇଥିବା ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ‘ବାଇପାସ୍ ସର୍ଜରି’ କରାଇବା ଲାଗି ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। ମାର୍ଚ ୩୦ ତାରିଖ ମଙ୍ଗଳବାର ସକାଳେ ତାଙ୍କ ହୃତ୍ପିଣ୍ଡରେ ବାଇପାସ୍ ସର୍ଜରି କରାଯିବ ବୋଲି ଆପାତତଃ ସ୍ଥିର କରାଯାଇଛି। ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି ଏବଂ ‘ଏମ୍ସ୍’ର ବିଶେଷଜ୍ଞମାନେ ତାଙ୍କର ଯତ୍ନ ନେଉଛନ୍ତି ବୋଲି ସରକାରୀ ବିବୃତିରୁ ଜଣାପଡ଼ିଛି।
ଶୁକ୍ରବାର ସକାଳେ ଛାତିରେ କଷ୍ଟ ଅନୁଭବ କରିଥିବା ୭୫ ବର୍ଷିୟ ରାଷ୍ଟ୍ରପତିଙ୍କୁ ସାମରିକ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟାବସ୍ଥାର ଅଧିକ ପରୀକ୍ଷା ନିରୀକ୍ଷା ଲାଗି ଶନିବାର ଦିନ ‘ଆର୍ମି ରେଫେରାଲ୍ ହସ୍ପିଟାଲ୍’ ତାଙ୍କୁ ଦିଲ୍ଲୀର ‘ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ’କୁ (ଏମ୍ସ୍) ‘ରେଫର୍’ କରିଥିଲେ।
ଗତକାଲି ଠାରୁ ରାଷ୍ଟ୍ରପତି ‘ଏମ୍ସ୍’ର ଡାକ୍ତରମାନଙ୍କ ତତ୍ତ୍ୱାବଧାନରେ ଅଛନ୍ତି।
ଭାରତର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଟୁଇଟ୍ କରି ଲେଖିଛି, ରେଗୁଲାର୍ ମେଡିକାଲ୍ ଚେକ୍ଅପ୍ ପରେ ଡାକ୍ତରମାନେ ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟ ଉପରେ ଦୃଷ୍ଟି ରଖିଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ବୁଝାବୁଝି କରିବାକୁ ଆସିଥିବା ଶୁଭେଚ୍ଛୁମାନଙ୍କ ପ୍ରତି ରାଷ୍ଟ୍ରପତି ଧନ୍ୟବାଦ ବ୍ୟକ୍ତ କରିଛନ୍ତି।
ବାଂଲାଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ରାଷ୍ଟ୍ରପତି କୋବିନ୍ଦଙ୍କ ପୁଅଙ୍କ ସହିତ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ ପଚାରି ବୁଝିଥିଲେ। (ରିପୋର୍ଟ /ଭଞ୍ଜ ବିହାରୀ ମହାନ୍ତି )
No Result
View All Result